କର୍ଫ୍ୟୁ ସତ୍ୱେ ମଣିପୁର ଜଳୁଛି, ଅଡୁଆରେ ଏନ୍‌ଡିଏ ସରକାର

କର୍ଫ୍ୟୁ ଲାଗୁ କରାଯାଇଥିବା ସତ୍ୱେ ମଣିପୁରର …

ଇମ୍ଫାଲ: କର୍ଫ୍ୟୁ ଲାଗୁ କରାଯାଇଥିବା ସତ୍ୱେ ମଣିପୁରର ଉଖ୍‌ରୁଲ ଜିଲ୍ଲାରେ ସାନି ହିଂସା ଦେଖିବାକୁ ମିଳିଛି। ଗୁରୁବାର ଲିଟନ୍‌ ସରେଇଖୋଙ୍ଗ୍‌ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିବା ବେଳେ ଗୁଳିଚାଳନା କରାଯାଇଥିବା ଜଣାପଡିଛି। ଦୁର୍ବୃତମାନେ ଉକ୍ତ ଗ୍ରାମର କେତେକ ଘରେ ନିଆଁ ଲଗାଇ ଦେଇଛନ୍ତି। ଏହାର ପ୍ରତିବାଦରେ ଥାଙ୍ଗ୍‌କୁଲ ନାଗା ସଂପ୍ରଦାୟର ମହିଳାମାନେ ଲିଟନ ଥାନା ଉପରେ ଚଢଉ କରିଥିବାର ସୂଚନା ମିଳିଛି। ମହିଳା ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଛି ଓ ଫାଙ୍କା ଗୁଳିଚଳନା କରାଯାଇଛି। ଗତ ଶନିବାରଠାରୁ ଉକ୍ତ ଗ୍ରାମରେ ନାଗା ଓ କୁକି ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଉପୁଜିଛି। ଏହାକୁ କେନ୍ଦ୍ର କରି ଗତ ୮ରୁ ଜିଲ୍ଲା ପ୍ରଶାସନ ଉକ୍ତ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରିଛି।

ଗତ ମଙ୍ଗଳବାର ଦୁର୍ବୃତମାନେ ଲିଟନ ଗ୍ରାମରେ ନାଗା ସଂପ୍ରଦାୟଙ୍କ ପ୍ରାୟ ୫୦ଟି ଘରେ ନିଆଁ ଲଗାଇ ଦେଇଥିଲେ। ବର୍ତମାନ ପୁଣି ହିଂସାର ସୂତ୍ରପାତ ହେବାରେ ଉକ୍ତ ଜିଲ୍ଲାରେ ଇଂଟରନେଟ ବ୍ୟବସ୍ଥାକୁ ବାତିଲ କରାଯାଇଛି। ଗୁରୁବାର ସକାଳେ ପୁଲିସ ଓ ଗଣ୍ଡଗୋଳକାରୀଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ଗୁଳି ବିନିମୟ ହୋଇଥିଲା।