ନୂଆଦିଲ୍ଳୀ: ହିମାଚଳ ପ୍ରଦେଶ ଓ ଗୁଜରାଟ ଭିତରୁ ଜଣେ ମୋଦୀଙ୍କୁ ମୁଣ୍ଡରେ ବସାଇଛି ତ ଆଉ ଜଣେ ଦାୟିତ୍ୱମୁକ୍ତ କରିଛି । ଛୋଟ ରାଜ୍ୟ ହେଲେ ମଧ୍ୟ ହିମାଚଳ ପ୍ରଦେଶ ମୋଦୀଙ୍କୁ ଦ୍ୱିତୀୟ ଥର ପାଇଁ କ୍ଷମତା ଦେଇନି । ଯାବତୀୟ କଳଙ୍କରେ ମଣ୍ଡିତ କଂଗ୍ରେସ ଉପରେ ଭରସା କରିଛି ହିମାଚଳ । ଗୁଜରାଟରେ ବିଜେପିକୁ ଐତିହାସିକ ସଫଳତା ମିଳିଛି କହି ବିଜେପି ଜଣାଇଦେଇଛି ଯେ ୟା’ ପରଠାରୁ ବିଜେପିକୁ ଆଉ ଏତେ ପରିମାଣର ଆସନ ମିଳିବା ରାସ୍ତା ବନ୍ଦ ହୋଇଯାଇଛି ।
ଗୁଜରାଟରେ ଆପ୍କୁ ୫ଟି ଆସନ ମିଳିବାର ଅର୍ଥ କହିସାରିଛନ୍ତି ଅରବିନ୍ଦ କେଜ୍ରିୱାଲ । କେଜ୍ରିୱାଲଙ୍କ ମତରେ ଏଥର ପ୍ରବେଶ କରିବା ଅର୍ଥ ଆସନ୍ତା ପାଳି ସରକାର ଗଠନ । ସମ୍ଭବତଃ କେଜ୍ରିୱାଲଙ୍କ ସଂକେତକୁ ବୁଝି ପାରିଛନ୍ତି ମୋଦୀ । ତେଣୁ ନୂଆଦିଲ୍ଲୀ ବିଜେପି ଅଫିସରୁ ଗୁଜରାଟ ଜନାଦେଶକୁ ଐତିହାସିକ କହିବାକୁ ବାଧ୍ୟ ହୋଇଛନ୍ତି ।
ଆପ୍ ଗତିକୁ ଅନୁଧ୍ୟାନ କଲେ ଜଣାଯାଏ, କଂଗ୍ରେସ ଭୋଟରେ ଭାଗ ବସାଇ ଆପ୍ ଆଗକୁ ମାଡ଼ିଚାଲିଛି । ଗୁଜରାଟ ଓ ହିମାଚଳ ଭୋଟରଙ୍କ ଆଶୀର୍ବାଦ ବଳରେ ଆଗାମୀ ଦିନରେ ଆପ୍ ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ଯୋଗ୍ୟ ବିବେଚିତ ହୋଇଛି ।
୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାର ୧୫୯ ଆସନ ବିଜେପିକୁ ମିଳିଛି । ଏତେ ଆସନ ପାଇ ସରକାର ଗଠନ କରିବା ବିଜେପି ପକ୍ଷେ ଲାଭଦାୟକ । ମାତ୍ର ଗୁଜରାଟ ପାଇଁ ଅଶୁଭ । ସୁସ୍ଥ ଗଣତନ୍ତ୍ର ପାଇଁ ଶକ୍ତିଶାଳୀ ବିରୋଧୀ ଜରୁରୀ । ମାତ୍ର ଗୁଜରାଟ ଓ ଓଡ଼ିଶାର ଭୋଟରଙ୍କଠାରୁ ଶକ୍ତିଶାଳୀ ବିରୋଧୀ ଆଶା କରିବା ବୃଥା । ଏହି ଦୁଇଟି ରାଜ୍ୟର ଭୋଟରମାନେ ମେଣ୍ଢା ମୁଣ୍ଡିଆ । ଯାହା ବୁଝିଥିବେ ସେଇଆ ।
ଗୋଟିଏ ମେଣ୍ଢା ଜୟ ବିଜେଡି କହି ପାଣିକୁ ଡେଇଁଲା ତ ସବୁ ମେଣ୍ଢା ଜୟ ବିଜେଡି କହି ପାଣିକୁ ଡେଇଁବେ । ପରିଣାମ ଯାହା ହେଉନା କାହିଁକି ପାଣିକୁ ଡେଇଁବା ସେମାନଙ୍କର ଜନ୍ମଗତ ଅଧିକାର । ଗୋଟିଏ ମେଣ୍ଢା ଜୟ ବିଜେପି କହି ପାଣିକୁ ଡେଇଁଲା ମାନେ ଅନ୍ୟ ସବୁ ମେଣ୍ଢା ଆଖିବୁଜି ଜୟ ବିଜେପି କହି ପାଣିକୁ ଡେଇଁଲେ ପରିଣାମ ଗୁଜରାଟରେ ବିଜେପିକୁ ୧୫୦ରୁ ଅଧିକ ଆସନ ମିଳିଗଲା ।