ଗାଜା ମୃତ୍ୟୁ ମାମଲା: ଆନ୍ତର୍ଜାତିକ କୋର୍ଟରେ ଭାରତୀୟ ଗଣମାଧ୍ୟମ ରିପୋର୍ଟ

ନୂଆଦିଲ୍ଲୀ: ଆନ୍ତର୍ଜାତିକ କୋର୍ଟରେ ଇସ୍ରାଏଲ-ହମାସ ଯୁଦ୍ଧ ମାମଲାର ବିଚାର ଚାଲିଥିବା ସମୟରେ ଇସ୍ରାଏଲ ପକ୍ଷରୁ ଭାରତୀୟ ଗଣମାଧ୍ୟମରେ ପ୍ରସାରିତ ଗୋଟିଏ ରିପୋର୍ଟକୁ ଦାଖଲ କରାଯାଇଥିଲା । ଆନ୍ତର୍ଜାତିକ କୋର୍ଟର ୧୭ ଜଣ ଜଷ୍ଟିସଙ୍କୁ ନେଇ ଗଠିତ ଖଣ୍ଡପୀଠ ଗାଜାରେ ଇସ୍ରାଏଲ ସେନାବାହିନୀର ରକ୍ତମୁଖା ଅଭିଯାନର ବିଚାର ଚାଲିଛି ।

ଜଣାଇ ଦେଉଛୁ, ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଗତ ପିଟିସନକୁ ବିଚାରଯୋଗ୍ୟ ମଣି ଆନ୍ତର୍ଜାତିକ କୋର୍ଟ ଦୁଇଦିନ ଧରି ବିଚାର କରୁଥିଲେ । ଗାଜାରୁ ତୁରନ୍ତ ସେନା ହଟାଇବା ପାଇଁ ଇସ୍ରାଏଲକୁ ନିର୍ଦ୍ଦେଶ ଦେବା ପାଇଁ ଆଫ୍ରିକା ପିଟିସନରେ ପ୍ରାର୍ଥନା କରିଛି ।

ହମାସ ବିରୋଧରେ ଯୁଦ୍ଧକୁ ଯୁକ୍ତିସଂଗତ କରିବା ପାଇଁ ଇସ୍ରାଏଲ ଭାରତରେ ପ୍ରସାରିତ ଗୋଟିଏ ଚାନେଲର ଭିଡିଓ ରିପୋର୍ଟକୁ ଦାଖଲ କରିଥିଲା । ଉକ୍ତ ଭିଡିଓ ରିପୋର୍ଟରେ ଜଣେ ହମାସ ଆତଙ୍କୀ ତା’ର ପରିବାର ଲୋକଙ୍କ ସହିତ ମୋବାଇଲ ଫୋନ୍‌ ଜରିଆରେ କଥା ହେଲାବେଳେ ୧୦ ଜଣ ଜିଉଙ୍କୁ ଜଘନ୍ୟ ହତ୍ୟା କରିଥିବା ସ୍ୱୀକାର କରିଥିଲା । ଖାଲି ସେତିକି ନୁହେଁ, ମାରିଥିବା ଲୋକଙ୍କର ଫଟୋ ଚିତ୍ରକୁ ହ୍ୱାଟ୍ସଆପ୍‌ ଯୋଗେ ପରିବାର ଲୋକଙ୍କ ନିକଟକୁ ପଠାଇଥିଲା ।

ଉକ୍ତ ରିପୋର୍ଟ ଜରିଆରେ ହମାସ ବିରୋଧୀ ଅଭିଯାନକୁ ଯୁକ୍ତସଂଗତ ଦର୍ଶାଇ ଗାଜାରୁ ସେନା ହଟାଇବା ଆଦୌ ଉଚିତ ହେବନି ବୋଲି ଇସ୍ରାଏଲ କହିଛି ।