ଟି-୨୦ ବିଶ୍ୱକପ୍‌: ଚାମ୍ପିଅନ୍‌ ଇଂଲଣ୍ଡକୁ ହରାଇଲା ଆୟର୍ଲାଣ୍ଡ

ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ଫିଲଡିଂ ନିଷ୍ପତି ନେଇଥିଲା…..

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ର ବୁଧବାର ମ୍ୟାଚଟି ବେଶ ରୋମାଂଚକ ଥିଲା । ୨୦୧୦ ଚାମ୍ପିଅନ୍‌ ଇଂଲଣ୍ଡକୁ ଆୟର୍ଲାଣ୍ଡ ମାତ୍ର ୫ ରନ୍‌ରେ ପରାସ୍ତ କରିଛି । ଟି-୨୦ ର‍୍ୟାକିଂରେ ଆୟର୍ଲାଣ୍ଡର ସ୍ଥାନ ଦ୍ୱାଦଶରେ ଥିଲାବେଳେ ଇଂଲଣ୍ଡର ସ୍ଥାନ ତୃତୀୟରେ । ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ଫିଲଡିଂ ନିଷ୍ପତି ନେଇଥିଲା । ଆୟର୍ଲାଣ୍ଡ ୧୯.୨ ଓଭରରେ ୧୫୭ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଥିଲା ।

ଆୟର୍ଲାଣ୍ଡ ବ୍ୟାଟ୍ସମ୍ୟାନ୍‌ ଆଣ୍ଡି ବଲବାର୍ନୀ ସର୍ବାଧିକ ୬୨ ରନ୍‌ କରିଥିଲେ । ବର୍ଷା ହେବା ସୁଦ୍ଧା ଇଂଲଣ୍ଡ ୧୪.୩ ଓଭରରେ ୫ ୱିକେଟ୍‌ ବିନିମୟରେ ୧୦୫ ରନ୍‌ କରିଥିଲା । ମୋଇନ୍‌ ଅଲୀ ୨୪ ଓ ଲିୟାମ ଲିଭିଂଷ୍ଟୋନ୍‌ ୧ ରନ୍‌ କରି ଖେଳୁଥିଲେ । ମାତ୍ର ପ୍ରବଳ ବର୍ଷା କାରଣରୁ ଡକ୍‌ୱର୍ଥ ମେଥଡ୍‌ ଆଧାରରେ ଆୟର୍ଲାଣ୍ଡ ବାଜି ମାରିନେଲା ।

ଦୀର୍ଘ ୧୨ ବର୍ଷ ପରେ ଉଭୟ ଟିମ ଟି-୨୦ ବିଶ୍ୱକପ୍‌ରେ ପରସ୍ପରକୁ ଭେଟିଥିଲେ । କୌତୁହଳର ବିଷୟ ହେଉଛି, ୨୦୧୦ ବିଶ୍ୱକପ୍‌ରେ ମଧ୍ୟ ପ୍ରବଳ ବର୍ଷା ହେବାରୁ କୌଣସି ଫଳାଫଳ ଘୋଷଣା କରାଯାଇ ନଥିଲା । ୨୦୧୧ରେ ଦିନିକିଆ ବିଶ୍ୱକପ୍‌ରେ ପୁଣି ଇଂଲଣ୍ଡ-ଆୟର୍ଲାଣ୍ଡ ମୁହାଁମୁହିଁ ହୋଇଥିଲେ । ସେତେବେଳେ ଆୟର୍ଲାଣ୍ଡ ଇଂଲଣ୍ଡକୁ ପରାଜିତ କରିଥିଲା ।