ପ୍ରଥମ ମହିଳା ଦିନିକିଆରେ ଭାରତକୁ ହରାଇଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ପ୍ରଥମ ମହିଳା ଦିନିକିଆ ଆରମ୍ଭ ହୋଇଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ମହିଳା ଟିମ ୬୨ ରନରେ ଭାରତୀୟ ମହିଳା ଟିମକୁ ପରାସ୍ତ କରିଛି । ସୁଜି ବେଟ୍ସଙ୍କ ୧୦୬ ଏବଂ ଜେସ କେରଙ୍କ ୪ ୱିକେଟ୍‌ ବଳରେ ସ୍ଥାନୀୟ ଜନ ଡେଭିସ ଓଭାଲରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ବେଟ୍ସଙ୍କୁ ପ୍ଲେୟର୍‌ ଅଫ୍‌ ଦି ମ୍ୟାଚ ଘୋଷଣା କରାଯାଇଥିଲା । ଟସ ହାରି ନ୍ୟୁଜିଲାଣ୍ଡ ପ୍ରଥମେ ୪୮.୧ ଓଭର ରେ ୨୭୫ ରନ କରିଥିବା ବେଳେ ଜବାବରେ ଭାରତ ୪୯.୩ ଓଭରରେ ୨୧୩ ରନରେ ଅଲଆଉଟ ହୋଇଯାଇଥିଲା । ୨୭୬ ରନର ପିଛା କରୁଥିବା ଭାରତ ୧୭ ରନରେ ଦୁଇ ଓପ୍ନର୍‌ ସାବ ଭିନେନି ମେଘନା (୪) ଓ ଶେଫାଳୀ ବର୍ମା (୧୨)ଙ୍କୁ ହରାଇଥିଲା । ତେବେ ୟାସ୍ତିକା ଭାଟିଆ (୪୧) ଓ କ୍ୟାପଟେନ ମିତାଲି ରାଜ (୫୯) ତୃତୀୟ ୱିକେଟ୍‌ ପାଇଁ ୮୮ ରନ ଯୋଗ କରିଥିଲେ । ତେବେ ଏହି ଦୁଇଜଣଙ୍କ ଆଉଟ ପରେ ଭାରତର ବିଜୟ ଆଶା ମଉଳି ଯାଇଥିଲା ଏବଂ ପୂରା ଟିମ ୪୯.୩ ଓଭର ରେ ମାତ୍ର ୨୧୩ ରନ୍‌ ମଧ୍ୟରେ ସୀମିତ ହୋଇଯାଇଥିଲା । ମିତାଲିଙ୍କ ୭୩ ବଲର ଇନିଂସରେ ୬ଟି ଚୌକା ସାମିଲ ଥିବାବେଳେ ୟାସ୍ତିକା ୬୩ ବଲର ସମ୍ମୁଖୀନ ହୋଇ ୪ଟି ଚୌକା ଲଗାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ହରମନପ୍ରୀତ କୌର ୧୦, ରିଚା ଘୋଷ ୨୨, ଦୀପ୍ତି ଶର୍ମା ୧୬, ପୂଜା ବସ୍ତ୍ରାକାର ୨୩ ଓ ଝୁଲନ ଗୋସ୍ୱାମୀ ୧୩ ରନ୍‌ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଜେସ କେର ୩୫ ରନରେ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ହେଲେ ଜେନସନ୍‌ଙ୍କୁ ୨ଟି ୱିକେଟ୍‌ ମିଳିଥିଲା । ଟସ ହାରି ବ୍ୟାଟିଂ ପାଇଥିବା ନ୍ୟୁଜିଲାଣ୍ଡ ସୁଜି ବେଟ୍ସଙ୍କ ଆକର୍ଷଣୀୟ ଶତକ ବଳରେ ଭାରତ ନିକଟରେ ୨୭୬ ରନର ଲକ୍ଷ୍ୟ ଛିଡା କରିଥିଲା । ବେଟ୍ସ ୧୧୧ ବଲରେ ୧୦ ଚୌକା ସହାୟତାରେ ୧୦୬ ରନର ଶତକୀୟ ଇନିଂସ ଖେଳିଥିଲେ ।

ସେହିପରି ମ୍ୟାଡି ଗ୍ରୀନ ୧୭ଙ୍କ ସହ ସେ ପ୍ରଥମ ୱିକେଟ୍‌ ପାଇଁ ୫୪ ରନ, ଆମେଲି କେର ୩୩ଙ୍କ ସହ ଦ୍ୱିତୀୟ ୱିକେଟ୍‌ ପାଇଁ ୪୨ ରନ୍‌ ଏବଂ ସାଟ୍ଟର୍ଥୱେଟ ୬୩ଙ୍କ ସହ ତୃତୀୟ ୱିକେଟ୍‌ ପାଇଁ ୮୨ ରନ୍‌ ଯୋଗ କରିଥିଲେ ।