ବେଷ୍ଟ ଇଣ୍ଡିଆନ ଟାଇମ୍ ହାସଲ କଲେ ମାନା ପଟେଲ
ଫ୍ରାନ୍ସରେ ଚାଲିଥିବା ମାରେ ନୋଷ୍ଟ୍ରମ ସୁଇମିଂ ପ୍ରତିଯୋଗିତାର କାନେଟ ଲେଗରେ ସେ ଏହି ସଫଳତା ପାଇଛନ୍ତି….
ନୂଆଦିଲ୍ଲୀ : ଭାରତୀୟ ଅଲିମ୍ପିଆନ ମାନା ପଟେଲ ମହିଳା ୧୦୦ ମିଟର ବ୍ୟାକଷ୍ଟ୍ରୋକ ଇଭେଣ୍ଟରେ ବେଷ୍ଟ ଇଣ୍ଡିଆନ ଟାଇମ ହାସଲ କରିଛନ୍ତି । ଫ୍ରାନ୍ସରେ ଚାଲିଥିବା ମାରେ ନୋଷ୍ଟ୍ରମ ସୁଇମିଂ ପ୍ରତିଯୋଗିତାର କାନେଟ ଲେଗରେ ସେ ଏହି ସଫଳତା ପାଇଛନ୍ତି । ୨୨ ବର୍ଷୀୟା ସନ୍ତରଣକାରୀ ଅନୁଷ୍ଠିତ ପ୍ରତିଯୋଗିତାରେ ୦୧:୦୩.୬୯ ଟାଇମିଂ ହାସଲ କରି ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏଥିପୂର୍ବରୁ ମହିଳା ୧୦୦ ମିଟର ବ୍ୟାକଷ୍ଟ୍ରୋକ ଇଭେଣ୍ଟରେ ଭାରତୀୟଙ୍କ ଶ୍ରେଷ୍ଠ ଟାଇମିଂ ଥିଲା ୦୧:୦୩.୭୭ । ସେହି ରେକର୍ଡ ମଧ୍ୟ ମାନାଙ୍କ ନାମରେ ଥିଲା ।
ଏହି ରେକର୍ଡ ସେ ବେଲଗ୍ରେଡଠାରେ ଗତ ବର୍ଷ ହାସଲ କରିଥିଲେ । ପ୍ରତିଯୋଗିତାରେ ମାନା ମୋଟ ୧୫ତମ ପ୍ରତିଯୋଗୀ ଭାବେ ବି’ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଫାଇନାଲରେ ସେ ୦୧:୦୩.୮୭ ସେକେଣ୍ଡ୍ସରେ ରେସ ଶେଷ କରିଥିଲେ । ସନ୍ତରଣରେ ଜାତୀୟ ଆକ୍ୱାଟିକ୍ ଚାମ୍ପିୟନସିପରେ ହାସଲ କରାଯାଇଥିବା ଟାଇମିଂକୁ ହିଁ ଜାତୀୟ ରେକର୍ଡ ଆଖ୍ୟା ଦିଆଯାଏ ।