ମିଳିଲା ୭ ବର୍ଷ ତଳେ ନିଖୋଜ ବାୟୁସେନା ବିମାନ
Missing air force plane found after 7 years
ନୂଆଦିଲ୍ଲୀ: ପ୍ରାୟ ସାତବର୍ଷ ପୂର୍ବେ ହଜି ଯାଇଥିବା ଆନ୍-୩୨ ବିମାନଟିକୁ ଭଙ୍ଗାରୁଜା ଅବସ୍ଥାରେ ଠାବ କରାଯାଇଛି । ୨୦୧୬ରେ ବଙ୍ଗୋପ ସାଗର ଉପର ଦେଇ ଯାତ୍ରା କରୁଥିବା ସମୟରେ ବିମାନଟି ୨୯ ଜଣ ଯାତ୍ରୀଙ୍କ ସମେତ ନିଖୋଜ ହୋଇଯାଇଥିଲା ।
ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସନ୍ ଟେକ୍ନୋଲୋଜି ତତ୍ୱାବଧାନରେ ସମୁଦ୍ରର ଗଭୀରତମ ପ୍ରଦେଶକୁ ଯାଇଥିବା ସ୍ୱୟଂଚାଳିତ ଯାନଟି ଉକ୍ତ ବିମାନଟିର ଖଣ୍ଡ ବିଖଣ୍ଡିତ ଅଂଶଗୁଡ଼ିକୁ ଠାବ କରିଛି । ଚେନ୍ନାଇ ଉପକୂଳରୁ ସମୁଦ୍ର ଭିତରକୁ ପ୍ରାୟ ୩୧୦ କିଲୋମିଟର ଦୂରତାରେ ସାଗର ଶଯ୍ୟାରେ ବିମାନର ଧ୍ୱଂସାବଶେଷ ପଡ଼ିରହିଛି ।
ସମ୍ଭବତଃ ସେହି ସ୍ଥାନରେ ଉକ୍ତ ଉଡାଜାହାଜଟି ଦୁର୍ଘଟଣାର ଶିକାର ହୋଇଥିଲା ବୋଲି ପ୍ରତିରକ୍ଷା ବିଭାଗ ପୂର୍ବାନୁମାନ କରିଛି । ପୂର୍ବରୁ ସଂପୃକ୍ତ ସ୍ଥାନରେ କୌଣସି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ରେକର୍ଡ ନାହିଁ।
ସୂଚନା ମୁତାବକ ଭାରତୀୟ ବାୟୁସେନାର ଆନ-୩୨ ବିମାନଟି ୨୦୧୬ ଜୁଲାଇ ୨୨ ତାରିଖ ଦିନ ସକାଳ ପ୍ରାୟ ସାଢେ଼ ୮ଟାରେ ଚେନ୍ନାଇର ତମ୍ବାରମ ବାୟୁସେନା ଘାଟିରୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ରାଜଧାନୀ ପୋର୍ଟ ବ୍ଲେୟାର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ମାତ୍ର ଚେନ୍ନାଇର ପୂର୍ବଦିଗକୁ ପ୍ରାୟ ୨୮୦ କିଲୋମିଟର ଯାତ୍ରା କରିବା ପରେ ବିମାନଟି ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲା ।