ସୁନ୍ଦରୀ ମାୟାରେ ପଡ଼ି ଜୀବନ ହରାଇଲେ ମହନ୍ତ

ବାସବଲିଙ୍ଗେଶ୍ୱରଙ୍କ ମୃତ୍ୟୁ ପଛରେ କୌଣସି ରାଜନେତାଙ୍କ ସଂପୃକ୍ତି ଆଶଙ୍କା କରାଯାଉଛି…..

ବେଙ୍ଗାଲୁରୁ: ସୁନ୍ଦରୀ ମାୟାରେ ପଡ଼ି ଜୀବନ ହରାଇବାକୁ ବାଧ୍ୟ ହୋଇଛନ୍ତି କଂଚୁଗାଲ ମଠର ମହନ୍ତ ସ୍ୱାମୀ ବାସବଲିଙ୍ଗେଶ୍ୱର । ୪୫ ବର୍ଷୀୟ ମହନ୍ତଙ୍କୁ ଅଶ୍ଳୀଳ ଭିଡିଓ ଜରିଆରେ ବ୍ଲାକ୍‌ମେଲ୍‌ କରାଯାଉଥିଲା । ଅଶ୍ଳୀଳ ଭିଡ଼ିଓରେ ରହସ୍ୟମୟୀ ନାୟିକାଙ୍କ ସହ ସ୍ୱାମୀ ବାସବ ଲିଙ୍ଗେଶ୍ୱରଙ୍କର କିଛି ଅନ୍ତରଙ୍ଗ କାରନାମା ରହିଥିଲା । ପ୍ରାଥମିକ ଅନୁସନ୍ଧାନ ସମୟରେ ଲିଙ୍ଗେଶ୍ୱରଙ୍କ ସୁଇସାଇଡ୍‌ ନୋଟ୍‌ ପୁଲିସ ହାତରେ ଲାଗିଥିଲା ।

ଗତ ସୋମବାର ମହନ୍ତ ଲିଙ୍ଗେଶ୍ୱର ଆତ୍ମହତ୍ୟା କରିଥିଲେ । ଶୁଣିବାକୁ ମିଳୁଛି, ମହନ୍ତଙ୍କୁ ପଦରୁ ହଟାଇବା ପାଇଁ ତାଙ୍କର କିଛି ବିରୋଧୀ ଲୋକ ଜଣେ ମହିଳାଙ୍କୁ ବ୍ୟବହାର କରିଥିଲେ । ଲିଙ୍ଗେଶ୍ୱରଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଛି ।

କର୍ଣ୍ଣାଟକ ରାଜନୀତିରେ ସାଂପ୍ରଦାୟିକ ଓ ଧାର୍ମିକ କାର୍ଡର ଗୁରୁତ୍ୱ ଅଧିକ । ବାସବଲିଙ୍ଗେଶ୍ୱରଙ୍କ ମୃତ୍ୟୁ ପଛରେ କୌଣସି ରାଜନେତାଙ୍କ ସଂପୃକ୍ତି ଆଶଙ୍କା କରାଯାଉଛି । ସୁଇସାଇଡ୍‌ ନୋଟ୍‌ରେ କୌଣସି ରାଜନେତାଙ୍କ ନାମ ନାହିଁ । କିନ୍ତୁ ମଠର କିଛି ଲୋକ ତାଙ୍କୁ ମହନ୍ତ ପଦରୁ ହଟାଇବାକୁ ଚାହୁଁଥିବାର ଉଲ୍ଲେଖ କରାଯାଇଛି । ଗତ ୨୫ ବର୍ଷ ଧରି ବାସବଲିଙ୍ଗେଶ୍ୱର କଂଚୁଗଲ ମଠର ମୁଖ୍ୟ ମହନ୍ତ ଭାବେ ଅବସ୍ଥାପିତ ଥିଲେ । କଂଚୁଗଲ ମଠଟି ପ୍ରାୟ ୪୦୦ ବର୍ଷର ମଠ ବୋଲି କୁହାଯାଉଛି ।