ପଦମପୁର ପରାଜୟ ମନ୍ଥନ କରୁ ବିଜେପି

ବିଜେପି ପାଇଁ ଧର୍ମେନ୍ଦ୍ର ଗୋଟିଏ ଦରପୋଡ଼ା କାଠ…..

ଭୁବନେଶ୍ୱର: ସବୁବେଳେ ନବୀନବାବୁଙ୍କ କାମକୁ କଡ଼ା ସମାଲୋଚନା କରିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଅଭ୍ୟାସଗତ ହୋଇଗଲାଣି । ଆବଶ୍ୟକଠାରୁ ଅଧିକ ସମାଲୋଚନା କରିବାର କୁପରିଣାମ ଭୋଗିଛି ବିଜେପି । ବିରୋଧୀ ଦଳରେ ବସିବାର ମାନେ ନୁହେଁ ସବୁବେଳେ ଶାସକ ଦଳର କାମକୁ ପ୍ରତିବାଦ କରିବା । ବିଧାୟକଙ୍କର ଦରମା ଓ ଅନ୍ୟାନ୍ୟ ସୁବିଧା ପ୍ରସଙ୍ଗ ଉଠିଲା ବେଳେ ବିରୋଧୀ ଦଳର ସବୁ ବିଧାୟକ ଗୋଟିଏ ସ୍ୱରରେ ଶାସକ ଦଳକୁ ସମର୍ଥନ କରନ୍ତି, ମାତ୍ର ରାଜ୍ୟବାସୀଙ୍କ ସ୍ୱାର୍ଥ କଥା ଉଠିବା ମାତ୍ରେ ବିରୋଧୀ ଦଳର ସବୁ ବିଧାୟକ ଶାସକ ଦଳକୁ ପ୍ରତିବାଦ କରନ୍ତି । ଏପରି ବ୍ୟତିକ୍ରମ କାହିଁକି?

ରାଜ୍ୟବାସୀ ଏପରି କି ପାପ କରିଛନ୍ତି ଯେ ବିରୋଧୀ ଦଳର ବିଧାୟକ ଗୋଷ୍ଠୀ ସରକାରୀ ବିଲକୁ ସମର୍ଥନ କରିବାକୁ ଉଚିତ ମଣୁନାହାନ୍ତି । ରାଜ୍ୟରେ କଂଗ୍ରେସର ସବୁ ଗଡ଼କୁ ଦଖଲ କରି ସାରିଲାଣି ବିଜେଡି । ବିଜେଡି କବ୍ଜାରୁ ଗୋଟିଏ ବି ଗଡ଼ ଜିତିବାର ଦକ୍ଷତା କଂଗ୍ରେସର ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ପାଖରେ ନାହିଁ । ସତ୍ୟଭୂଷଣ ସାହୁ ଯୋଉ ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି, ସେସବୁ ତାଙ୍କ ପକେଟ୍ ଭୋଟ । ପଦମପୁରରେ କଂଗ୍ରେସର ଭୋଟ ବୋଲି ଖଣ୍ଡିଏ ନାହିଁ । ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ପ୍ରଚାର କରୁଥିବା ବିଜେପିର କୌଣସି ନେତାଙ୍କ ପାଖରେ ପଦମପୁର ଜିତିବାର କୌଶଳ ଜଣା ନାହିଁ ।

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ କରିବାର ଜିଦକୁ ଯେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଜାବୁଡ଼ି ଧରିଥିବେ, ସେ ପର୍ଯ୍ୟନ୍ତ ଓଡ଼ିଶାକୁ ଦଖଲ କରିପାରିବନି ବିଜେପି । ପଦମପୁର ପ୍ରଚାରରେ ବିଜେପିର ସବୁ ଗୋଷ୍ଠୀ ଯୋଗ ଦେଇ ଜଣାଇ ଦେବାକୁ ଚାହୁଁଥିଲେ ‘ମଇଁଷି ଶିଙ୍ଗ ଫଟା ଯୁଝିଲା ବେଳକୁ ଗୋଟା’ । ମାତ୍ର ବିଜେପିର ସବୁ କାରସାଦି ରାଜ୍ୟବାସୀଙ୍କୁ ଜଣା । ବିଜେପି ଓ ଅପରାଜିତା ଷଡ଼ଙ୍ଗୀ ଭିତରୁ କିଏ କାହା ଉପରେ ନିର୍ଭରଶୀଳ? ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିତରୁ କିଏ କାହାର ଦୟାର ପାତ୍ର? ବିଜେପି ଓ ବୈଜୟନ୍ତ୍ର ପଣ୍ଡାଙ୍କ ଭିତରୁ କିଏ କାହାର ଦୟାର ପାତ୍ର? ରାଜ୍ୟର ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଆସନରେ ବସାଇ ବିଜେପି ଭାବୁଛି ରାଜ୍ୟର ସବୁ ଆଦିବାସୀ ଭୋଟ ପାଇଯିବ ।

ବିଜେପିର କୋଉ ଚାଲ ଓଡ଼ିଶାରେ କାମ କରିବନି । ୨୦୧୯ ପରଠାରୁ ରାଜ୍ୟରେ ଯେତେ ସବୁ ଉପ ନିର୍ବାଚନ ହୋଇଛି, ସେଥିଭିତରୁ ବିଜେପି ଗୋଟିଏ ନିଜ ପାଖରେ ରଖିପାରିଲା । ଗୋଟିଏ ବିଜେଡି ହାତକୁ ଟେକିଦେଲା । ବିଜେପି ହାତରୁ ବାଲେଶ୍ୱର ଆସନଟି ଖସିଗଲା । ଧାମନଗର ଆସନଟିକୁ ଜିତିଳା ପରେ ବିଜେପିର ସବୁ ନେତାମାନେ ଉପରମୁହାଁ ହୋଇଗଲେ । ସେମାନଙ୍କର ମୁହଁ ତଳକୁ କରିଦେଲା ପଦମପୁର ।