ସାରା ଓଡ଼ିଶା ପଦଯାତ୍ରା କରିବ ବିଜେଡି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଏତିକିବେଳୁ ଜାତୀୟ ଦଳପକ୍ଷରୁ ପାଗଭିଡ଼ା ଆରମ୍ଭ ହେଲାଣି । କଂଗ୍ରେସ ‘ଭାରତ ଯୋଡେ଼ା’ ଅଭିଯାନ ଆରମ୍ଭ କରିସାରିଲାଣି । ବିଜେପି ଦେଶବ୍ୟାପୀ ଅଭିଯାନ କରିବାକୁ ଅଂଟା ଭିଡୁଛି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନକୁ ସ୍ଥଗିତ ରଖିଲାଣି । ଜାତୀୟ ଦଳର ପାଗଭିଡ଼ା ଦେଖି ବିଜେଡି ଅକ୍ଟୋବର ଦୁଇ ତାରିଖରୁ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରିବ ବୋଲି କହିଛି । ଦଳ ପକ୍ଷରୁ ଆରମ୍ଭ କରାଯାଉଥିବା ଏକମାସ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା

ଜିଲ୍ଲାସ୍ତରରୁ ଆରମ୍ଭ କରି ନିର୍ବାଚନ ମଣ୍ଡଳୀ, ନଗର, ପଂଚାୟତ ଓ ୱାର୍ଡ ସ୍ତରରେ ଚାଲିବ । ଅକ୍ଟୋବର ଦୁଇରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ, ଅକ୍ଟୋବର ୯େରେ ଗୋପବନ୍ଧୁ ଜୟନ୍ତୀ, ଅକ୍ଟୋବର ୧୧ରେ ଜୟପ୍ରକାଶ ନାରାୟଣ ଜୟନ୍ତୀ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଦଳର ମହିଳା, ଯୁବ, ଛାତ୍ର, କୃଷକ, ସଂଖ୍ୟାଲଘୁ, ଶ୍ରମିକ, ଦଳିତ, ଜନଜାତି, ସମବାୟ, ଆଇନ ସମେତ ଅନ୍ୟାନ୍ୟ ସଂଗଠନକୁ ମୂଳରୁ ଦୃଢ଼ କରିବା ଉପରେ ଜୋର ଦିଆଯାଇଛି ।