ସରିଲା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ; ଇଭିଏମ୍ ରେ ହେଲା ନେତାଙ୍କ ଭାଗ୍ୟ ସିଲ।

ସାକସି ନ୍ୟୁଜ୍ ବ୍ୟୁରୋ: ନିଜ ନେତା ବାଛିଲେ ଦକ୍ଷିଣ ଓଡ଼ିଶାବାସୀ। ଆଜି ରାଜ୍ୟରେ ଥିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ ଲୋକସଭା ୨୮ ବିଧାନସଭା ଆସନରେ ହୋଇଛି ଭୋଟ ଗ୍ରହଣ। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ସଂସଦୀୟ କ୍ଷେତ୍ର ରେ ମତାଧିକାର ସାବ୍ୟସ୍ତ କରିଛନ୍ତି ୬୨ ଲକ୍ଷ ୮୭ ହଜାର ୨୨୨ ଭୋଟର। ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ୬୭.୦୭ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ପଡିଛି ୬୫.୦୭ ପ୍ରତିଶତ ଭୋଟ ।

ସେହିପରି କୋରାପୁଟ ସଂସଦୀୟ କ୍ଷେତ୍ରରେ ୬୧.୪୩ ପ୍ରତିଶତ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିଛନ୍ତି । ସବୁଠୁ କମ୍ ଭୋଟ ପଡିଛି ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ । ସଂଧ୍ୟା ୫ଟା ସୁଦ୍ଧା ସେଠାରେ ଭୋଟ ଦେଇଛନ୍ତି ମାତ୍ର ୫୮ ପ୍ରତିଶତ ଭୋଟର । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଧର୍ମଗଡ଼, ଜୁନାଗଡ଼ ଓ ନର୍ଲାରେ ୭୦ ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି । ନବରଙ୍ଗପୁରର ଡାବୁଗାଁ ବିଧାନସଭାରେ ସଂଧ୍ୟା ୫ଟା ସୁଦ୍ଧା ସର୍ବାଧିକ ୭୧.୩୦ ପ୍ରତିଶତ ଭୋଟ ପଡିଛି ।

ଗଣତନ୍ତ୍ରର ଏହି ମହାପର୍ବରେ ନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସାମିଲ ହୋଇ ୭୩୦୩ ବୁଥ୍ ରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ଗାଁଠୁ ସହର, ଉପାନ୍ତଠାରୁ ମାଓ ପ୍ରବଣ ଅଂଚଳ ସବୁଠି ପଡ଼ିଛି ଭୋଟ । କିଛି ଅଂଚଳରେ ହିଂସା, କିଛି ସ୍ଥାନରେ ଭୋଟ ରିଗିଂ ଅଭିଯୋଗ ମଧ୍ୟ ଆସିଛି ।

ଝରିଗାଁର ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ କିଛି ଯୁବକ ଟଣା ଓଟରା କରି ମାଡ ମାରିଛନ୍ତି । ବୁଥ୍ କ୍ୟାପଚରିଂ ହେଉଥିବା ଖବର ପାଇ ବୁଥକୁ ଯାଉଥିବାବେଳେ କିଛି ଯୁବକ ତାଙ୍କୁ ଆକ୍ରମଣ କରିଛନ୍ତି । ଏନେଇ ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରା ଥାନାରେ ଏତଲା ଦେଇଛନ୍ତି । ସେହିପରି ଚିକିଟି ନିର୍ବାଚନ ମଣ୍ଡଳୀର ଅନେକ ସ୍ଥାନରୁ ଆସିଛି ହିଂସାର ଏକାଧିକ ଖବର । ଉଭୟ ବିଜେଡି-ବିଜେପି ଗୋଷ୍ଠୀ ହାତାହାତି ହୋଇଛନ୍ତି । ଦିଗପହଣ୍ଡି ବ୍ଲକ ଜକର ପଂଚାୟତ ତେଣ୍ଡୁଆପଡା ଗାଁରେ ମଧ୍ୟ ବିଜେପି ଏଜେଂଟଙ୍କୁ ବାହାର କରି ବିଜେଡି ବୁଥ୍ କ୍ୟାପଚରିଂ କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଗଞ୍ଜାମର ତିନି ଜଣ ପୁଲିଂ ଅଧିକାରୀ କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କାର୍ଯ୍ୟରୁ ନିଲମ୍ବନ ସହ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

୪ ଲୋକସଭା ଓ ୨୮ ବିଧାନସଭା ପାଇଁ ୩୨ ଜଣ ନେତାଙ୍କୁ ବାଛିଛନ୍ତି ଜନତା । ଯେଉଁ ନେତାଙ୍କ ପଲା ଭାରି ସେମାନଙ୍କ ଛାତି ଯେତିକି ଧଡ଼ପଡ଼ ହୋଇଛି, ସେତିକି ଦ୍ୱନ୍ଦ୍ୱରେ ରହିଛନ୍ତି ଟିକେ ପଛରେ ପଡିଥିବା ନେତା । କାରଣ ଜନତା କାହା ଉପରେ ଭରସା କରିଛନ୍ତି, କାହାକୁ ବିଜୟର ଟିକା ପିନ୍ଧାଇଛନ୍ତି, ସବୁକିଛି ସିଲ୍ ହୋଇ ଯାଇଛି ଇଭିଏମରେ । ଜୁନ ୪ରେ ଆସିବ ଫଳାଫଳ ।