ନୂଆଦିଲ୍ଲୀ: କୃଷକ ବିଧେୟକକୁ ବିରୋଧ ପ୍ରସଙ୍ଗରେ ସରକାରଙ୍କ ମତ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ କହିଛନ୍ତି ଯେ , ଲୋକସଭାରେ ପାରିତ ହୋଇଥିବା କୃଷି ଚିଠା ସବୁ ଐତିହାସିକ ଅଟେ । ହେଲେ ବିରୋଧୀ ଦଳମାନେ କୃଷକମାନଙ୍କୁ ବିଭ୍ରାନ୍ତ କରାଉଛନ୍ତି । ଵିଵାହାରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଏଭଳି କିଛି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କୃଷିରେ କୃଷକମାନଙ୍କୁ ନୂତନ ସ୍ବାଧୀନତା ପ୍ରଦାନ କରାଯାଇଛି। ଏହାକୁ ନେଇ ଉତ୍ପାଦ ଜିନିଷର ବିକ୍ରୟ କରିବାକୁ ସେମାନେ ଏବେ ଅଧିକ ବିକଳ୍ପ ଓ ସୁଯୋଗ ପାଇବେ। ଏହି ବିଲ୍ ପାରିତ ହେବାରୁ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି। ମଧ୍ୟସ୍ଥମାନଙ୍କ କବଳରୁ ସେମାନଙ୍କୁ ନିରାପଦ ରଖିବାକୁ ଏହି ଆଇନ୍ ପ୍ରଣୟନ କରିବା ଅତ୍ୟାବଶ୍ୟକ ଥିଲା। ଏସବୁ ହେଉଛି କୃଷକମାନଙ୍କର ଢାଲ। କୃଷକ ଓ ଗ୍ରାହକଙ୍କ ମଧ୍ୟରେ ଥିବା ଦୂରତା ଏହି ବିଲ ମାଧ୍ୟମରେ କମିବ । ଫଳରେ କୃଷକଙ୍କ ରୋଜଗାରର ଏକ ବଡ ଭାଗ ଯେଭଳି ଭାବେ ବେପାରୀ ମାନେ ଲୁଟ୍ କରୁଥିଲେ ତାହାକୁ ରୋକିବାରେ ଏହି ବିଧେୟକ ସହାୟକ ହେବ।
ଅନ୍ୟପଟେ ବିରୋଧୀଙ୍କ କଟାକ୍ଷକୁ ସମାଲୋଚନା କରି ମୋଦୀ କହିଥିଲେ ,ଏହି ଚିଠା ଜରିଆରେ ଆମ ସରକାର ଯାହା କରିଛି, କଂଗ୍ରେସ ତା’ର ନିର୍ବାଚନ ଇସ୍ତାହାରେ ସେ ବିଷୟରେ ପ୍ରତିଶ୍ରୁତି ଦେଇଥିଲା। ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି କ୍ଷମତାରେ ରହିଲେ ସେମାନେ ହତାଶ ହୋଇ କୃଷକମାନଙ୍କୁ ବିଭ୍ରାନ୍ତ କରାଇବା ସହ କୃଷି ଚିଠା ବିଷୟରେ ମିଥ୍ୟା ପ୍ରଚାର କରୁଛନ୍ତି।
ଏହି ବିଲ ପାରିତ ହେବା ପରେ ସରକାର କୃଷକ ମାନଙ୍କ ଠାରୁ ଶସ୍ୟ କିଣିବେ ନାହିଁ ବା ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବେ ନାହିଁ ବୋଲି ବିରୋଧୀ ସମାଲୋଚନା କରିଥିଲେ ।ଏହା ବିରୋଧୀଙ୍କ ମନଗଢା କାହାଣୀ । ତେଣୁ ପୂର୍ବ ଭଳି ସରକାରୀ ମଣ୍ଡି ଚାଲୁରହିବ ଓ କୃଷକ ମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ବିକ୍ରି କରିପାରିବେ ବୋଲି ସେ କହିଛନ୍ତି ।