ଡିଏସପି ସ୍ତରରେ ଅଦଳବଦଳ, ଏସଟିଏଫରେ ମନୋଜ

ଭୁବନେଶ୍ୱର(ଏସ୍ ନ୍ୟୁଜ): ନିଜର କାର୍ଯ୍ୟଦକ୍ଷତା ପାଇଁ ଭଦ୍ରକ, ବାଲେଶ୍ୱର ପୁଲିସ ପ୍ରଶାସନରେ ବେଶ ସୁନାମ ଅର୍ଜନ କରିଥିବା ବରିଷ୍ଠ ପୁଲିସ ଅଧିକାରୀ ମନୋଜ ରାଉତଙ୍କୁ ଭୁବନେଶ୍ୱର ଏସଟିଏଫର ଡିସିପି ଭାବେ ନୂଆ ଦାୟିତ୍ୱ ମିଳିଛି । ସୋମବାର ରାଜ୍ୟରେ ଡିଏସ୍‌ପି ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଥିବା ବେଳେ ମନୋଜଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି ।

ଆଇନ ଶୃଙ୍ଖଳା ଦୃଷ୍ଟିରୁ ଉତ୍ତର ଓଡ଼ିଶାର ଏହି ଦୁଇ ସମ୍ବେଦନଶୀଳ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟ ତୁଲାଇଥିବା ମନୋଜ ଏସଟିଏଫ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ପୁଲିସ ମହଲରେ ଚର୍ଚ୍ଚା ହେଉଛି ।


ପୁଲିସ ମୁଖ୍ୟାଳୟରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୨୫ ଜଣ ଡିଏସ୍‌ପିଙ୍କୁ ନୁଆ ସ୍ଥାନକୁ ଟ୍ରାନସଫର ହୋଇଛି। ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀରେ ଟ୍ରେନିଂ ନେଉଥିବା ୮ଜଣ ଡିଏସପିଙ୍କୁ ବିଭିନ୍ନ ଜିଲାକୁ ଟ୍ରାନସଫର କରାଯାଇଥିବା ବେଳେ ୧୭ ଜଣ ଡିଏସପି ଅନ୍ୟତ୍ର ସ୍ଥାନକୁ ବଦଳି କରାଯାଇଛି ।

ଖୋର୍ଦ୍ଧାରୁ ବାଲେଶ୍ବରକୁ ବଦଳି ହୋଇଛନ୍ତି ଅନୁପ କାନୁନ୍‌ଗୋ । ସେହିପରି ଭଦ୍ରକ ଧାମନଗର ଏସ୍‌ଡିପିଓ ଭାବେ ଅଶୋକ ଦାସଙ୍କୁ ବଦଳି କରାଯାଇଛି। ବିଧାନସଭାର ସୁରକ୍ଷା ଅଧିକାରୀ ଭାବେ ଗୋପାଳ କୃଷ୍ଣ ବେହେରା, ରାଉରକେଲାର ପାନପୋଷ ଏସ୍‌ଡିପିଓ ଭାବେ ଶାନ୍ତା ନୂତନ ସମାଦ , ବରଗଡ଼ ଏସ୍‌ଡିପିଓ ଭାବେ ଦୀପକ କୁମାର ଗୋଚ୍ଛାୟତ ଏବଂ ନବରଙ୍ଗପୁରର ପାପଡ଼ାହାଣ୍ଡି ଏସ୍‌ଡିପିଓ ଭାବେ ଆଦିତ୍ୟ ସେନଙ୍କୁ ବଦଳି କରାଯାଇଛି।

ସେହିପରି ଭୁବନେଶ୍ବର କମିସନରେଟ ପୁଲିସରେ କାମ କରୁଥିବା ଡିଏସପି ତଥା ଏସିପି ରବିନ୍ଦ୍ର ନାଥ ସତପଥିଙ୍କୁ ଅନୁଗୁଳ ଆଇୟୁସିଏଡବ୍ଲୁ କୁ ଟ୍ରାନସଫର କରାଯାଇଛି। ସେହିପରି ପାନପୋଶ ଡିଏସପି ଅସୀମ ପଣ୍ଡାଙ୍କୁ ମଧ୍ୟ ରାଉଲକେଲା ପିସିଆର ସେଲକୁ ଟ୍ରାନସଫର ହୋଇଛି।