ଅଣ୍ଡା ଦୋକାନ ଭାଙ୍ଗିଲେ, ଚାକିରିରୁ ବିଦା ହେଲେ ପୁଲିସବାବୁ

ପୁଲିସବାବୁଙ୍କ ଦାଦାଗିରି କ୍ରମେ ବଢ଼ିବଢ଼ି ଚାଲିଛି । ଅଣ୍ଡା ପରସିବାରେ ସାମାନ୍ୟ ଡେରି ହେବାରୁ ରାଗରେ ଲାଲ ପଡ଼ିଗଲେ ଇନସ୍ପେକ୍ଟର ଓ କନଷ୍ଟେବଲ । ଦୋକାନୀର କାକୁତି ମିନତି ନଶୁଣି ଦୋକାନଟିକୁ ଭଙ୍ଗାରୁଜା କରିଛନ୍ତି । ଘଟଣାଟି ନୋଏଡ଼ା ଅଂଚଳର । ଲୋକମାନେ ପୁଲିସର ଦାଦାଗିରିକୁ କଡ଼ା ସମାଲୋଚନା କରିଛନ୍ତି ।

ଥାନା ଅଧିକାରୀ, ହାବିଲଦାର ଓ କନଷ୍ଟେବଲ ତିନିହେଁ ମିଶି ଅଣ୍ଡା ଦୋକାନଟିକୁ ମାଟିରେ ମିଶାଇ ଦେଇଛନ୍ତି । ଘଟଣା ସଂପର୍କରେ ଜାଣିବା ପରେ ପୁଲିସ କମିଶନର ଅଭିଯୁକ୍ତ ତିନି ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିବା ସହିତ ବିଭାଗୀୟ ତଦନ୍ତ ପାଇଁ ଆଦେଶ ଦେଇଛନ୍ତି ।

ସୂଚନା ମୁତାବକ ସୋରଖା ଥାନାଧିକାରୀ ଓମ୍‌ ପ୍ରକାଶ ସିଂ ଅଣ୍ଡା ଖାଇବାକୁ ଇଛା ହେବାରୁ ସେ ହାବିଲଦାର ଆବେଶ ମଲିକ ଓ କନଷ୍ଟେବଲ ମାନବେନ୍ଦ୍ର କୁମାରଙ୍କୁ ସାଙ୍ଗରେ ଧରି ଅଣ୍ଡା ଦୋକାନରେ ପହଂଚିଗଲେ ।
ଚଟାପଟ୍‌ ୧୦ଟି ଅଣ୍ଡା ଖୁଆଇବାକୁ ଦୋକାନୀକୁ କହିଲେ । ୧୦ ଅଣ୍ଡାରୁ ଖୋଳପା ଛଡ଼ାଇବା ଓ ତାକୁ ଥାଳିଆରେ ସଜାଇ ପରସିବାରେ ଟିକେ ଡେରି ହୋଇଯିବାରୁ ଥାନାଧିକାରୀ ରାଗିଗଲେ । ବାସ୍‌, ତା’ପରେ ଯାହା ହେଲା, କହିବା ଦରକାର ନାହିଁ ।

ଅଣ୍ଡା ଦୋକାନୀ ତିନି ପୁଲିସ କର୍ମଚାରୀଙ୍କ କାରନାମାକୁ ଭିଡିଓ ବନାଇ ସୋସିଆଲ ମିଡିଆରେ ଭାଇରାଲ କରିଦେଲା । ବିଜୁଳି ବେଗରେ ଘଟଣାଟି ପୁଲିସ କମିଶନରଙ୍କ କାନରେ ପଡ଼ିଲା ।