ମୁଖ୍ୟମନ୍ତ୍ରୀଙ୍କ ଚେଲା ହେବା ଗୌରବର କଥା

ଆଉ କିଏ ହୋଇଛନ୍ତି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡୋନେସିଆର ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କର କୋଳପୋଛା ପୁଅ ନବୀନ । ତାଙ୍କର ପାଦରୁ ଧୂଳି ଟିକିଏ ପାଇବା ଅତି ସୌଭାଗ୍ୟର କଥା । ତାଙ୍କରି ଭଳି ଜଣେ କରିତକର୍ମା ମୁଖ୍ୟମନ୍ତ୍ରୀଙ୍କର ଚେଲା ବୋଲି ମିଶନ ଶକ୍ତିର କିଛି ମହିଳା କହିଦେଲେ ତ କ’ଣ ହୋଇଗଲା ସେଇଠୁ । ଆଇଏଏସ୍‌ ପାଇ ଲୋକଙ୍କ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି ଭିକେ ପାଣ୍ଡିଆନ । ତେଣୁ ଲୋକମାନେ ଯଦି ତାଙ୍କୁ ନବୀନ ବାବୁଙ୍କ ଚେଲା କହୁଛନ୍ତି, ସେଥିରେ ଖରାପ ଭାବିବାର କିଛି ନାହିଁ ।

ଓଡ଼ିଶାର ପାୱାର ପଏଂଟ ନିକଟରେ ରହି ରାଜ୍ୟକୁ ପରିଚାଳନା କରିବା ସବୁଠାରୁ ବଡ଼କଥା । ସେତିକି କରିପାରିଲେ ଆଇଏଏସ ପଦବୀର ଯଥାର୍ଥତା ରହିବ । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ମୁଣ୍ଡରେ ବଡ଼ି, ପାମ୍ପଡ଼, ଦାନ୍ତକିଡି, ଆଚାର ତିଆରି କରିବା ବୁଦ୍ଧି । ବାଦୁଡି ଗୋଟିଏ ପକ୍ଷୀ ନା ୟେ ମିଶନ ଶକ୍ତିର ମହିଳାମାନେ ଜଣେଜଣେ ବିଦୁଷୀ ।

ବାବୁ ପାଣ୍ଡିଆନ କେତେ ପାଠ ପଢ଼ି ଆଇଏଏସ୍‌ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ମସୌରୀ କର୍ମଶାଳାରୁ କଳାକୁ ଧଳା ଓ ଧଳାକୁ କଳା କରିବାର କୌଶଳ ହାସଲ କରି ଆଜି ମୁଖ୍ୟମନ୍ତ୍ରୀଙ୍କର ପାଖ ଲୋକ ହୋଇପାରିଛନ୍ତି, ସେ ବିଷୟରେ ୟେ ଅଧାପାଠୁଆ ମହିଳାମାନେ କ’ଣ ବୁଝିବେ? ଏମିତି ଚେଲାଗିରି କରି ବାବୁ ରାଜକୋଷଟାକୁ ବିଜେଡିର ସିନ୍ଦୁକ କରି ସାରିଲେଣି ।

କଥା କ’ଣ କି? ୫ଟି ମୁଖିଆ ପାଣ୍ଡିଆନ ନୟାଗଡ଼ ଜିଲ୍ଲା ଗସ୍ତ କରିଥିଲେ । ଦଶପଲ୍ଲା ନେତାଜୀ ପଡ଼ିଆରେ ହେଲିକପ୍ଟରଟିଏ ଅବତରଣ କଲା । ଉପସ୍ଥିତ ଜନତା ଭାବିଲେ ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି । କିନ୍ତୁ ସମସ୍ତଙ୍କୁ ଆଚମ୍ବିତ କରି ହେଲିକପ୍ଟରରୁ ଓହ୍ଲାଇଥିଲେ ପାଣ୍ଡିଆନ । ଚଗଲା ଟୋକାଟେ ଦେଖି ଦେଇ କହି ପକାଇଲା, ଆରେ ନାଇଁରେ ମୁଖ୍ୟମନ୍ତ୍ରୀ ନୁହନ୍ତି, ଭିଲିଆନ୍‌ ପାଣ୍ଡିଆନ ଆଇଛି । ତାଙ୍କ କଥା ଶୁଣି ଜଣେ ମହିଳା କହିଲେ, ‘ଇଏ କିଏ ଲୋ ମା’ । ଆମେ ନବୀନବାବୁକୁ ଦେଖିବାକୁ ଆଇଥିଲୁ । ୟେ କ’ଣ ଆଇଚି ।’ ତାଙ୍କ କଥା ଶୁଣି ଆଉ ଜଣେ ମହିଳା କହିଲେ, ‘ଥାଉ ଲୋ ବଡ଼ପାଟି କରେନା । କିଏ ଶୁଣିଲେ ଖରାପ ଭାବିବ । ଖାଇବାକୁ ଆଇଛୁ, ଖାଇ ପିଇ ଟଙ୍କା ଧରି ଆପଣା ବାଟରେ ପଳେଇବା । ୟେ ନବୀନବାବୁ ଆସୁ ଅବା ତା’ର ଚେଲା । ଆମର ସେଥିରେ ମୁଣ୍ଡ ଖେଳାଇବାର ନାହିଁ ।’