ମିଶନ୍ ୨୦୨୪: ମୋଦୀଙ୍କ ଗୋଠରେ ଓଡ଼ିଶା ବାଦ
ସଂସଦୀୟ ବୋର୍ଡ ଓ ପ୍ରଚାର କମିଟି ଗଠିତ
ଉତ୍ତର-ପୂର୍ବ ସମେତ ଦକ୍ଷିଣାଂଚଳକୁ ପ୍ରାଥମିକତା….
ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି ସଂସଦୀୟ ବୋର୍ଡ ଗଠିତ ହୋଇଛି । ତା’ ସହିତ ଗଠିତ ହୋଇଛି ନିର୍ବାଚନ ପ୍ରଚାର କମିଟି । ୧୧ ଜଣ ସଭ୍ୟ ବିଶିଷ୍ଟ ସଂସଦୀୟ ବୋର୍ଡରୁ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ନାନଙ୍କୁ ହଟାଇ ଦିଆଯାଇଛି ।
ସଂସଦୀୟ ବୋର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂହଙ୍କ ସମେତ ସର୍ବାନନ୍ଦ ସୋନୋୱାଲ, ବିଏସ୍ ୟେଦିୟୁରାପ୍ପା, କେ ଲକ୍ଷ୍ମଣ, ଇକବାଲ ସିଂହ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜଟିୟା ଓ ପାର୍ଟି ସଚିବ ବିଏଲ୍ ସନ୍ତୋଷ ଅଛନ୍ତି । ସଂସଦୀୟ ବୋର୍ଡ ଓ ନିର୍ବାଚନ ସମିତିରେ ଜଣେ ବି ମୁଖ୍ୟମନ୍ତ୍ରୀଙ୍କୁ ସାମିଲ କରାଯାଇନି । ୨୦୧୩ରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଚୌହ୍ୱାନଙ୍କୁ ସ୍ଥାନ ମିଳିଥିଲା । ମୋଦୀଙ୍କ ଦୁଇଟିଯାକ ଗୋଠରେ ଜଣେ ବି ଓଡ଼ିଆ ନାହାନ୍ତି ।
୧୫ ସଭ୍ୟ ବିଶିଷ୍ଟ ନିର୍ବାଚନ କମିଟିରେ ପ୍ରଧାନମନ୍ତ୍ରୀ ମୋଦୀ, ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂହଙ୍କ ସମେତ ବିଏସ୍ ୟେଦିୟୁରାପ୍ପା, କେ ଲକ୍ଷ୍ମଣ, ଇକବାଲ ସିଂହ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜଟିୟା, ଭୁପେନ୍ଦ୍ର ଯାଦବ, ଦେବେନ୍ଦ୍ର ଫଡନାଭିସ୍, ଓମ ମାଥୁର, ବିଏଲ୍ ସନ୍ତୋଷ ଓ ବନଥୀ ଶ୍ରୀନିବାସଙ୍କୁ ସାମିଲ କରାଯାଇଛି । ଦିବଂଗତ ନେତ୍ରୀ ସୁଷମା ସ୍ୱରାଜଙ୍କ ସ୍ଥାନକୁ ପୂରଣ କରିବା ପାଇଁ ସୁଧା ଯାଦବଙ୍କୁ ବଛାଯାଇଛି । ସେହିପରି ପ୍ରଥମ ଥର ପାଇଁ ଉତ୍ତର-ପୂର୍ବାଂଚଳକୁ ବିଜେପିର ମର୍ଯ୍ୟାଦାଜନକ ଗୋଠରେ ସାମିଲ କରାଯାଇଛି ।