ତାରକା ପ୍ରଶ୍ନ ତାଲିକାରୁ ବାଦ ପଡ଼ିଲା ମଣିପୁର ସାଂସଦଙ୍କ ବିଦ୍ରୋହୀ ସଂଗଠନ ନିପାତ ପ୍ରଶ୍ନ

ନୂଆଦିଲ୍ଲୀ: ମଣିପୁର ସାଂସଦଙ୍କୁ ପ୍ରଶ୍ନ ପଚାରିବାକୁ ସୁଯୋଗ ଦିଆଗଲାନି । ତାଙ୍କ ପ୍ରଶ୍ନକୁ ତାରକା ଚିହ୍ନିତ ପ୍ରଶ୍ନ ତାଲିକାରୁ ବାଦ୍‌ ଦିଆଯାଇଛି । ଭାରତର ଉତର-ପୂର୍ବ ରାଜ୍ୟଗୁଡ଼ିକ ଭିତରୁ ମଣିପୁର ଏବେ ଜଳୁଛି ।

ସେଠାକାର ବିଦ୍ରୋହୀ ସଂଗଠନ କ୍ରମେ ଶକ୍ତିଶାଳୀ ହେଉଛି । ବିଦ୍ରୋହୀ ସଂଗଠନ ସହିତ ଶାନ୍ତି ବୁଝାମଣା କରିବା ପାଇଁ କେନ୍ଦ୍ରର ମୋଦି ସରକାର ଏକଦା ମଣିପୁରବାସୀଙ୍କୁ କଥା ଦେଇଥିଲେ । ସେହି ଶାନ୍ତି ବୁଝାମଣା ପ୍ରସଙ୍ଗ କେତେ ବାଟ ଆଗେଇଲା ବୋଲି ଜାଣିବାକୁ ଚାହିଁଥିଲେ ମଣିପୁର ସାଂସଦ ଏ ବିମଲ ଅକୋଇଜାମ ।

‘ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡାଇ ଦିଆଯିବା ଆଦୌ ଯୁକ୍ତିସଂଗତ ନୁହେଁ । ଜଣେ ନିର୍ବାଚିତ ପ୍ରତିନିଧି ଭାବେ ମୋ ପ୍ରଶ୍ନକୁ ତାଲିକାରୁ ବାଦ ଦିଆଯିବାର ଅର୍ଥ ମୋତେ ସାମ୍ବିଧାନିକ ଅଧିକାର ଓ ଦାୟିତ୍ୱରୁ ବଂଚିତ କରାଯିବା ।’ ଅକୋଇଜାମ ପୁଣି କହିଛନ୍ତି ଯେ ସେ ଲୋକସଭା ବାଚସ୍ପତିଙ୍କୁ ସାକ୍ଷାତ କରି ତାଙ୍କ ପ୍ରଶ୍ନର ଗୁରୁତ୍ୱ ସଂପର୍କରେ ବୁଝାଇ ଥିଲେ ମଧ୍ୟ ତାଙ୍କ ପ୍ରତି ଅବିଚାର କରାଗଲା ।