ନୂଆଦିଲ୍ଲୀ: ମିଛ ଖବର ପ୍ରସାରଣ ଅଭିଯୋଗ କରି କେନ୍ଦ୍ର ସରକାର ୧୦ଟି ୟୁଟୁବ ଚାନେଲରେ ପ୍ରସାରିତ ୪୫ଟି ଭିଡିଓର ପ୍ରସାରଣକୁ ବନ୍ଦ କରିଛନ୍ତି । ସମାଜରେ ବିବାଦ ସୃଷ୍ଟି କରିବା ପାଇଁ ରୀତିମତ ଷଡ଼ଯନ୍ତ୍ର ଚାଲିଛି ବୋଲି କହିଛନ୍ତି କେନ୍ଦ୍ର ସରକାର । ପ୍ରାୟ ସାଢେ଼ ଏକକୋଟି ଲୋକ ବିବାଦୀୟ ଭିଡିଓକୁ ଦେଖିଥିବାର କହିଛି ଭାରତର ଗୁପ୍ତଚର ବିଭାଗ ।
ଏ ସଂପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ବିବାଦୀୟ ଭିଡିଓ କାରଣରୁ ପଡେ଼ାଶୀ ଦେଶ ସହ ଭାରତର କୂଟନୈତିକ ସମ୍ପର୍କ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଥିଲା । ଦେଶର ହିତ ଦୃଷ୍ଟିରୁ ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରଖାଯିବ ।
ବିବାଦୀୟ ଭିଡିଓରେ ସରକାରଙ୍କ ଅଗ୍ନିପଥ ଯୋଜନା, ଭାରତୀୟ ସେନା, ଭାରତର ରାଷ୍ଟ୍ରୀୟ ସୁରକ୍ଷା ନୀତି ଓ କଶ୍ମୀର ପ୍ରସଙ୍ଗର ଅପପ୍ରଚାର ଚାଲିଥିଲା । ଜମ୍ମୁ-କଶ୍ମୀର ଓ ଲଦାଖର କେତୋଟି ଅଂଚଳକୁ ଭାରତର ସୀମା ବହିର୍ଭୂତ ବୋଲି ରୀତିମତ ପ୍ରଚାର କରାଯାଉଥିଲା । ବିବାଦୀୟ ଭିଡିଓକୁ ଆଇଟି ୨୦୨୧ ଆଧାରରେ ବନ୍ଦ କରାଯାଇଛି ।
ଅଗଷ୍ଟ ମାସରେ କେନ୍ଦ୍ର ସରକାର ଆଠୋଟି ୟୁଟୁବ ଚାନେଲକୁ ବନ୍ଦ କରିଥିଲେ । ବନ୍ଦ କରାଯାଇଥିବା ଆଠଟି ଚାନେଲ ଭିତରୁ ୭ଟି ଭାରତୀୟ ଚାନେଲ ଓ ଗୋଟିଏ ପାକିସ୍ତାନୀ ଚାନେଲ ।
ପାଂଚଦିନ ତଳେ ଗୋଟିଏ ମାମଲାର ବିଚାର କରି ସୁପ୍ରିମକୋର୍ଟ ସମାଜକୁ ଭୁଲବାଟରେ ନେଇଯିବା ଭଳି ଆକ୍ଷେପମୂଳକ ଭାଷଣକୁ ତୀବ୍ର ସମାଲୋଚନା କରିଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ ବ୍ୟକ୍ତିର ସ୍ୱାଧୀନମତ ପୋଷଣ କରିବାର ଅଧିକାର ରହିଛି । ମାତ୍ର କାହାକୁ ଅଭଦ୍ର ଭାଷାରେ ଗାଳିଦେବାର ଅଧିକାର ନାହିଁ ।