ଇଂରେଜଙ୍କଠାରୁ କଶ୍ମୀର କିଣିଥିଲେ ରାଜା ଗୁଲାବ ସିଂହ
ନିଜାମ ପାକିସ୍ତାନ ସହିତ ମିଶିଯିବାକୁ ଚାହୁଁଥିଲେ ଯାହା ସଂପୂର୍ଣ୍ଣ ଅସମ୍ଭବ ଥିଲା….
ନୂଆଦିଲ୍ଲୀ: ଇଂରେଜ-ଶିଖ ଯୁଦ୍ଧ ପରେ ରାଜା ଗୁଲାବ ସିଂହ ଓ ଇଂରେଜଙ୍କ ମଧ୍ୟରେ ୧୮୪୬ରେ ଏକ ବୁଝାମଣା ହୋଇଥିଲା । ତକ୍ରାଳୀନ ପ୍ରଚଳିତ ଟଙ୍କା ଆକାରରେ ପ୍ରାୟ ୭୫ ଲକ୍ଷ ଟଙ୍କା ବିନିମୟରେ ରାଜା ଗୁଲାବ ସିଂହ କଶ୍ମୀର ଘାଟି, ଲଦାଖ (ବଲ୍ଟିସ୍ତାନ, କାରଗିଲ ଓ ଲେହ) ଓ ଜାମୁ କିଣିଥିଲେ । ଫଳରେ ରାଜା ଗୁଲାବ ସିଂହ ଜମ୍ମୁ-କଶ୍ମୀର ସାମ୍ରାଜ୍ୟର ପ୍ରଥମ ରାଜା ବୋଲାଇଲେ । ସେ ଡୋଗ୍ରା ରାଜବଂଶର ମୂଳଦୁଆ ପକାଇଲେ ।
୧୮୪୬ରୁ ୧୯୪୭ ପର୍ଯ୍ୟନ୍ତ ଡୋଗ୍ରା ରାଜବଂଶ ଜମ୍ମୁ-କଶ୍ମୀରକୁ ଶାସନ କଲେ । ଅନ୍ୟ ଅର୍ଥରେ କହିଲେ, ଜମ୍ମୁ-କଶ୍ମୀରର ଡୋଗ୍ରା ରାଜବଂଶ ଇଂରେଜ ସରକାରଙ୍କ ନିର୍ଦ୍ଦେଶ ମତେ ଶାସନ କରୁଥିଲେ । ବ୍ରିଟିଶ ଭାରତରେ ଜମ୍ମୁ-କଶ୍ମୀର ସବୁଠାରୁ ବଡ଼ କରଦ ରାଜ୍ୟ ଥିଲା । ମୁସଲିମ ଲିଗ୍ ପ୍ରସ୍ତାବିତ ‘ଟୁ ନେସନ୍ ଥିଓରି’କୁ ଇଂରେଜ ସରକାର ସ୍ୱୀକୃତି ଦେବାପରେ ଭାରତକୁ ଦୁଇଭାଗ କରାଯିବା ନିଶ୍ଚିତ ହୋଇଗଲା ।
ଇଣ୍ଡିଆ ଇଣ୍ଡିପେଣ୍ଡେଂଟ୍ ଆକ୍ଟ ୧୯୪୭ ଅନୁସାରେ ଅଖଣ୍ଡ ଭାରତକୁ ଭାରତ ଓ ପାକିସ୍ତାନ ନାମରେ ଦୁଇଖଣ୍ଡ କରାଗଲା । ସେତେବେଳେ ୫୭୦ରୁ ଅଧିକ ଗଡ଼ଜାତ ଅଂଚଳ ଥିଲା । ଭାରତ ବିଭାଜନ ଆଇନ ୧୯୪୭ ଅନୁସାରେ ସେମାନଙ୍କୁ ମଧ୍ୟ ସ୍ୱାଧୀନ ଗଡ଼ଜାତ ଅଂଚଳ ରୂପେ ଘୋଷଣା କରି ଦିଆଗଲା ଓ ସେମାନଙ୍କୁ ସ୍ୱେଚ୍ଛାରେ ଭାରତ ଅବା ପାକିସ୍ତାନ ସହିତ ମିଶିବା ପାଇଁ ପ୍ରସ୍ତାବ ଦିଆଗଲା । ୧୯୪୭ ଅଗଷ୍ଟ ୧୫ ତାରିଖରେ ୫୬୦ ଗଡ଼ଜାତ ଅଂଚଳ ଭାରତରେ ମିଶିଗଲେ । ମାତ୍ର ଜୁନାଗଡ଼, ଜମ୍ମୁ-କଶ୍ମୀର ଓ ହାଇଦ୍ରାବାଦ କାହା ସହିତ ମିଶିବାକୁ ରାଜି ହେଲେନି । ଡୋଗ୍ରା ରାଜବଂଶର ରାଜା ହରି ସିଂହ ଜମ୍ମୁ-କଶ୍ମୀରକୁ ଶାସନ କରୁଥିଲେ ।
୧୨ ଅଗଷ୍ଟ ୧୯୪୭ରେ ରାଜା ହରି ସିଂହ ଭାରତ ଓ ପାକିସ୍ତାନ ନିକଟକୁ ଷ୍ଟାଣ୍ଡ୍ ଷ୍ଟିଲ୍ ଏଗ୍ରିମେଂଟ ପଠାଇଲେ । ଏହି ରାଜିନାମା ଅନୁସାରେ ବ୍ରିଟିଶ ଭାରତ ଅମଳରେ ରାଜା ହରି ସିଂହ ଯେପରି ଜମ୍ମୁ-କଶ୍ମୀର ଶାସନ ଉପଭୋଗ କରୁଥିଲେ । ଭାରତ ସ୍ୱାଧୀନତା ଲାଭ ପରେ ମଧ୍ୟ ସେହିପରି ରାଜ୍ୟ ଉପଭୋଗ କରିବେ । ଉକ୍ତ ବୁଝାମଣା ପତ୍ରଟି ମିଶ୍ରଣ ପତ୍ର ନଥିବାରୁ ଭାରତ ସରକାର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ପାଇଁ ଜମ୍ମୁ-କଶ୍ମୀର ରାଜାଙ୍କୁ ଆମନ୍ତ୍ରଣ କଲେ । ତେବେ ହରି ସିଂହ ବା ତାଙ୍କର କୌଣସି ପ୍ରତିନିଧି ଉକ୍ତ ଆଲୋଚନାକୁ ଆସିଲେନି । ମାତ୍ର ପାକିସ୍ତାନ ରାଜା ହରି ସିଂହଙ୍କର ଷ୍ଟାଣ୍ଡ୍ ଷ୍ଟିଲ ବୁଝାମଣାକୁ ସ୍ୱୀକାର କରିନେଲେ ।
ପାକିସ୍ତାନ ଗଭର୍ଣ୍ଣର ଜେନେରାଲ ମହମ୍ମଦ ଅଲୀ ଜିନ୍ନା ତାଙ୍କର ଘରୋଇ ସଚିବ ଖୁର୍ସିଦ ହସନଙ୍କୁ ମହାରାଜା ହରି ସିଂହଙ୍କ ନିକଟକୁ ପଠାଇ ପାକିସ୍ତାନ-କଶ୍ମୀର ମିଶ୍ରଣ ପ୍ରସ୍ତାବ ଦେଲେ । ପରେପରେ ଷ୍ଟାଣ୍ଡ୍ ଷ୍ଟିଲ୍ ଏଗ୍ରମେଂଟ ଉପରେ ସ୍ୱାକ୍ଷର କରିବାର ୧୨ ଦିନ ପରେ ଅର୍ଥାତ୍ ୨୪ ଅଗଷ୍ଟ ୧୯୪୭ ଦିନ ପାକିସ୍ତାନ ମହାରାଜା ହରି ସିଂହଙ୍କ ନିକଟକୁ ଧମକପୂର୍ଣ୍ଣ ଚିଠି ପଠାଇ ଚେତାବନୀ ଦେଲେ ଯେ ଏବେ ମହାରାଜା ହରି ସିଂହଙ୍କ ପକ୍ଷେ ଚୂଡ଼ାନ୍ତ ନିଷ୍ପତି ନେବାର ସମୟ ଆସିଗଲା ।
ମନକୁ ମନ ପାକିସ୍ତାନ ସହିତ ମିଶିଯାଅ ନଚେତ ଗମ୍ଭୀର ପରିଣାମକୁ ସ୍ୱାଗତ କର । ଏହି ଚେତାବନୀ ପଢ଼ି ହରି ସିଂହଙ୍କ ପାଦତଳୁ ମାଟି ଖସିଗଲା । କିଛିଦିନ ପାଇଁ ପାକିସ୍ତାନ ଓ ଜମ୍ମୁ-କଶ୍ମୀର ଭିତରେ ଅଭିଯୋଗ ପ୍ରତି ଅଭିଯୋଗ ଚାଲିଲା । ଭାରତ ସହିତ କଶ୍ମୀର ମିଶିଯାଉ ବୋଲି ଉଭୟ ଜବାହରଲାଲ ନେହରୁ ଓ ମହାତ୍ମା ଗାନ୍ଧୀ ଚାହୁଁଥିଲେ ମାତ୍ର ଦୁହେଁ ସେତେବେଳେ ହାଇଦ୍ରାବାଦ ଶାସକ ନିଜାମଙ୍କ ଅଜବ ଖୟାଲକୁ ନେଇ ବ୍ୟସ୍ତ ଥିଲେ । ନିଜାମ ପାକିସ୍ତାନ ସହିତ ମିଶିଯିବାକୁ ଚାହୁଁଥିଲେ ଯାହା ସଂପୂର୍ଣ୍ଣ ଅସମ୍ଭବ ଥିଲା ।
ସେହି ବର୍ଷ ସେପ୍ଟେମ୍ବର ମାସ ଆରମ୍ଭରୁ ପାକିସ୍ତାନ ଆଡୁ ଅନୁପ୍ରବେଶକାରୀ ଆସି କଶ୍ମୀରରେ ଗୋପନୀୟତାର ସହ ବସବାସ କରିବାକୁ ଲାଗିଲେ । ହରି ସିଂହ ସେ ସଂପର୍କରେ ପାକିସ୍ତାନ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ । କିନ୍ତୁ ପାକିସ୍ତାନ ସରକାର ଓଲଟା ଜମ୍ମୁ-କଶ୍ମୀର ପ୍ରଶାସନ ମୁଣ୍ଡରେ ଅଠାବୋଳି କହିଲେ ଯେ ସିୟାଲକୋଟ୍ରେ ହିନ୍ଦୁ ପରିବାର ଅନୁପ୍ରବେଶ କରିଛନ୍ତି । ଇତିମଧ୍ୟରେ ମହାରାଜା ହରି ସିଂହ ୧୯୪୭ ସେପ୍ଟେମ୍ବର ୨୯ ତାରିଖରେ ତାଙ୍କର ରାଜନୈତିକ ଶତ୍ରୁ ଶେଖ ଅବଦୁଲ୍ଲାଙ୍କୁ ମୁକ୍ତ କରିଦେଲେ ।
ଅବଦୁଲ୍ଲା ଉଭୟ ଜିନ୍ନା ଓ ମୁସଲିମ ଲିଗ୍କୁ ଘୃଣା କରୁଥିଲେ । ସେ ମଧ୍ୟ ପାକିସ୍ତାନ ସହିତ କଶ୍ମୀରର ବିଲୟ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଲେ । ଜେଲରେ ଥିଲାବେଳେ ଅବଦୁଲ୍ଲା ଭାରତ ସହ କଶ୍ମୀର ମିଶ୍ରଣକୁ ସମର୍ଥନ କରୁଥିଲେ । କିନ୍ତୁ ଜେଲରୁ ବାହାରିବା ପରେ ସେ କଶ୍ମୀରର ସ୍ୱାଧୀନତା ଘୋଷଣା ଦାବି କଲେ । ଜବାହରଙ୍କ ସହ ଅବଦୁଲ୍ଲାଙ୍କର ଭଲ ସଂପର୍କ ଥିଲା । ଭାରତ-କଶ୍ମୀର ମିଶ୍ରଣ ପରେ ଜମ୍ମୁ-କଶ୍ମୀରର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ଶେଖ୍ ଅବଦୁଲ୍ଲା ।