ଆରସିବିର ବୋଲିଂକୁ ଭରସା କରିହେବନି: ସେହ୍ୱାଗ

ନୂଆଦିଲ୍ଲୀ: ‘ଜୀବନରେ ସମସ୍ତଙ୍କର ଅଧିକାର ରହିଛି କାହାକୁ ବିଶ୍ୱାସକୁ ନେବେ କାହାକୁ ନାହିଁ। ହେଲେ ଗୋଟିଏ ଜିନିଷ, ଯାହା ଜଣେ କେବେ ବି ଜୀବନରେ ବିଶ୍ୱାସକୁ ନ ନେବା ଦରକାର ତାହା ହେଉଛି ଆରସିବିର ଡେଥ୍ ଓଭର ବୋଲିଂ। କାହିଁକି ନା ଯେଉଁ ମ୍ୟାଚଟିକୁ ସେମାନେ ସହଜରେ ଜିତି ପାରିଥାନ୍ତେ ତାକୁ ସୁପର ଓଭର ପର୍ଯ୍ୟନ୍ତ ନେଇଗଲେ’ ସୋମବାରର ଆଇପିଏଲ ମ୍ୟାଚକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହ୍ୱାଗ ଏହି କଥା କହିଛନ୍ତି।

ଇଣ୍ଡିଆ ଟୁଡେକୁ ସେହ୍ୱାଗ ଏହାମଧ୍ୟ କହିଛନ୍ତି ଯେ, କେବଳ ନବଦୀପ ସୈନିଙ୍କ ଭଲ ବୋଲିଂ ଯୋଗୁଁ ବାଙ୍ଗାଲୋର ସୁପର ଓଭରରେ ମ୍ୟାଚ୍ ଜିତିଲା। ହେଲେ ଡେଥ୍ ଓଭରରେ ବାଙ୍ଗାଲୋର ବୋଲରଙ୍କ ଖରାପ ବୋଲିଂ ପ୍ରଦର୍ଶନ ଯୋଗୁଁ ମ୍ୟାଚ୍ ସୁପର ଓଭର ପର୍ଯ୍ୟନ୍ତ ଗଲା। ଏହାସହ ସେ ଦେବଦୂତ ପାଡ଼ିକଲଙ୍କ ପ୍ରଦର୍ଶନକୁ ବେଶ ପ୍ରଶଂସା କରିଛନ୍ତି। ଆରସିବି ବିଗତ କିଛି ବର୍ଷ ଧରି ଯେଉଁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ଅନ୍ୱେଷଣରେ ଥିଲା ପାଡ଼ିକଲ ସେ ସ୍ଥାନରେ ଯୋଗ୍ୟ ବିବେଚିତ ହୋଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା ଚଳିତ ଆଇପିଏଲର ଦଶମ ମ୍ୟାଚ୍। ପ୍ରଥମେ ବ୍ୟାଟିଂ କରି ଆରସିବି ମାତ୍ର ୩ ୱିକେଟ ହରାଇ ୨୦୧ ରନ ସ୍କୋର କରିଥିଲା। ଦଳୀୟ ବୋଲର ମୁମ୍ବାଇକୁ ପ୍ରାରମ୍ଭିକ ଝଟକା ଦେବାରେ ମଧ୍ୟ ସକ୍ଷମ ହୋଇଥିଲେ। ତେବେ ଶେଷ ୪ ଓଭରରେ ପୋଲାର୍ଡ଼ ଏବଂ ଇଶାନ କିଶନଙ୍କ ଧୁଆଁଦାର ବ୍ୟାଟିଂ ଯୋଗୁଁ ମ୍ୟାଚ୍ ସୁପର ଓଭରରେ ପହଞ୍ଚିଥିଲା। ଅବଶ୍ୟ ସୁପର ଓଭରରେ ବାଙ୍ଗାଲୋର ମ୍ୟାଚଟିକୁ ଜିତି ନେଇଥିଲା।