ଦେଶରେ ଦିନକରେ ୫୩ ହଜାରରୁ ଅଧିକ ସଂକ୍ରମିତ,୨୫୧ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସୃଷ୍ଟି କରିଛି। ସ୍ଥିତି ଏପରି ହୋଇଛି ଯେ ଦୈନିକ ସଂକ୍ରମଣ ଆଜି ୫୦ ହଜାର ପାର୍‌ କରି ଯାଇଛି। ଦୀର୍ଘ ୫ ମାସର ବ୍ୟବଧାନ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ପାର କରିଛି।

ସେହିପରି କରୋନା ୨୫୦ରୁ ଅଧିକ ଲୋକଙ୍କ ମୁଣ୍ଡ ନେଇଛି। ଗତବର୍ଷ ସେପ୍ଟେମ୍ବର ମଧ୍ୟ ଭାଗରେ କରୋନା ଦେଶରେ ସର୍ବୋଚ୍ଚ ଗତିରେ ଥିଲା। ଏହି ସମୟରେ ଦୈନିକ ସଂକ୍ରମଣ ୫୦ ହଜାର ଉପରେ ରହୁଥିଲା। ଏବେ ପୁଣିଥରେ ଦେଶରେ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ମୋଟ ୫୩,୪୭୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ଚଳିତ ବର୍ଷ ସର୍ବାଧିକ। ଗତକାଲି ପ୍ରାୟ ୪୮ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେଣୁ ଦୈନିକ କରୋନା ଗ୍ରାଫ ଏବେ ଉପର ମୁହାଁ ହୋଇଛି।

ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୭,୮୭,୫୩୪କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୧,୧୨,୩୧,୬୫୦ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍‌ ସଂଖ୍ୟା ୩,୯୫,୧୯୨ ରହିଛି। ଏହି ପ୍ରାଣଘାତୀ ଭାଇରସ ଗୋଟିଏ ଦିନରେ ଆଉ ୨୫୧ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୬୦,୬୯୨ରେ ପହଞ୍ଚି ଯାଇଛି। ସେହିପରି ଦେଶରେ ଏଯାଏ ୫,୩୧,୪୫,୭୦୯ ଜଣ କରୋନା ଟିକା ନେଇଛନ୍ତି।