ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବିମୁଦ୍ରାକରଣ ପଦକ୍ଷେପ କ୍ରମେ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏ ସଂପର୍କିତ ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ଠାରୁ କୈଫିୟତ ତଲବ କରିଛି । ନଭେମ୍ବର ୯ ତାରିଖ ସୁଦ୍ଧା ମୋଦୀ ସରକାର ଓ ଆରବିଆଇ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିବେ । ଏଠାରେ ସୂଚାଇ ଦିଆଯାଉଛି ଯେ ୨୦୧୬ ନଭେମ୍ବର ୮ ତାରିଖରେ ମୋଦୀ ସରକାର ଓ ଆରବିଆଇ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବ୍ୟବହାର ଉପରେ କଟକଣା ଲାଗୁ କରିଥିଲେ ।
ନଭେମ୍ବର ୮ ତାରିଖ ରାତି ଆଠଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବ୍ୟବହାରକୁ ବାସନ୍ଦ ଘୋଷଣା କରିଥିଲେ । ଜଷ୍ଟିସ୍ ସୈୟଦ ଅବଦୁଲ୍ଲା ନଜୀରଙ୍କ ଅଧ୍ୟକ୍ଷତାରେ ପାଂଚଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ବିଚାର କରୁଛନ୍ତି । ନୋଟବନ୍ଦୀ ନିଷ୍ପତିର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇ ଖଣ୍ଡପୀଠ ମୋଦୀ ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି । ମୋଦୀ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ବିରାଟ ପଦକ୍ଷେପକୁ ଜାତୀୟ ସ୍ତରରେ ସ୍ୱାଗତ କରାଯାଇଛି ।
ଖଣ୍ଡପୀଠରେ ବିଚାର ଚାଲିଥିବା ବେଳେ ବରିଷ୍ଠ ଆଇନଜୀବୀ ପି ଚିଦାମ୍ବରମ କହିଛନ୍ତି, ୬ ବର୍ଷ ଧରି ଗଛଡାଳରେ ଲଟକିଥିବା ନୋଟବନ୍ଦୀ ବେତାଳ ଏବେ ସରକାରଙ୍କ କାନ୍ଧରେ ସବାର ହୋଇଯାଇଛି । ସମ୍ବିଧାନର କେଉଁ ବଳିଷ୍ଠ ଧାରା ଆଧାରରେ ମୋଦୀ ସରକାର ଓ ଆରବିଆଇ ନୋଟବନ୍ଦୀ ନିଷ୍ପତି ନେଇଥିଲେ, ତାହା ସୁପ୍ରିମକୋର୍ଟ ଚାଣିବାକୁ ଚାହିଁଛନ୍ତି ।
ଖଣ୍ଡପୀଠ କହିଛନ୍ତି, ମୁଖ୍ୟ ପ୍ରଶ୍ନ ହେଉଛି କି ସରକାରଙ୍କ ନିକଟରେ ଆଇବିଆଇ ଅଧିନିୟମ ଧାରା ୨୬ ଅନୁସାରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବନ୍ଦ କରିବାର ଅଧିକାର ରହିଛି କି? ସରକାରଙ୍କ ନୋଟବନ୍ଦୀ ପ୍ରକ୍ରିୟା ଆଇନଗତ ପଦକ୍ଷେପ ଥିଲା କି? କେନ୍ଦ୍ର ସରକାର ଆରବିଆଇ ନିକଟକୁ ୨୦୧୬ ନଭେମ୍ବର ୭ ତାରିଖରେ ଲେଖିଥିବା ଚିଠି ଓ ତା’ ପରଦିନ ନୋଟବନ୍ଦୀ ନିଷ୍ପତି ସମ୍ବନ୍ଧୀୟ ଫାଇଲ୍ ପ୍ରସ୍ତୁତ ରଖିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।
ଆଇନଜୀବୀ ଚିଦାମ୍ବରମଙ୍କ ବଳିଷ୍ଠ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ୨୦୧୬ରୁ ବିଚାର ଅପେକ୍ଷାରେ ପଡ଼ିଥିବା ୫୮ ପୃଷ୍ଠା ସମ୍ବିଳତ ପିଟିସନର ବିଚାର ପ୍ରକ୍ରିୟା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ମୋଦୀ ସରକାରଙ୍କ ନୋଟବନ୍ଦୀ ନିଷ୍ପତି ସଂପର୍କୀତ ରାୟ ଆଗାମୀ ପୀଢ଼ି ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଖଣ୍ଡପୀଠ ଆଶା ପ୍ରକାଶ କରିଛନ୍ତି ।
ସଲିସିଟର ଜେନେରାଲ ତୁଷାର ମେହଟା ଖଣ୍ଡପୀଠକୁ ଜଣାଇଥିଲେ ଯେ ନୋଟବନ୍ଦୀ ମାମଲା ଏବେ ଥଣ୍ଡା ପଡ଼ିଗଲାଣି । ତା’ର ବିଚାର କରିବା ଆଉ ଦରକାର ନାହିଁ । କିନ୍ତୁ ଆବେଦନକାରୀଙ୍କ ଓକିଲ ପି ଚିଦାମ୍ବରମ କହିଥିଲେ, ନୋଟବନ୍ଦୀ ପାଇଁ ୧୯୭୮ରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇଥିଲା ଯାହାକୁ କେନ୍ଦ୍ର ସରକାର ସହଜରେ ଏଡ଼ାଇ ପାରିବେନି । ମୋଦୀ ସରକାରଙ୍କ ନୋଟବନ୍ଦୀ ନିଷ୍ପତି ଆଜିମଧ୍ୟ ସାଧାରଣ ଲୋକଙ୍କ ନିକଟରେ ବିରାଟ ସମସ୍ୟା ଭାବେ ଦଣ୍ଡାୟମାନ ।
କେନ୍ଦ୍ର ସରକାରଙ୍କ ଆକସ୍ମିକ ପଦକ୍ଷେପ ବିରାଟ ଭୁଲ ଥିଲା ବୋଲି ଆମେ ପ୍ରମାଣ କରିବାକୁ ଚାହୁଁ । ୟେ ପ୍ରସଙ୍ଗ ଆଗାମୀ ପୀଢ଼ି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରେ । ଚିଦାମ୍ବରମଙ୍କ ଏଭଳି ଯୁକ୍ତିକୁ ଗମ୍ଭୀରତାର ସହ ଅନୁଧ୍ୟାନ କରିବା ପରେ ଖଣ୍ଡପୀଠ କେନ୍ଦ୍ର ସରକାର ଓ ଆଇବିଆଇକୁ କାଠଗଡ଼ାକୁ ଟାଣିଛନ୍ତି ।