କେବିସି-୧୪: ପ୍ରଥମ କୋଟିପତି ଦ୍ୱାଦଶ ପାସ୍‌ କବିତା

୨୧ ବର୍ଷ ୧୦ ମାସ ଧରି ନିରନ୍ତର ସାଧନାର ଫଳ

ହଟ୍‌ସିଟ୍‌ରେ ବସିବାର ଅଭିଳାଷ ନିକଟରେ ସବୁ ତୁଚ୍ଛ

ମୁମ୍ବାଇ: ‘କୌନ୍‌ ବନେଗା କରୋଡ୍‌ପତି’ ସଂକ୍ଷେପରେ ‘କେବିସି’ ଚତୁର୍ଦ୍ଦଶ ସଂସ୍କରଣର ପ୍ରଥମ ବିଜୟିନୀ ହୋଇଛନ୍ତି ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ମହିଳା କବିତା ଚାଓଲା । ମହାରାଷ୍ଟ୍ରର କୋହ୍ଲାପୁର ନିବାସୀ କବିତା ୨୦୦୦ ଜୁଲାଇ ୩ ତାରିଖରେ ପ୍ରସାରିତ ‘କୌନ ବନେଗା କରୋଡ୍‌ପତି’ ଦେଖିବା ପରଠାରୁ ହଟ୍‌ସିଟ୍‌ରେ ବସିବାର ଅଭିଳାଷ ପୋଷଣ କରିଥିଲେ ।

ବାସ୍‌, ସେବେଠାରୁ କବିତା ଅଟକି ଯାଇନାହାନ୍ତି, କ୍ଲାନ୍ତ ଅନୁଭବ କରିନାହାନ୍ତି, କାହାକୁ ଜଣାଇନାହାନ୍ତି । ନିରବ ସାଧିକା ପରି ଦୀର୍ଘ ୨୧ ବର୍ଷ ୧୦ ମାସ ଧରି କେବଳ ବିଭିନ୍ନ ବହିପତ୍ର ଓ ଖବରକାଗଜ ପଢ଼ି ଚାଲିଛନ୍ତି ।
କୋଟିପତି ଗୌରବ ଲାଭ ପରେ କବିତା କହନ୍ତି ଯେ କେବିସି ହଟ୍‌ସିଟ୍‌ରେ ବସିବାର ଅଭିଳାଷ ତାଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲା ଯେ ସେ ୨୦୦୦ ଜୁଲାଇ ମାସରୁ ଦିନରେ ବିଶ୍ରାମ କରିବା ଛାଡ଼ି ଦେଇଛନ୍ତି । ଟିଭି ଦେଖିନାହାନ୍ତି କି ସାଙ୍ଗସାଥିଙ୍କ ସହ ଗପସପ କରି ସମୟ ନଷ୍ଟ କରିନାହାନ୍ତି । ମନରେ ଉଙ୍କି ମାରୁଥିବା ସବୁ ଛୋଟବଡ଼ ପସନ୍ଦକୁ ପଛକୁ ପକାଇ ଦେଇଛନ୍ତି । ତାଙ୍କର ଗୋଟିଏ ଲକ୍ଷ୍ୟ-କେବିସି ହଟ୍‌ସିଟ୍‌ରେ ବସିବେ । କଠିନ ପରିଶ୍ରମ, ଏକାଗ୍ରତା ଓ ଜିତିବାର ନିରନ୍ତର ପ୍ରୟାସ ୪୫ ବର୍ଷୀୟା କବିତାଙ୍କୁ କେବିସି-୧୪ ବିଜୟିନୀ କରିଛି ।

କବିତା କହନ୍ତି, ‘ମୁଁ କୋହ୍ଲାପୁରର ପ୍ରଥମ ପ୍ରତିଯୋଗୀ ଯିଏ ‘କେବିସି’ର ଶୀର୍ଷରେ ପହଂଚି ପାରିଛି । ‘କେବିସି-୧୪’ର ପ୍ରଥମ କୋଟିପତି ହେବାର କ୍ଷଣଟିକୁ ଭାଷାରେ କହିପାରିବିନି । କେବଳ ଏତିକି ଜାଣନ୍ତୁ ଯେ କଇଁଛ ଭଳି ପାଦ ପକାଇ ଏହି ସ୍ଥାନରେ ପହଂଚିଛି । ପିଲାଦିନଟି ସଂଘର୍ଷ ଭିତରେ କଟିଲା । ବିବାହ ପରେ ତେଲଲୁଣ ସଂସାର ଭିତରେ ପେଶି ହୋଇଗଲି । ମାତ୍ର କେବିସି ମୋତେ ଦୁନିଆ ଦରବାର ସହିତ ପରିଚିତ କଲା । ଘର ଓ ପରିବାର ଦାୟିତ୍ୱ, ପାଠପଢ଼ା, ସଂସାଧନର ଅଭାବ ଓ ଟେକ୍ନୋଲୋଜି ଜ୍ଞାନକୌଶଳ ଅଭାବ ମୋର ରାସ୍ତାରେ ପ୍ରତିବନ୍ଧକ ଭାବେ ଠିଆ ହୋଇଛି । ଏ ଜାଗାରେ ପହଂଚିବା ପାଇଁ ମୋତେ ୨୧ ବର୍ଷ ୧୦ ମାସ ଲାଗିଲା ।

କେତେବେଳେ କଲ୍‌ ଉଠାଇପାରିନି ତ କେବେ ପ୍ରୋସେସ୍‌ ପୁରା କରିପାରିଲିନି । କେବେ ଜବାବ ଭୁଲ ଦେଇଛି ତ କେବେ ବୈଷୟିକ ଜ୍ଞାନର ଅଭାବ କାରଣରୁ କେବିସି ମଂଚ ପାଖରୁ ଫେରିଯିବାକୁ ବାଧ୍ୟ ହୋଇଛି । ହଟ୍‌ସିଟ୍‌ ପାଖକୁ ଆସି ଫେରିଯିବା ପରେ ବହୁତ ବାଧିଲା । ମାତ୍ର ମନରୁ ଅଭିଳାଷକୁ ମରିବାକୁ ଦେଲିନି । ମୋର ଏହି ଅଭିଯାନକୁ ସଫଳତାର ଶୀର୍ଷରେ ପହଂଚାଇବା ପାଇଁ ପରିବାର ଲୋକମାନେ ପୂର୍ଣ୍ଣ ସହଯୋଗ କରିଛନ୍ତି । ଶାଶୁ ଘର ପରିଚାଳନା କଲେ । ଶଶୁର ଓ ସ୍ୱାମୀ ମୋତେ ନୈତିକ ସାହସ ଦେଲେ । ଆଜିର ଏ ବିଜୟ ପାଇଁ ମୋ ଘର ପରିବାର ଏକାନ୍ତ ଦାୟୀ ।