ପାକ୍‌ ମହିଳା ସୀମା ‘ଏ ଘର ମାଉସୀ, ସେ ଘର ପିଇସି’

ଦୁଇଦିନ ହେଲାଣି ପାକିସ୍ତାନୀ ମହିଳା ସୀମା ହୈଦର ଓ ତାଙ୍କର ପ୍ରେମିକ ସଚିନଙ୍କୁ ଜେରା କରୁଛି ୟୁପି ଏଟିଏସ । ପ୍ରାୟ ୧୮ ଘଂଟାର ଜେରା କାଳରେ ସୀମା ଅଧିକାଂଶ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି । ପାକିସ୍ତାନୀ ସିମକୁ କାହିଁକି ଭାଙ୍ଗିଲ, ଫୋନରୁ ଡାଟା କାହିଁକି କାଟିଦେଲ ପ୍ରଶ୍ନର ଜବାବରେ ସୀମା ନିରବ ରହୁଛନ୍ତି । ପାକ୍‌ ଗୁପ୍ତଚର ସଂସ୍ଥା ଆଇଏସଆଇ ସହିତ ସୀମାଙ୍କର ଗୋପନୀୟ ସଂପର୍କ ରହିଛି ବୋଲି ଆଇବି ସନ୍ଦେହ କରୁଛି ।

ଗତ କିଛିମାସ ଭିତରେ କିଛି ଭାରତୀୟ ପୁରୁଷ ପାକିସ୍ତାନୀ ସୁନ୍ଦରୀଙ୍କ ମାୟାଜାଲରେ ଫସିଥିବାର ଖବର ସାମ୍ନାକୁ ଆସିଥିବାରୁ ସୀମାଙ୍କ ଉପରେ ଆଇବି ବିଶ୍ୱାସ କରିପାରୁନି । ଭାରତୀୟ ପୁରୁଷଙ୍କୁ ମାୟାଜାଲରେ ଫସାଉଥିବା ପାକ୍‌ ସୁନ୍ଦରୀଙ୍କ ପାଇଁ ଆଇଏସଆଇର କୋଡ୍‌ ନେମ୍‌ ହେଉଛି ‘ଫୁଫି (ପିଇସି)’ ।

ଟଙ୍କା ଦେବାନେବା ପାଇଁ ମଧ୍ୟ କୋଡ୍‌ନେମ୍‌ ବ୍ୟବହାର କରାଯାଉଛି । ସୀମା ଯୋଉ ବାଟ ଦେଇ ଭାରତକୁ ଆସିଲେ, କୋଉ କୋଉ ଲୋକଙ୍କୁ କୋଉଠି କେତେବେଳେ ଭେଟିଲେ, ତା’ର ଟିକିନିଖି ବିବରଣୀ ସଂଗ୍ରହ କରୁଛି ଭାରତ ।
ସୀମା ସାଧାରଣ ମହିଳା ହୋଇଥିଲେ ଭାରତର ଆଇବି ବା ୟୁପି ଏଟିଏସ ଜେରାର ସମ୍ମୁଖୀନ ହୋଇ ଅଧା ଦରମରା ହୋଇସାରନ୍ତାଣି । କିନ୍ତୁ ଆଇବି ଅଧିକାରୀଙ୍କ ପ୍ରଶ୍ନକୁ ସାହସର ହସ ଏଡାଇଯିବା ଭାରତକୁ ବିସ୍ମିତ କରିଛି ।