ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଆଦିବାସୀ ସାଂସଦ ଓ ମନ୍ତ୍ରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଦେଶର ଆଦିବାସୀ ସମୁଦାୟଙ୍କ ସମଗ୍ର ବିକାଶକୁ ତ୍ୱରିତ କରିବା ଏହି ବୈଠକର ଉଦ୍ଦେଶ୍ୟ । ଶ୍ରୀ ଓରାମ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ “ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ” ଭାବନା ଅନୁଯାୟୀ ଆଦିବାସୀ ଲୋକଙ୍କ ସମାବେଶ, ସଶକ୍ତିକରଣ ଓ ସମ୍ମାନ ନିଶ୍ଚିତ କରିବା ପାଇଁ ସମସ୍ତେ ଏକତ୍ର ହୋଇ କାମ କରୁଛନ୍ତି । ସେ କହିଛନ୍ତି, ଆଦିବାସୀ ସାଂସଦମାନେ କେବଳ ନୀତିନିୟମ ତିଆରିରେ ନୁହେଁ, ବରଂ ପ୍ରତ୍ୟେକ ଗାଁର ଲୋକମାନଙ୍କ ପାଖରେ ସରକାରୀ ଯୋଜନାଗୁଡ଼ିକ ପହଞ୍ଚିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ବୈଠକରେ ପିଏମ୍ ଜନମନ, ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ, ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ ଓ ବନାଧିକାର ଆଇନର ସଠିକ୍ କାର୍ଯ୍ୟାନ୍ୱୟନ ପରି ଯୋଜନା ବିଷୟରେ ଆଲୋଚନା ହୋଇଛି । ଏହି ସମସ୍ତ ଯୋଜନା ଦ୍ୱାରା ଆଦିବାସୀ ଓ ବିଶେଷ ଭାବେ ସମ୍ବେଦନଶୀଳ ଜନଜାତି ଅଞ୍ଚଳରେ ଘର, ପିଇବା ପାଣି, ବିଦ୍ୟୁତ୍, ସ୍ୱାସ୍ଥ୍ୟସେବା, ଶିକ୍ଷା, ଜୀବିକା ଓ ସଂସ୍କୃତି ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ସୁଧାର ଆସୁଥିବା କଥା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ବୈଠକରେ ଆଦିବାସୀ ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ଆଦିବାସୀ ପିଲାମାନଙ୍କ ପାଇଁ ଉଚ୍ଚ ଗୁଣସ୍ତରର ଆବାସିକ ଶିକ୍ଷା ଦେବା, ସିକେଲ୍ ସେଲ୍ ରୋଗକୁ ସମୂଳେ ନାଶ କରିବା, ଭାନଧନ୍ ଯୋଜନା ମାଧ୍ୟମରେ ଆଦିବାସୀମାନଙ୍କ ପାଇଁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି କରିବା ଏବଂ ବନାଧିକାର ମାନ୍ୟତା ମାଧ୍ୟମରେ ସମୁଦାୟକୁ ସଶକ୍ତ କରିବା ଉପରେ ବିଶେଷ ଆଲୋଚନା ହୋଇଛି । ଏହି ଆଲୋଚନାରେ କେନ୍ଦ୍ର ସରକାରଙ୍କ ନେତୃତ୍ୱରେ ଆଦିବାସୀ ସାଂସଦ ଏକାଠି ହୋଇଛନ୍ତି, ଯାହାର ଲକ୍ଷ୍ୟ ସାରା ଦେଶର ଆଦିବାସୀ ସମୁଦାୟ ପାଇଁ ସମଗ୍ର ବିକାଶ, ସାମାଜିକ ନ୍ୟାୟ ଓ ସ୍ଥାୟୀ ଉନ୍ନତି ନିଶ୍ଚିତ କରିବା ।
ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ସାଂସଦ ଓ ଉଚ୍ଚପଦସ୍ଥ ଅଧିକାରୀମାନେ ଯୋଗଦେଇଛନ୍ତି । କେନ୍ଦ୍ର ରାଜ୍ୟ ଆଦିବାସୀ ବ୍ୟାପାର ମନ୍ତ୍ରୀ ଦୁର୍ଗାଦାସ ଉଇକେୟଙ୍କ ସମେତ ସାଂସଦ ଶ୍ରୀମତି ସାବିତ୍ରୀ ଠାକୁର, ପଟେଲ ଉମେଶଭାଇ ବାବୁଭାଇ, ସୁଖଦେଓ ଭଗତ, ରାଜକୁମାର ରୋଆଟ, ମନୋଜ ଟିଗ୍ଗା, ଶ୍ରୀ ଅମରସିଂ ଟିସୋ ସାମିଲ ଥିଲେ । ଓଡ଼ିଶାରୁ ବରଗଡ଼ ଲୋକସଭା ଆସନର ସାଂସଦ ପ୍ରଦୀପ ପୁରୋହିତ, ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀ, ମୟୂରଭଞ୍ଜର ସାଂସଦ ନବ ଚରଣ ମାଝୀ ଓ କଳାହାଣ୍ଡିର ସାଂସଦ ଶ୍ରୀମତି ମାଳବିକା ଦେବୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଏଥିସହ କେନ୍ଦ୍ର ଆଦିବାସୀ କାର୍ଯ୍ୟ ମନ୍ତ୍ରଣାଳୟର ସଚିବ ଶ୍ରୀମତି ରଞ୍ଜନା ଚୋପ୍ରା, ଯୁଗ୍ମ ସଚିବ ଶ୍ରୀ ଅନନ୍ତ ପ୍ରକାଶ ପାଣ୍ଡେ, ଅତିରିକ୍ତ ସଚିବ ମନିଶ ଠାକୁର, ଏନ୍ଇଏସ୍ଟି କମିଶନର ଶ୍ରୀ ଅଜିତ୍ କୁମାର ଶ୍ରୀ ବାସ୍ତବଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ ।