ରାଷ୍ଟ୍ରପତି ଭବନରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ଭବନରେ…..

ନୂଆଦିଲ୍ଲୀ: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ଭବନରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ କିଛି ସମୟ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ତାଙ୍କ ସହ କିଛି ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି । କାର୍ଯ୍ୟସୂଚନୀ ଅନୁଯାୟୀ ପୂର୍ବାହ୍ଣ ପ୍ରାୟ ୧୦ଟା ୧୪ ମିନିଟ୍‌ରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ସଂସଦର କେନ୍ଦ୍ରୀୟ ହଲ୍‌ରେ ଆୟୋଜିତ ଉତ୍ସବରେ ଦ୍ରୌପଦୀଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ୧୦ଟା ୧୮ରେ ଶପଥ ଗ୍ରହଣ ପଞ୍ଜିକାରେ ନୂଆ ରାଷ୍ଟ୍ରପତି ସ୍ବାକ୍ଷର କରିବେ।

ଏହା ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଚିବ ୧୦ଟା ୧୧ ମିନିଟ୍‌ରେ ନିର୍ବାଚନ ଆୟୋଗଙ୍କ ନୂଆ ରାଷ୍ଟ୍ରପତି ନିର୍ବାଚିତ ସମ୍ପର୍କିତ ପ୍ରମାଣପତ୍ର ପାଠ କରିବେ। ଶପଥ ଗ୍ରହଣ ପରେ ୧୦ଟା ୨୩ରେ ଶ୍ରୀମତୀ ମୁର୍ମୁ ତାଙ୍କର ପ୍ରଥମ ଅଭିଭାଷଣ ପ୍ରଦାନ କରିବେ। ୧୦ଟା ୩୫ରେ ଶପଥ ଗ୍ରହଣ ଉତ୍ସବ ଶେଷ ହେବ।