ସାରା ଓଡ଼ିଶାର ବିଶ୍ୱାସ ଏକା ନବୀନ

ପଦମପୁର ଦଖଲ କରି ପାରିଲାନି ବିଜେପି..

ଭୁବନେଶ୍ୱର: ପଦମପୁର ଉପନିର୍ବାଚନରେ ବିଜେଡିର ବିଜୟ ହୋଇଛି । ବିଜେଡିର ବିଜୟ କହିଲେ ନବୀନ ପଟ୍ଟନାୟକଙ୍କର ବିଜୟ । ନବୀନ ପଟ୍ଟନାୟକଙ୍କ ବିଜୟ ଧାରାକୁ ରୋକିବା ପାଇଁ ବିଜେପିର ବହୁ ତୁଙ୍ଗନେତା ବିଫଳ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କଠାରୁ ଆରମ୍ଭ କରି ମହା ମହାନେତା ନବୀନବାବୁଙ୍କ ଧଳା ପଞ୍ଜାବୀ ଉପରକୁ ଯେତେ କାଦୁଅ ଫିଙ୍ଗିଲେ, କାହାରି କାଦୁଅ ନବୀନବାବୁଙ୍କ ପଞ୍ଜାବୀକୁ ସ୍ପର୍ଶ କରିପାରିନି । ସଂକ୍ଷେପରେ କହିଲେ, ଓଡ଼ିଶାରେ ନବୀନଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଗୌଣ ପ୍ରାୟ ।

ସାରାଦେଶରେ ମୋଦୀଙ୍କ କୁହୁକ କାମ କରିପାରେ ମାତ୍ର ଓଡ଼ିଶାରେ କେବଳ ନବୀନ କୁହୁକ । ପୂର୍ବ ଅବା ପଶ୍ଚିମ, ଚଉଦିଗ ଲୋଡେ଼ ନବୀନ, ଏ ଜବାବ ପଦମପୁର ଭୋଟରଙ୍କର । ବିଜେଡିର ବର୍ଷା ସିଂ ବରିହା ୧ ଲକ୍ଷ ୨୦ ହଜାର ୮୦୭ ଭୋଟ ପାଇଥିଲା ବେଳେ ବିଜେପିର ପ୍ରଦୀପ ପୁରୋହିତ ୭୮ ହଜାର ୧୨୮ ଭୋଟ ପାଇଛନ୍ତି । କଂଗ୍ରେସର ସତ୍ୟଭୂଷଣ ସାହୁଙ୍କୁ ୩୫୯୪, ଅଖିଳ ଭାରତୀୟ ହିନ୍ଦୁ ମହାସଭାକୁ ୩୪୨, ଓଡ଼ିଶା ଜନତା ପାର୍ଟିକୁ ୨୬୬, ସ୍ୱାଧୀନ ପ୍ରାର୍ଥୀ ଉଦିତ ବୋନ୍ଦିଆଙ୍କୁ ୩୯୯, ଗଙ୍ଗାଧର ସାହାଙ୍କୁ ୩୯୭, ଦେବାର୍ଚ୍ଚନ ନାଏକଙ୍କୁ ୫୪୧, ବୃନ୍ଦାବନ ପୁରୋହିତଙ୍କୁ ୫୭୪ ଓ ଶେଷଦେବ ସାହୁଙ୍କୁ ୧୧୬୮ ଭୋଟ ମିଳିଛି ।

ବର୍ଷାଙ୍କ ବିଜୟ ପଛରେ ଅଛନ୍ତି ନବୀନ ପଟ୍ଟନାୟକ । ବିଜେଡିର ସବୁ ବିଧାୟକ ଓ ସାଂସଦ ନବୀନଙ୍କ ବଳରେ ବଳୀୟାନ । ନବୀନ ବାବୁଙ୍କୁ ଛାଡ଼ିଦେଲେ ସେମାନଙ୍କ ପାଖରେ ନିର୍ବାଚନ ଜିତିବାର ଆଉ କୌଣସି ଦକ୍ଷତା କି ଯୋଗ୍ୟତା ନାହିଁ । ସେଇଥିପାଇଁ ବିଜେଡିର ସବୁ ବିଧାୟକ ଓ ସାଂସଦଙ୍କର ଏକମାତ୍ର ଗତି ଓ ମୁକ୍ତିଦାତା ଭିକେ ପାଣ୍ଡିଆନ ।