ଅକ୍ଟୋବର ୨ରୁ ‘ଆମ ଜନତା ଦଳ’ର ଶାନ୍ତି ଅଭିଯାନ

ଭୁବନେଶ୍ୱର: ଅକ୍ଟୋବର ଦୁଇ ତାରିଖରୁ ‘ଆମ ଜନତା ଦଳ’ ପକ୍ଷରୁ ଶାନ୍ତି ଅଭିଯାନ ଆରମ୍ଭ କରାଯିବାକୁ ନିଷ୍ପତି ନିଆଯାଇଛି । ଦଳର ମୁଖପାତ୍ର ସୀତାରାମ ବେହେରା କହିଛନ୍ତି, ଜାତିର ପିତା ମହାତ୍ମା ଗାନ୍ଧୀ ଦୁଇଟି ଅସ୍ତ୍ର ବ୍ୟବହାର କରିଥିଲେ । ପ୍ରଥମଟି ସତ୍ୟ ଓ ଦ୍ୱିତୀୟଟି ଅହିଂସା । ଆଜିର ରାଜନୀତିକୁ ଜାବୁଡ଼ି ଧରିଥିବା ରାଜନୈତିକ ଦଳଗୁଡ଼ିକ ଗାନ୍ଧିଜୀଙ୍କ ଜୟନ୍ତୀକୁ ପାଳନ କରୁଛନ୍ତି । ମାତ୍ର ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶକୁ କେବଳ ଭାଷଣ ଅବା ପୁସ୍ତକରେ ସାଇତି ରଖିଛନ୍ତି । ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସା ଏବେ ପୁସ୍ତକର ଦୁଇଟି ଶବ୍ଦ ହୋଇ ରହିଯାଇଛି ।

ଆଜି ମଧ୍ୟ ସମାଜରେ ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସାର ଆବଶ୍ୟକତା ରହିଛି ବୋଲି ‘ଆମ ଜନତା ଦଳ’ ଅନୁଭବ କରିଛି । ରାଜନୈତିକ ଫାଇଦା ପାଇଁ ନୁହେଁ, ବରଂ ଲୋକଙ୍କ ମନରେ ସତ୍ୟ ଓ ଅହିଂସା ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜାଗରଣ ପାଇଁ ଅକ୍ଟୋବର ଦୁଇ ତାରିଖରୁ ଏକମାସ ଧରି ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରାଯିବ । ଉକ୍ତ ଅଭିଯାନ ରାଜ୍ୟର ପ୍ରତିଟି ନିର୍ବାଚନ ମଣ୍ଡଳୀକୁ ଛୁଇଁବ ।