ଇଣ୍ଡୋନେସିଆର ବାଲି ସହରରେ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ବୁଧବାର ଅନୁଷ୍ଠିତ ସକାଳୁଆ ବୈଠକରେ ଆଲୋଚନାର ବିଷୟବସ୍ତୁ ଥିଲା ଖାଦ୍ୟ ଓ ଅକ୍ଷୟ ଶକ୍ତି ସଂରକ୍ଷଣ । ଉକ୍ତ ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ-ରୁଷ ଯୁଦ୍ଧ ବିରାମ ପ୍ରତି ଜୋର ଦେଇଥିଲେ । ତା’ପରେ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ପରିବାରଙ୍କ ଏକକ ସଭାରେ ଯୋଗଦାନ କରିଥିଲେ ।
ସମବେତ ଭାରତୀୟ ପରିବାରକୁ ଉଦ୍ବୋଧନ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ କେବେ ସଂକୀର୍ଣ୍ଣମନା ନଥିଲା ଓ ଏବେମଧ୍ୟ ନାହିଁ । ସାରା ବିଶ୍ୱକୁ ନେତୃତ୍ୱ ନେବାର ଦକ୍ଷତା ଭାରତ ପାଖରେ ରହିଛି । ଇଣ୍ଡୋନେସିଆ ମାଟିରେ ବାସ କରୁଥିବା ପ୍ରତିଟି ଭାରତୀୟଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ସେମାନଙ୍କ ଭିତରେ ପରକୁ ଆପଣା କରିବାର ମଣିଷ ପଣିଆ ଅନୁଭବ କରିପାରୁଛି । ଆମେ ହଜାର ହଜାର ବର୍ଷର ସେହି ପବିତ୍ର ସଂପର୍କକୁ ବଜାୟ ରଖିପାରିଛୁ । ଏଇଟା ହିଁ ଆମର ମହନୀୟତା ।
ମୋଦୀ ପୁଣି କହିଛନ୍ତି, ଏବେ ମୁଁ ଏଠାରେ ଠିଆ ହୋଇଛି । ଏଠାରୁ ପ୍ରାୟ ଦେଢ଼ ହଜାର କିଲୋମିଟର ଦୂରରେ ଭାରତର କଟକ ସହରରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ଆମେ ସବୁ ସମୟରେ କଥା ପ୍ରସଙ୍ଗରେ ଏହାକୁ ଛୋଟ ପୃଥିବୀର ଆକାର ଦେଇଆସିଛୁ । ଦୁଇଟି ଦେଶର ଉପକୂଳକୁ ଗୋଟିଏ ସମୁଦ୍ର ଢେଉ ସ୍ପର୍ଶ କରୁଛି । ଇଣ୍ଡୋନେସିଆକୁ ସମୃଦ୍ଧିଶ।।ଳୀ କରିବା ପଛରେ ଭାରତୀୟଙ୍କ ଅବଦାନକୁ ଭୁଲିହେବ ନାହିଁ ।