ଏଠି ପିଏଚଡି ପାଇବା ସହଜ, ମାତ୍ର ସରକାରୀ ଚାକିରି!

୭୫ ବର୍ଷ ତଳକୁ ଚାଲିଯାନ୍ତୁ, ଗାଁ ଗହଳିରେ ପିଲାଟିଏ ତୃତୀୟ ଶ୍ରେଣୀରେ ମ୍ୟାଟ୍ରିକ ପାସ କଲେ ମଧ୍ୟ ସମସ୍ତଙ୍କଠାରୁ ପ୍ରଶଂସା ଶୁଣୁଥିଲା । ଯାହା ହେଉ, ଅମୁକ ବାବୁର ପିଲାଟା ମ୍ୟାଟ୍ରିକ୍‌ ପାସ କରିଗଲା, ସରକାରୀ ଚାକିରିଟିଏ କରିଦେଲେ, ତା’ର ବାପାର ଦୁଃଖ ଚାଲିଯିବ । ମ୍ୟାଟ୍ରିକ ପାସ ପିଲାଟିକୁ ସରକାରୀ ସିରସ୍ତାରେ ସହଜରେ କିରାଣୀ ପଦଟିଏ ମିଳିଯାଉଥିଲା । ସେଇ କିରାଣୀରୁ ବରିଷ୍ଠ କିରାଣୀ, ବରିଷ୍ଠ କିରାଣୀରୁ ସେକ୍ସନ୍‌ ଅଫିସର । ସେକ୍ସନ୍‌ ଅଫିସରରୁ ଅଣ୍ଡର ସେକ୍ରେଟେରୀ ହୋଇ ଅବସର ଗ୍ରହଣ କରିବାର ସରଳ ବାଟ । ଅବସରକାଳୀନ ପେନସନ୍‌ ଟଙ୍କାରେ ବୁଢ଼ା ବୟସଟା ଆରାମରେ କଟିଯିବ । ଯେତେଦିନ ପେନସନ୍‌ ପାଉଥିବ, ପୁଅବୋହୁ, ନାତିନାତୁଣୀ ମୁଣ୍ଡରେ ବସାଇଥିବେ ।

୭୫ ବର୍ଷ ପରେ ଆଜି ସବୁକିଛି ବଦଳିଯାଇଛି । ମ୍ୟାଟ୍ରିକ, ଯୁକ୍ତ ଦୁଇ, ଯୁକ୍ତତିନି, ପିଜି, ପିଏଚଡି ସବୁ ପଢ଼ା ସରିଗଲା ପରେ ମଧ୍ୟ ସରକାରୀ ପିଅନ ଚାକିରିଟିଏ ମିଳୁନି । ଦୁଇବର୍ଷ ତଳେ କଟକ ବାରବାଟୀ ଷ୍ଟାଡିୟମରେ ପିଅନ ପଦବୀ ପାଇଁ ଅନୁଷ୍ଠିତ ସାକ୍ଷାତକାର ପରୀକ୍ଷାକୁ ୮୦ ଜଣ ପିଏଚଡି ପାଇଥିବା ଯୁବକ ଆସିଥିଲେ ।

ପକେଟରେ ପୁଳାପୁଳା ଟଙ୍କା ଧରି ରାଜଧାନୀ ବୁଲିଗଲେ ମଧ୍ୟ ସରକାରୀ ଚାକିରି ମିଳୁନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ଯେତିକି ସରକାରୀ କର୍ମଚାରୀ ଅବସର ଗ୍ରହଣ କରି ସାରିଲେଣି; ସେହି ପଦବୀଗୁଡ଼ିକ ଖାଲି ପଡ଼ିଛି । ରାଜକୋଷରେ ଟଙ୍କା ନାହିଁ କହି ପଦବୀଗୁଡ଼ିକ ପୂରଣ କରାଯାଉନି ।

ମାତ୍ର ପୁଳାପୁଳା ଯୋଜନା ଆଳରେ ରାଜକୋଷକୁ ଖୋଳ କରି ଦିଆଯାଉଛି । ସରକାରୀ ଅଫିସରେ କର୍ମଚାରୀଙ୍କ ସଂଖ୍ୟା କମି ଯାଉଥିବାରୁ ଆଲମିରା ଆଲମିରା ଭର୍ତି ଫାଇଲ ଜମା ରହିଛି । କାର୍ଯ୍ୟରତ କର୍ମଚାରୀଙ୍କ ଉପରେ କାମର ଚାପ ରହୁଛି ।

ରାଜ୍ୟରେ ବେରୋଜଗାର ଶିକ୍ଷିତ ଯୁବକ ଯୁବତୀଙ୍କ ସଂଖ୍ୟା ୬୦ ଲକ୍ଷ ଟପିଲାଣି । ଯୋଉ ଗାଁକୁ ଯିବ, ଶତାଧିକ ଗ୍ରାଜୁଏଟ୍‌ । ନବୀନ ପଟ୍ଟନାୟକ କହୁଛନ୍ତି, ଗାଁ ଛାଡ଼ି ଶିକ୍ଷିତ ଯୁବକ ଯୁବତୀ ସହରକୁ ଆସିବା ଦରକାର ନାହିଁ । ପ୍ରଶାସନ ଆପଣଙ୍କ ଦୁଆର ମୁହଁରେ ପହଂଚି ନିଯୁକ୍ତି ପତ୍ର ଧରାଇବ । ଆପଣଙ୍କ ହାନିଲାଭ ବୁଝିବ । ନବୀନବାବୁଙ୍କ କଥାର ପାଣିର ଗାର ବୋଲି ବୁଝିବାକୁ ଆଉ ବାକି ନାହିଁ ।