ଶିକ୍ଷକତା କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ପଶ୍ଚିମବଙ୍ଗରେ ଦୁର୍ନୀତିର ମହାକଳଙ୍କରେ ଜର୍ଜରିତ ଶିକ୍ଷକ ନିଯୁକ୍ତି ପରୀକ୍ଷାର

କୋଲକାତା: ପଶ୍ଚିମବଙ୍ଗରେ ଦୁର୍ନୀତିର ମହାକଳଙ୍କରେ ଜର୍ଜରିତ ଶିକ୍ଷକ ନିଯୁକ୍ତି ପରୀକ୍ଷାର ପାସ ତାଲିକାରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପଶ୍ଚିମବଙ୍ଗ ବିଧାନସଭାର ମୁଖ୍ୟ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ଏହି ତିନିଜଣ ମହାନେତା ପରୀକ୍ଷା ହଲରେ ବସିଥିବାର କେହି ଦେଖିନାହାନ୍ତି । ପରୀକ୍ଷା ଦେବା କଥା ଛାଡ଼, ପରୀକ୍ଷା ଦେବା ପାଇଁ ମମତା, ଅମିତ ଓ ଶୁଭେନ୍ଦୁ ସଂପୂର୍ଣ୍ଣ ଅଯୋଗ୍ୟ । ତଥାପି ପାସ ତାଲିକାରେ ଏହି ତିନିଜଣଙ୍କ ନାମ ସ୍ଥାନ ପାଇବା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାର ମହାଦୁର୍ନୀତିକୁ ଧରା ପକାଇଛି । ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ଶିକ୍ଷକ ନିଯୁକ୍ତି ମହାଦୁର୍ନୀତିର ମୁଖ୍ୟ କାର୍ପଟଦାର ପାର୍ଥ ଚାଟାର୍ଜୀ ଏବେ ଜେଲରେ ଅଛନ୍ତି ।

ଆସନ୍ତୁ ଜାଣିବେ ତିନିଜଣ ମହାନାୟକଙ୍କ ଭିତରୁ କିଏ କେତେ ନମ୍ବର ରଖି ପାସ୍‌ ତାଲିକାର କୋଉ ସ୍ଥାନରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୯୨% ନମ୍ବର ମିଳିଛି । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ୧୦୦% ନମ୍ବର ପାଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୯୩% ନମ୍ବର ପାଇଛନ୍ତି । ପଶ୍ଚିମବଙ୍ଗ ବୋର୍ଡ ଅଫ୍‌ ପ୍ରାଇମେରୀ ଏଜୁକେସନ୍‌ ପକ୍ଷରୁ ପାସ ତାଲିକା ପ୍ରକାଶ ପାଇଥିଲା।

ଶୁକ୍ରବାର ଦିନ ପ୍ରକାଶ ପାଇଥିଲା ୧୮୩୨ ପୃଷ୍ଠା ବିଶିଷ୍ଟ ୨୦୧୪ ଟିଇଟି ପରୀକ୍ଷା ଫଳ । ତାଲିକାରେ ୧ ଲକ୍ଷ ୨୫ ହଜାର ପ୍ରତ୍ୟାଶୀଙ୍କ ନାମ, କ୍ୟାଟେଗୋରୀ ଓ ନମ୍ବର ଉଲ୍ଲେଖ କରାଯାଇଥିଲା । ପରୀକ୍ଷା ଦେଇ ବାଦ ପଡ଼ିଥିବା ଅଧିକାଂଶ ଯୁବକ ଯୁବତୀ ସରକାରଙ୍କ ମେଧାବୀ ତାଲିକାକୁ ତୀବ୍ର ସମାଲୋଚନା କରିଛନ୍ତି । ସେମାନଙ୍କ ମତରେ ପଶ୍ଚିମବଙ୍ଗ ସରକାରଙ୍କ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା କେବଳ ଧର୍ମକୁ ଆଖିଠାର । ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରୁ ଯୋଗ୍ୟ ଯୁବକ ଯୁବତୀଙ୍କୁ ବାଦ୍‌ ଦିଆଯାଇଛି ।

କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ରୋଲ ନମ୍ବର ୦୭୫୦୨୦୬୩୯ ଓ ତାଙ୍କୁ ଓବିସି ଶ୍ରେଣୀଭୁକ୍ତ କରାଯାଇଛି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଜେନେରାଲ କ୍ୟାଟେଗୋରୀରେ ରଖାଯାଇଛି ଓ ତାଙ୍କ ରୋଲ୍‌ ନମ୍ବର ୦୬୦୦୩୮୧୩୪ । ତାଲିକାରେ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ଶିକ୍ଷା ବୋର୍ଡ ଅଧ୍ୟକ୍ଷ ଗୌତମ ପାଲଙ୍କ ନାମ ମଧ୍ୟ ରହିଛି ।