କେନ୍‌ ୱିଲମସନଙ୍କ ଘରକୁ ଆସିଲେ ନୂଆ ଅତିଥି : ପୁତ୍ର ସନ୍ତାନର ଜନକ ହେଲେ ହାଇଦ୍ରାବାଦ କ୍ୟାପ୍‌ଟେନ୍‌

ଖୁସି ଖବର ସେୟାର କରିବା ପରେ ୱିଲମସନଙ୍କୁ ଶୁଭେଚ୍‌ଛାର ସୂଅ ଛୁଟିଛି…

ନୂଆଦିଲ୍ଲୀ ୨୩/୦୫: ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ କେନ୍‌ ୱିଲମସନଙ୍କ ଘରକୁ ଆସିଲେ ନୂଆ ଅତିଥି । ତାଙ୍କ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି ।ୱିଲମସନ ଇନଷ୍ଟାଗ୍ରାମରେ ନିଜ ପତ୍ନୀ ଓ ପୁଅଙ୍କ ଫଟୋ ସେୟାର କରି ଫ୍ୟାନଙ୍କୁ ଖୁସି ଖବର ଦେଇଛନ୍ତି । ଖୁସି ଖବର ସେୟାର କରିବା ପରେ ୱିଲମସନଙ୍କୁ ଶୁଭେଚ୍‌ଛାର ସୂଅ ଛୁଟିଛି । ଟିମ୍‌ ଇଣ୍ଡିଆ ପୂର୍ବତନ କ୍ରିକେଟର ସୁରେଶ ରାଇନା, ଆଫଗାନିସ୍ତାନର ଷ୍ଟାର୍‌ ବୋଲର ରଶିଦ ଖାନ, କାରବିୟାନ ଖେଳାଳି ଜାସନ୍‌ ହୋଲଡର୍‌, ଅଷ୍‌ଟ୍ରେଲିଆ ବ୍ୟାଟର ଡେଭିଡ ୱାର୍ଣ୍ଣର, ନ୍ୟୁଜିଲାଣ୍ଡ କ୍ରିକେଟର ବ୍ରେଣ୍ଡନ୍‌ ମ୍ୟାକକୁଲମଙ୍କ ସମେତ ଅନ୍ୟ ଖେଳାଳି ୱିଲମସନଙ୍କୁ ଶୁଭେଚ୍‌ଛା ଜଣାଇଛନ୍ତି ।

ସୂଚନାଯୋଗ୍ୟ, ୱିଲମସନ ଆଇପିଏଲ ୨୦୨୨ରେ ନିଜ ଶେଷ ଲିଗ୍‌ ମ୍ୟାଚ୍‌ ପୂର୍ବରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ନିଜ ପରିବାର ସହ ସମୟ ଅତିବାହିତ କରିବାକୁ ଚାହୁଁଛନ୍ତି । ତେବେ ତାଙ୍କ ନେତୃତ୍ୱରେ ହାଇଦ୍ରାବାଦ କିଛି ଖାସ୍‌ ପ୍ରଦର୍ଶନ କରିପାରି ନାହିଁ । ଏପରିକି ଶେଷ ଲିଗରେ ବି ଦଳ ପଞ୍ଜାବଠୁ ମାତ୍‌ ଖାଇଛି । ଏହି ପରାଜୟ ପରେ ହାଇଦ୍ରାବାଦ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହି ଆଇପିଏଲକୁ ଅଲବିଦା କହିଛି । ଅନ୍ୟ ଦିଗରେ ପଞ୍ଜାବ ଷଷ୍ଠ ସ୍ଥାନରେ ରହି ଆଇପିଏଲ ଯାତ୍ରା ଶେଷ କରିଛି ।