ପ୍ରେମ-ଧୋକା-ହତ୍ୟା: ପ୍ରେମିକାକୁ ୩୫ ଖଣ୍ଡ କଲା ପ୍ରେମିକ

ସୋମବାର ଦିଲ୍ଲୀ ପୁଲିସ ଏକ ବର୍ବରତାପୂର୍ଣ୍ଣ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି । ପ୍ରାୟ ୬ ମାସ ଧରି ଲିଭ୍‌ ଇନ୍‌ ରିଲେସନରେ ରହି ପ୍ରେମିକ ଅଫ୍‌ତାବ ତା’ର ୨୬ ବର୍ଷୀୟା ପ୍ରେମିକା ଶ୍ରଦ୍ଧାକୁ ନୃଶଂସ ହତ୍ୟା କରିଛି । ପ୍ରେମିକାର ମୃତଦେହକୁ କରତ ସାହାଯ୍ୟରେ ୩୫ ଖଣ୍ଡ କଲା । କଟା ଅଂଶଗୁଡ଼ିକୁ ରଖିବା ପାଇଁ ନୂଆ ଫ୍ରିଜଟିଏ କିଣିଥିଲା । ମୃତଦେହର ଦୁର୍ଗନ୍ଧକୁ କମାଇବା ପାଇଁ ଘରେ ଦାମୀ ଅତର ଓ ଅଗରବତୀ ବ୍ୟବହାର କରୁଥିଲା ।
ପ୍ରତିଦିନ ରାତ୍ରି ପ୍ରାୟ ଦୁଇଟା ବେଳେ ଉଠି ଫ୍ରିଜରେ ରଖିଥିବା ମୃତଦେହର କଟା ଅଂଶଗୁଡ଼ିକୁ ଜଙ୍ଗଲିଆ ସ୍ଥାନ ଦେଖି ଫିଙ୍ଗି ଦେଉଥିଲା । ପ୍ରାୟ ୧୮ ଦିନ ଧରି ଅଭିଯୁକ୍ତ ଅଫତାବ ଏହି କାମରେ ବ୍ୟସ୍ତ ରହୁଥିଲା । ପୁଲିସ ଅଭିଯୁକ୍ତକୁ କୋର୍ଟଚାଲାଣ କରିବା ପରେ ତାକୁ ୫ ଦିନ ପାଇଁ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି ।
ମୃତ ଶ୍ରଦ୍ଧାଙ୍କ ଘର ମୁମ୍ବାଇର ମଲାଡ଼ ଅଂଚଳରେ । ସେ ଏକ ବହୁଦେଶୀୟ କମ୍ପାନୀର କଲ୍‌ ସେଂଟରରେ କାମ କରୁଥିଲେ । ଅଭିଯୁକ୍ତ ଅଫ୍‌ତାବ ଶ୍ରଦ୍ଧାଙ୍କ ସହିତ କଲ୍‌ ସେଂଟରରେ କାମ କରୁଥିଲା । ୨୦୧୯ରେ ଦୁହିଁଙ୍କ ଭିତରେ ସାକ୍ଷାତ, ସାକ୍ଷାତରୁ ପ୍ରେମ ସଂପର୍କ ଗଢ଼ିଉଠିଲା । ଦୁହିଁଙ୍କ ସମ୍ପର୍କକୁ ପରିବାର ଲୋକମାନେ ପ୍ରତିବାଦ କରିବାରୁ ସେମାନେ ମୁମ୍ବାଇରୁ ଦିଲ୍ଲୀ ପଳାଇଗଲେ । ଦିଲ୍ଲୀର ମହରୌଲି ଅଂଚଳରେ ଏକ ଫ୍ଲାଟ୍‌ ଭଡ଼ା ନେଇ ଦୁହେଁ ଏକାଠି ରହିବାକୁ ଲାଗିଲେ ।
ଶ୍ରଦ୍ଧା ତାଙ୍କର ଜଣେ କଲେଜ ବନ୍ଧୁ ଲକ୍ଷ୍ମଣଙ୍କ ଜରିଆରେ ପରିବାରର ଟିକିନିଖି ଖବର ବୁଝୁଥିଲେ । ଶ୍ରଦ୍ଧାଙ୍କ ବାପା ବିକାଶ ମଦାନ ମଧ୍ୟ ଲକ୍ଷ୍ମଣଙ୍କଠାରୁ ଝିଅର ହାନିଲାଭ ଶୁଣି ମନକୁ ବୁଝାଇ ଦେଉଥିଲେ । ବେଶ କିଛିଦିନ ଧରି ଲକ୍ଷ୍ମଣଙ୍କ ଫୋନ୍‌ କଲକୁ ଶ୍ରଦ୍ଧା ରିସିଭ ନକରିବାରୁ ତାଙ୍କ ମନରେ ସନ୍ଦେହ ହେଲା । ସେ ଶ୍ରଦ୍ଧାଙ୍କ ବାପାଙ୍କୁ ସବୁ ବିଷୟ ଜଣାଇଲେ । ସୋସିଆଲ ମିଡିଆରେ ମଧ୍ୟ ଶ୍ରଦ୍ଧାଙ୍କର କିଛି ଅପ୍‌ଡେଟ୍‌ ପ୍ରକାଶ ପାଇ ନଥିଲା ।
ଝିଅର ହାଲଚାଲ ବୁଝିବା ପାଇଁ ବିକାଶ ନଭେମ୍ବର ୮ ତାରିଖରେ ଦିଲ୍ଲୀ ପହଂଚିଲେ । ଶ୍ରଦ୍ଧାଙ୍କ ଫ୍ଲାଟରେ ତାଲା ଝୁଲୁଥିବାର ଦେଖିଲେ । ମହରୌଲି ଥାନାରେ ପହଂଚି ‘ଶ୍ରଦ୍ଧାଙ୍କର କୌଣସି ଖୋଜଖବର ମିଳୁନି’ ଅଭିଯୋଗ କରିଥିଲେ । ଗତ ଶନିବାର ପୁଲିସ ଅଫତାକକୁ ଥାନାକୁ ଆଣି ଶ୍ରଦ୍ଧା ବିଷୟରେ ପଚାରିଲା । ପ୍ରଥମେ ପ୍ରଥମେ ଅମଙ୍ଗ ହୋଇଥିଲା ଅଫତାବ । ମାତ୍ର ପୁଲିସର ଲାଠି ବାଜିବା ପରେ ସତ ମାନିଥିଲା ।
ଅଫତାବ କହିବା ଅନୁସାରେ ବିବାହକୁ କେନ୍ଦ୍ର କରି ସେମାନଙ୍କ ଭିତରେ ବାରମ୍ବାର କଳିଝଗଡ଼ା ହେଉଥିଲା । ଅନ୍ୟ ଝିଅମାନଙ୍କ ସହ ଅଫତାବ ସଂପର୍କ ରଖିଥିବା କଥା ଶ୍ରଦ୍ଧା ଜାଣିବା ପରେ ଘଟଣା ଦିନ ପ୍ରବଳ ପାଟିତୁଣ୍ଡ କରିଥିଲା । ଫଳରେ ହିତାହିତ ଜ୍ଞାନଶୂନ୍ୟ ହୋଇ ଅଫତାବ ଶ୍ରଦ୍ଧାର ତଂଟିକୁ ଚିପି ଧରିଥିଲା । ଶ୍ରଦ୍ଧା ମରିଯିବ ବୋଲି ଅଫତାବ କଳ୍ପନା କରି ନଥିଲା ।