‘ଏବେ ପରୀକ୍ଷା କରନ୍ତୁନି’, କେନ୍ଦ୍ରକୁ ନବୀନଙ୍କ ଚିଠି

ଭୁବନେଶ୍ୱର(ଏସ୍ ନ୍ୟୁଜ): ସେପ୍ଟେମ୍ବର ୧ ରୁ ଆରମ୍ଭ ହେବାକୁ ଥିବା ଜେଇ ମେନ୍ ଓ ନିଟ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀର ପ୍ରଭାବକୁ ଦୃଷ୍ଟିରେ ରଖି ସେ ଏ କଥା ଉଠାଇଛନ୍ତି।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଓଡ଼ିଶାର ୫୦ ହଜାର ଛାତ୍ରଛାତ୍ରୀ ନିଟ ଏବଂ ୪୦ ହଜାର ପିଲା ଜେଇ ମେନ୍ ପରୀକ୍ଷା ଦେବେ। ତେବେ ଜାତୀୟ ପରୀକ୍ଷା ସଂସ୍ଥା(NTA) ପକ୍ଷରୁ କେବଳ ସହରାଞ୍ଚଳ ମାନଙ୍କରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଯେଉଁଥିପାଇଁ ଗ୍ରାମାଞ୍ଚଳ ଏବଂ ବିଶେଷ କରି ଓଡ଼ିଶାର ଦୁର୍ଗମ ଆଦିବାସୀ ଅଞ୍ଚଳର ପିଲା ହଇରାଣ ହରକତ ହେବେ। କରୋନା ସଂକ୍ରମଣ ରୋକ ଲାଗି ଲାଗୁ ହେଉଥିବା ସଟଡାଉନ ଏବଂ ଲକଡାଉନ ବ୍ୟବସ୍ଥାକୁ ମୁଖ୍ୟ କାରଣ ବୋଲି ଦର୍ଶାଇଛନ୍ତି ନବୀନ।

ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ପିଲାମାନେ ନିଜେ ଆସି ପରୀକ୍ଷା ଦେବା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ। ଏଣୁ ପରୀକ୍ଷା ତାରିଖକୁ ଏବେ ଘୁଞ୍ଚାଯାଉ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠିରେ ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ। ଏଥିସହ ଭବିଷ୍ୟତରେ ଯେବେ ବି ପରୀକ୍ଷା କରେଇବେ ସେତେବେଳେ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ରଖିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।