ମୁମ୍ବାଇ: ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପାୟଲ ଘୋଷ। ସେ ଏନେଇ ମୁମ୍ବାଇ ପୋଲିସ ନିକଟରେ ଲିଖିିତ ଅଭିଯୋଗ ମଧ୍ୟ କରାଇଛନ୍ତି। ଇତିମଧ୍ୟରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି ପାୟଲ। ଆଜି ସେ ମହାରାଷ୍ଟ୍ର ରାଜ୍ୟପାଳ ଭଗତି ସଂ କୋଶ୍ୟାରୀଙ୍କୁ ସାକ୍ଷାତ କରି ‘Y’ ଶ୍ରେଣୀ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରିଛନ୍ତି।
ଏହି ଖବରଟି ଏବେ ବି ଟାଉନ ସମେତ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଛି। ଘଟଣାଟିକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କଶ୍ୟପଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ଅନଶନରେ ବସିବେ ବୋଲି କହିସାରିଛନ୍ତି ପାୟଲ। ତାଙ୍କୁ ଏହି ମାମଲାରେ କେନ୍ଦ୍ର ସାମାଜିକ ନ୍ୟାୟ ରାଷ୍ଟ୍ର ମନ୍ତ୍ରୀ ତଥା ଆରପିଆଇ ନେତା ରାମଦାସ ଆଠାୱଲେ ମଧ୍ୟ ସମର୍ଥନ ଜଣାଇଛନ୍ତି। ଆଜି ନିଜ ଓକିଲ ନିତିନ୍ ସାତପୁତେ ଏବଂ ମନ୍ତ୍ରୀ ଅଠାୱଲେଙ୍କ ସହ ଯାଇ ପାୟଲ ରାଜ୍ୟପାଳଙ୍କୁ ଭେଟିଥିଲେ।
ଇତିମଧ୍ୟରେ ପାୟଲ ଘୋଷଙ୍କ ଏଫଆଇଆର ଆଧାରରେ ମୁମ୍ବାଇ ପୋଲିସ ଅନୁରାଗ କଶ୍ୟପଙ୍କୁ ସମନ ଜାରି କରିଛି। ତାଙ୍କୁ ଖୁବଶୀଘ୍ର ପଚରାଉଚରା କରାଯିବ। ତେବେ ଏଯାଏଁ କାହିଁକି ତାଙ୍କୁ ମୁମ୍ବାଇ ପୋଲିସ ଗିରଫ କଲାନାହିଁ ବୋଲି ପ୍ରଶ୍ନ କରିଛନ୍ତି ପାୟଲ।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ କଙ୍ଗନା ରାଣାୱତଙ୍କ କାର୍ଯ୍ୟାଳୟ ବିଏମସି ଭାଙ୍ଗିବା ପରେ ସେ ରାଜ୍ୟପାଳଙ୍କୁ ଭେଟିଥିଲେ। ପୂର୍ବରୁ ତାଙ୍କୁ ମନ୍ତ୍ରୀ ଅଠାୱଲେ ଭେଟି ସମର୍ଥନ ଜଣାଇଥିଲେ ଏବଂ କେନ୍ଦ୍ର ସରକାର ମଧ୍ୟ ତାଙ୍କୁ ‘Y’ ଶ୍ରେଣୀ ସୁରକ୍ଷା ପ୍ରଦାନ କରିଛନ୍ତି।