ଗୋଠ କଲେ ଅଧିକ କ୍ଷତି ସହିବ କଂଗ୍ରେସ

କଥାରେ ଅଛି ଡେଙ୍ଗା ମୁଣ୍ଡରେ ଠେଙ୍ଗା । ଲୋକସଭା ନିର୍ବାଚନ ଆଉ ମାତ୍ର ୮ ମାସ ବାକି । ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ନୀତୀଶ କୁମାର, ମମତା ବାନାର୍ଜୀ, ଲାଲୁ ଯାଦବ, ଶରଦ ପୱାରଙ୍କ ଭଳି ବିଭିନ୍ନ ଆଂଚଳିକ ଦଳର ନେତାମାନେ ମେଂଟ କରିବାକୁ ଯେତିକି ଆଗଭର; କଂଗ୍ରେସର ପତିଆରାକୁ କ୍ଷୁର୍ଣ୍ଣ କରିବାକୁ ସେତିକି ଆଗୁଆ । ଏମିତି ପରିସ୍ଥିତିରେ କଂଗ୍ରେସ ପାଖରେ ଅନ୍ୟ କିଛି ଚାରା ନାହିଁ । ବେଙ୍ଗାଲୁରୁ ଆଲୋଚନା ଚକ୍ରରେ ୟୁପିଏର ନାମ ପରିବର୍ତନ କରି ଇଣ୍ଡିଆ ରଖାଯିବାରୁ ଅଧିକାଂଶ ଆଂଚଳିକ ଦଳ କ୍ଷୋଭ ପ୍ରକାଶ କରିଛନ୍ତି । ଏପରିକି ଖୋଦ ରାହୁଲ ଗାନ୍ଧୀ ମଧ୍ୟ ଇଣ୍ଡିଆର ନେତୃତ୍ୱ ନେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ।

ଇଣ୍ଡିଆ ଅର୍ଥାତ୍‌ ଇଣ୍ଡିଆନ ନ୍ୟାସନାଲ ଡେଭଲେପମେଂଟ ଇନକ୍ଲିସିଭ ଆଲାଏନ୍ସ । ଗୋଠର ନାମ ବଦଳାଇ ଦେଲେ କ’ଣ ହେବ? ୨୦୨୪ ଲୋକସଭା ନିର୍ବାଚନରେ ମୋଦିଙ୍କୁ କୋଉ ନେତା ସାମ୍ନା କରିବେ, ତାକୁ ନେଇ ଚୁଡ଼ାନ୍ତ ନିଷ୍ପତି ନିଆଯାଇନି । ବିରୋଧୀ ମେଂଟର ଆଗାମୀ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ । ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ୨୬ଟି ଦଳ ଏକାଠି ହୋଇଛନ୍ତି । କଂଗ୍ରେସ ନେତୃତ୍ୱାଧୀନ ଗୋଠର ମେଂଟ ଧର୍ମ ପରିଚାଳନା ପାଇଁ ୧୧ ଜଣିଆ ସମନ୍ୱୟ କମିଟି ଗଠନ କରାଯାଇଛି । ନୂଆଗୋଠର ନୂଆ ଅଫିସ୍‌ ଦିଲ୍ଲୀରେ ଖୋଲାଯିବ ।
ବୈଠକ ଶେଷ ହେବା ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଲାଲୁ, ତେଜସ୍ୱୀ ଅନୁପସ୍ଥିତ ଥିଲେ । ବୈଠକର କିଛି ନିଷ୍ପତିକୁ ନୀତୀଶ ନାପସନ୍ଦ କରିଛନ୍ତି ବୋଲି ଶୁଣିବାକୁ ମିଳିଛି । ନୂଆ ଗୋଠକୁ ଦକ୍ଷତାର ସହ ପରିଚାଳନା କରିବା କଂଗ୍ରେସ ପାଇଁ କାଠିକର ପାଠ ହେବ । ବିରୋଧୀ ଗୋଠରେ ପ୍ରଧାନମନ୍ତ୍ରୀ ଦାବିଦାର ବହୁତ । ଶରଦ ପୱାର, ନୀତୀଶ କୁମାର, ମମତା ବାନାର୍ଜୀ, ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିୱାଲଙ୍କ ଭଳି ନେତାମାନେ ପ୍ରଧାନମନ୍ତ୍ରୀ ଦୌଡ଼ରେ ସାମିଲ ହୋଇପାରନ୍ତି ।

ପୂର୍ବରୁ କଂଗ୍ରେସ ଗୋଠରେ ୧୭ଟି ଦଳ ଥିଲେ । ଏବେ ଆଉ ୮ଟି ନୂଆ ଦଳ ସାମିଲ ହୋଇଛନ୍ତି । ଆଂଚଳିକ ଦଳର ସହଯୋଗ ବିନା କଂଗ୍ରେସ ଲୋକସଭା ନିର୍ବାଚନକୁ ସାମ୍ନା କରିପାରିବନି । ଆସନ ବଂଟା, ପ୍ରାର୍ଥୀ ଚୟନ, ଆଂଚଳିକ ଦଳର ସ୍ୱାର୍ଥ ଭଳି କେତୋଟି ଦିଗକୁ ଦୃଷ୍ଟି ଦେବାକୁ ପଡ଼ିବ । ନୂଆ ଗୋଠ ପାଇଁ ପ୍ରସ୍ତୁତି ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୋଲାଖୋଲି କହିଥିଲେ ଯେ କଂଗ୍ରେସ ଯୋଉ ରାଜ୍ୟରେ ସରକାର ଗଠନ କରିଛି, ସେହି ରାଜ୍ୟରେ ପୁରା ଦମ୍‌ରେ ଲଢୁ, ଆମେ ସମର୍ଥକ କରିବୁ । ମାତ୍ର ଯୋଉ ରାଜ୍ୟରେ ବିରୋଧୀ ଭାବେ ରହିଛି, ସେଠାରେ ଆଂଚଳିକ ଦଳ ପାଇଁ ବାଟ ଛାଡ଼ିଦେବା ଉଚିତ ହେବ । ମମତାଙ୍କର ଏହି ମନ୍ତବ୍ୟରୁ ନୂଆଗୋଠରେ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ପ୍ରତୀୟମାନ ହେଲାଣି ।