ଭୟଙ୍କର ଆର୍ଥିକ ସଂକଟରେ କଲବଲ ହେଉଥିବା ପାକିସ୍ତାନ ଏବେ ଆଶ୍ୱସ୍ତି ଲାଭ କରିଛି । ପାକିସ୍ତାନ ଓ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ମଧ୍ୟରେ ୩ କୋଟି ଡଲାର ପରିମାଣର ବେଲଆଉଟ୍ ପ୍ୟାକେଜ ବୁଝାମଣା ଶେଷ ହୋଇଛି । ଉକ୍ତ ବୁଝାମଣା ପାକିସ୍ତାନ ପାଇଁ ସଂଜୀବନୀ ଭଳି କାମ କରିଛି । ବୁଝାମଣା ସଂପନ୍ନ ପରେ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆଉ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ନିକଟରୁ ଋଣ କରିବା ଭଳି ସ୍ଥିତି ନଆସୁ । ଏହି ଋଣ ଆମ ପାଇଁ ଶେଷ ଋଣ ହେଉ ବୋଲି ମୋର ଆଶା।
ଆମେ ବାରମ୍ବାର ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ନିକଟରେ ଗୋଡ଼ଭାଙ୍ଗି ଠିଆ ହୋଇଛୁ । ୨୦୦୭ ପରଠାରୁ ତୁର୍କି ଆଉ ଆଇଏମ୍ଏଫ୍ ସହ ବୁଝାମଣା କରିନି । ଗତ ତିନି ମାସରେ ଚୀନ ଆମକୁ ଦେବାଳିଆ ସ୍ଥିତିରୁ ବଂଚାଇଲା । ଚୀନ ପାକିସ୍ତାନକୁ ପ୍ରାୟ ୫ କୋଟି ଡଲାର କରଜ ଦେଇଛି । ଆମର ସଂକଟ ସମୟରେ ଚୀନ ସାହାଯ୍ୟ କରିଥିବାରୁ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଧନ୍ୟବାଦ କହିବାକୁ ଭାଷା ପାଉନି।
ଚୀନ ସହାୟତା ପାଇବା ପରେ ପରେ ସାଉଦି ଆରବ ଆମକୁ ୨ କୋଟି ଡଲାର ଦେବାକୁ ପ୍ରତିଶ୍ରୁତି ଦେଇଛି । ସଂଯୁକ୍ତ ଆରବ ରାଷ୍ଟ୍ରସଂଘ (ୟୁଏଇ) ଆମକୁ ୧ କୋଟି ଡଲାର କରଜ ଦେବାକୁ ରାଜି ହୋଇଛି । ଏସିଆ ବିକାଶ ବ୍ୟାଙ୍କ (ଏଡିବି) କିଛିଦିନ ପୂର୍ବରୁ ଆମକୁ ୧ କୋଟି ଡଲାର କରଜ ଦେବାକୁ ଆଶ୍ୱାସନା ଦେଇଥିଲା।