ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣ ଘଟଣାରେ ଆଜି ଚାର୍ଜସିଟ ଦାଖଲ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)। ଏଥିରେ ମୁଖ୍ୟ ଅଭିଯୁକ୍ତ ଭାବେ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଦର୍ଶାଯାଇଛି।
୫ ହଜାର ପୃଷ୍ଠାର ଏହି ଚାର୍ଜସିଟରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ଆକ୍ରମଣରେ ବଡ଼ ଭୂମିକା ରହିଥିବା ସ୍ପଷ୍ଟ ହୋଇଛି। ଚାର୍ଜସିଟରେ ମାସୁଦ ବ୍ୟତିତ ତାର ଭାଇ ଅବଦୁଲ ରୌଫ ଅସଗରକୁ ଘଟଣାର ଷଡ଼ଯନ୍ତ୍ରକାରୀ ବୋଲି ଦର୍ଶାଯାଇଛି। ଏଥିରେ ମଧ୍ୟ ମୃତ ଆତଙ୍କବାଦୀ ଉମର ଫାରୁକ ଓ ଆଦିଲ ଅହମ୍ମଦ ଦରର ନାଁ ଉଲ୍ଲେଖ ଅଛି। ସମସ୍ତ କଲ ବିବରଣୀ ଓ ଫୋରନସିକ ତଥ୍ୟକୁ ପ୍ରମାଣ ସ୍ୱରୂପ ଚାର୍ଜସିଟରେ ଯୋଡ଼ିଛି ଏନଆଇଏ।
ସୂଚନାଯୋଗ୍ୟ, ଗତ ବର୍ଷ ଫେବୃଆରୀ ୧୪ ତାରିଖରେ ପୁଲୱାମା ଠାରେ ସିଆରପିଏଫ ଯବାନଙ୍କ ଟ୍ରକ ଉପରେ ବଡ଼ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏଥିରେ ଭାରତର ୪୦ ଯବାନ ଶହୀଦ ହୋଇଥିଲେ। ଯାହାର ପ୍ରତିଶୋଧ ସ୍ୱରୂପ ଭାରତ ବିମାନ ଆକ୍ରମଣ ଦ୍ବାରା ପାକିସ୍ତାନର ବାଲାକୋଟ ସ୍ଥିତ ଜୈସ ଆତଙ୍କବାଦୀ ଶିବିରକୁ ଧ୍ବସ୍ତ କରିଥିଲା। ଯେଉଁଥିରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାପଡିଥିଲା।