ସୋନିଆଙ୍କ ହାତରେ ଖାଡ୍‌ଗେଙ୍କ ଚାବି

ମାତ୍ର କେହି ଖାଡ୍‌ଗେଙ୍କୁ ଗୁରୁତ୍ୱ ଦେଉ ନଥିଲେ…

ନୂଆଦିଲ୍ଲୀ: ହାତରେ ରିମୁଟ୍‌ ଧରି ସୋନିଆ ଗାନ୍ଧୀ ରାଜନୀତିରୁ ସନ୍ନ୍ୟାସ ନେବା କଥା କହୁଛନ୍ତି । ମଲ୍ଲିକାର୍ଜୁନ ଖାଡ୍‌ଗେ ନାମକୁ ମାତ୍ର କଂଗ୍ରେସ ଅଧ୍ୟକ୍ଷ; ତାଙ୍କୁ ଚଲାଉଛନ୍ତି ସୋନିଆ ଗାନ୍ଧୀ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥାରୁ ଲୋକମାନେ ଏଇଆ ଠଉରାଇଛନ୍ତି । ଖାଡ୍‌ଗେଙ୍କ ଭିଟାମାଟି କର୍ଣ୍ଣାଟକର ବେଲଗାଭୀରେ ଅନୁଷ୍ଠିତ ଏକ ଜନସଭାରେ ଯୋଗଦାନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଲୋକଙ୍କ ଦୃଷ୍ଟିରେ ଖାଡ୍‌ଗେ ଅଧ୍ୟକ୍ଷ; ସମସ୍ତେ ଜାଣନ୍ତି ଖାଡ୍‌ଗେଙ୍କ ଚାବି କାହା ହାତରେ?

କର୍ଣ୍ଣାଟକର ଜଣେ ପୁରୁଖା ନେତାଙ୍କୁ ଅପମାନିତ କରୁଛି କଂଗ୍ରେସକୁ ପରିଚାଳନା କରୁଥିବା ଗୋଟିଏ ବିଶିଷ୍ଟ ପରିବାର । ଦୀର୍ଘ ୫୦ ବର୍ଷ ଧରି ରାଜନୀତିରେ ସକ୍ରିୟ ଥିବା ଜଣେ ନେତା ନାଚୁଛନ୍ତି । ସୋନିଆଙ୍କ କଥାରେ ଉଠବସ ହେଉଛନ୍ତି ଖାଡ୍‌ଗେ । ରାୟପୁରରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ସମସ୍ତେ ସୋନିଆଙ୍କ ପଛରେ ତତ୍ପର । ମାତ୍ର କେହି ଖାଡ୍‌ଗେଙ୍କୁ ଗୁରୁତ୍ୱ ଦେଉ ନଥିଲେ । କେବଳ କଂଗ୍ରେସ ନୁହେଁ, ଦେଶର ବହୁ ରାଜନୈତିକ ଦଳରେ ପାରିବାରିକ ରାଜନୀତି ଜାରି ରହିଛି ।