ପ୍ରଧାନମନ୍ତ୍ରୀ ଗୋଆର ମୋପାଠାରେ ଗ୍ରିନଫିଲ୍ଡ ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗୋଆରେ ମୋପା ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିଛନ୍ତି । ୨୦୧୬ ନଭେମ୍ବରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ବିମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ୨,୮୭୦ କୋଟି ଟଙ୍କା ବ୍ୟୟରେ ବିକଶିତ ଏହି ବିମାନବନ୍ଦର ସ୍ଥାୟୀ ଭିତ୍ତିଭୂମି ପ୍ରକରଣ ଆଧାରରେ ନିର୍ମିତ ହୋଇଛି ଏବଂ ଏଥିରେ ଏକ ସୌର ଶକ୍ତି ପ୍ଲାଣ୍ଟ, ପରିବେଶ ଅନୁକୂଳ ଭବନ, ରନୱେରେ ଏଲ୍ଇଡି ଲାଇଟ୍, ବର୍ଷାଜଳ ଅମଳ, ରିସାଇକ୍ଲିଂ ବ୍ୟବସ୍ଥା ସହ ଷ୍ଟେଟ-ଅଫ-ଦି-ଆର୍ଟ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ଏହିଭଳି ଅନ୍ୟ ସୁବିଧା ଆଦି ରହିଛି । ପ୍ରାଥମିକ ଭାବେ, ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ବାର୍ଷିକ ପ୍ରାୟ ୪.୪ ନିୟୁତ ଯାତ୍ରୀ(ଏମପିପିଏ)ଙ୍କୁ ସେବା ପ୍ରଦାନ କରିବ, ଯାହା କି ୩୩ ଏମପିପିଏ କ୍ଷମତାକୁ ସମ୍ପ୍ରସାରଣ ହୋଇପାରିବ ।

 

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଗୋଆ ଏବଂ ଦେଶର ସମସ୍ତ ନାଗରିକଙ୍କୁ ମୋପାରେ ଗ୍ରିନଫିଲ୍ଡ ବିମାନବନ୍ଦର ଉଦଘାଟନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଗୋଆକୁ ବିଗତ ୮ ବର୍ଷରେ ନିଜ ଗସ୍ତକୁ ମନେପକାଇ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗୋଆର ଲୋକଙ୍କ ଦ୍ୱାରା ତାଙ୍କୁ ଦିଆଯାଇଥିବା ସ୍ନେହ ଓ ଭଲପାଇବାକୁ ବିକାଶ ଆକାରରେ ସୁଧ ସହିତ ପରିଶୋଧ କରାଯିବ । ସେ କହିଛନ୍ତି, ‘‘ବିକଶିତ ବିମାନବନ୍ଦର ଟର୍ମିନାଲ ହେଉଛି ଉକ୍ତ ଅନୁଗ୍ରହ ଫେରାଇବା ପାଇଁ ଏକ ଉଦ୍ୟମ ।’’ ସ୍ୱର୍ଗତ ମନୋହର ପାରିକରଙ୍କ ନାମରେ ବିମାନବନ୍ଦରର ନାମକରଣ ହୋଇଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ ।

 

ଅତୀତରେ ସରକାରଙ୍କ ଦ୍ୱାରା ଭିତ୍ତିଭୂମି ବିକାଶ ପ୍ରତି ଦୃଷ୍ଟିକୋଣ ଉପରେ ଟିପ୍ପଣୀ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନାଗରିକଙ୍କ ଆବଶ୍ୟକତା ପରିବର୍ତ୍ତେ ଭୋଟ ବ୍ୟାଙ୍କ ପ୍ରଥମ ପ୍ରାଥମିକତା ଥିଲା । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ହଜାର ହଜାର କୋଟି ଟଙ୍କା ସେହି ପ୍ରକଳ୍ପଗୁଡ଼ିକ ଉପରେ ଖର୍ଚ୍ଚ ହୋଇଥିଲା, ଯାହାର ଆବଶ୍ୟକତା ବି ନ ଥିଲା । ପରିଣାମସ୍ୱରୂପ, ଯେଉଁ ସ୍ଥାନଗୁଡ଼ିକୁ ଭିତ୍ତିଭୂମି ବିକାଶର ଅତି ଜରୁରି ଥିଲା, ସେଗୁଡ଼ିକ ଅବହେଳିତ ରହିଥିଲା । ସେ କହିଛନ୍ତି, ‘‘ଗୋଆ ଅନ୍ତର୍ଜାତୀୟ ବିମାନବନ୍ଦର ଏହାର ଏକ ସ୍ପଷ୍ଟ ଉଦାହରଣ ଅଟେ ।’’ ଏହି ବିମାନବନ୍ଦର ପାଇଁ ପ୍ରଥମେ ଯୋଜନା କରିଥିବା ଅଟଳ ବିହାରୀ ବାଜପେୟୀଙ୍କ ସରକାରକୁ ମନେପକାଇ ପ୍ରଧାନମନ୍ତ୍ରୀ ତାଙ୍କ ସରକାର କ୍ଷମତାରୁ ବାହାରିବା ପରେ ଉଦ୍ୟମରେ ହୋଇଥିବା ଅଭାବବୋଧକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ପ୍ରକଳ୍ପ ଅନେକ ବର୍ଷ ପର୍ଯ୍ୟନ୍ତ ଅଧୁରା ରହିଯାଇଥିବା ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି ୨୦୧୪ରେ ଡବଲ ଇଞ୍ଜିନ ସରକାର ଆସିବା ପରେ ବିମାନବନ୍ଦର କାମକୁ ନୂଆ ଗତି ମିଳିଥିଲା ଏବଂ ୬ ବର୍ଷ ପୂର୍ବେ ଆଇନଗତ ପ୍ରତିବନ୍ଧକ ଓ ମହାମାରୀ ସତ୍ତ୍ୱେ ସେ ଶିଳାନ୍ୟାସ କରିଥିଲେ, ଆଜି ଏହି ବିମାନବନ୍ଦର କାମ କରିବା ପାଇଁ ପ୍ରସ୍ତୁତ । ବିମାନବନ୍ଦର ପାଖରେ ପ୍ରତିବର୍ଷ ପାଖାପାଖି ୪୦ ଲକ୍ଷ ଯାତ୍ରୀଙ୍କୁ ସମ୍ଭାଳିବା ପାଇଁ ସୁବିଧା ରହିଛି, ଯାହାକୁ ଭବିଷ୍ୟତରେ ୩.୫ କୋଟି ପର୍ଯ୍ୟନ୍ତ ବଢ଼ାଯାଇ ପାରିବ । ପର୍ଯ୍ୟଟନ ଲାଭ ବ୍ୟତୀତ, ଦୁଇଟି ବିମାନବନ୍ଦରର ଉପସ୍ଥିତି ଗୋଆ ପାଇଁ କାର୍ଗୋ ପେଣ୍ଠସ୍ଥଳ ଭାବେ ନୂଆ ସୁଯୋଗ ସୃଷ୍ଟି କରିବ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମନୋହର ଅନ୍ତର୍ଜାତୀୟ ବିମାନବନ୍ଦର ଶାସନର ପରିବର୍ତ୍ତିତ କାର୍ଯ୍ୟଶୈଳୀ ଏବଂ ଦୃଷ୍ଟିକୋଣର ପ୍ରମାଣ ଅଟେ । ସେ କହିଛନ୍ତି ଯେ ୨୦୧୪ ପୂର୍ବରୁ ବିମାନ ଯାତ୍ରା ଥିଲାବାଲା ଲୋକଙ୍କ ପାଇଁ ଏକ କୁଳୀନ ବ୍ୟାପାର ଥିଲା । ସାଧାରଣ ନାଗରିକଙ୍କ ବିମାନଯାତ୍ରା ଇଚ୍ଛାର ଏହି ଉପେକ୍ଷା କାରଣରୁ ବିମାନବନ୍ଦର ଏବଂ ବିମାନ ଯାତ୍ରା ସହ ଜଡ଼ିତ ଅନ୍ୟ ଭିତ୍ତିଭୂମି ଢାଞ୍ଚାରେ ସ୍ୱଳ୍ପ ନିବେଶ ହୋଇଥିଲା ଏବଂ ଭାରତ ବିପୁଳ ସମ୍ଭାବନା ସତ୍ତ୍ୱେ ବିମାନଯାତ୍ରାରେ ପଛୁଆ ରହିଯାଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତାର ପ୍ରଥମ ୭୦ ବର୍ଷରେ ଦେଶରେ ବିମାନବନ୍ଦର ସଂଖ୍ୟା ୭୦ ଥିଲା ଏବଂ ବିମାନ ଯାତ୍ରା ବଡ଼ ସହରଗୁଡ଼ିକ ମଧ୍ୟରେ ସୀମିତ ଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଦୁଇଟି ସ୍ତରରେ କାମ କରିଥିଲେ । ପ୍ରଥମତଃ, ବିମାନବନ୍ଦର ନେଟୱର୍କ ଦେଶବ୍ୟାପୀ ସମ୍ପ୍ରସାରିତ ହୋଇଥିଲା । ଦ୍ୱିତୀୟତଃ, ଉଡ଼ାଣ ଯୋଜନା ଜରିଆରେ ସାଧାରଣ ନାଗରିକଙ୍କୁ ବିମାନ ଯାତ୍ରର ସୁଯୋଗ ମିଳିଲା । ତାହାର ପୂର୍ବ ୭୦ ବର୍ଷରେ ୭୦ ତୁଳନାରେ ବିଗତ ୮ ବର୍ଷରେ ୭୨ ବିମାନବନ୍ଦର ନିର୍ମାଣ କରାଯାଇଛି । ଏହାର ଅର୍ଥ ଦେଶରେ ବିମାନବନ୍ଦର ସଂଖ୍ୟା ଦୁଇଗୁଣା ହୋଇଯାଇଛି । ଏହାବ୍ୟତୀତ, ବର୍ଷ ୨୦୦୦ରେ କେବଳ ୬ କୋଟି ଯାତ୍ରୀ ତୁଳନାରେ ୨୦୨୦ରେ (ଠିକ ମହାମାରୀ ପୂର୍ବରୁ) ବିମାନଯାତ୍ରୀ ସଂଖ୍ୟା ବଢ଼ି ୧୪ କୋଟିରୁ ଅଧିକ ହୋଇଥିଲା । ଉଡ଼ାଣ ଯୋଜନାରେ ୧ କୋଟିରୁ ଅଧିକ ଯାତ୍ରୀ ଉଡ଼ାଣ ଭରିଥିଲେ । ସେ କହିଛନ୍ତି, ‘‘ଏହିସବୁ ପଦକ୍ଷେପ କାରଣରୁ ଭାରତ ବିଶ୍ୱର ତୃତୀୟ ସର୍ବବୃହତ ବେସାମରିକ ବିମାନ ଚଳାଚଳ ବଜାର ହୋଇଯାଇି ।’’

 

ଉଡ଼ାଣ ଯୋଜନାର ଉପଲବ୍ଧିଗୁଡ଼ିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥିରେ ଏକାଡେମିକ ଦୁନିଆ ପାଇଁ ଏକ କେସ୍ ଷ୍ଟଡି ହେବାର କ୍ଷମତା ରହିଛି । ପ୍ରଧାନମନ୍ତ୍ରୀ ମଧ୍ୟମ ବର୍ଗ ଦ୍ୱାରା ସ୍ୱଳ୍ପ ଦୂରତା ପାଇଁ ରେଳ ପରିବର୍ତ୍ତେ ବିମାନ ଟିକେଟ ଯାଞ୍ଚ କରାଯିବା ଧାରା ଉପରେ ମଧ୍ୟ ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି ଯେ ଯେଉଁଭଳି ଭାବେ ଦେଶରେ ବିମାନ ସଂଯୋଗ ନେଟୱର୍କ ସମ୍ପ୍ରସାରଣ ହେଉଛି, ବିମାନ ଯାତ୍ରା ଦ୍ରୁତ ଗତିରେ ପରିବହନ ପସନ୍ଦ ସାଧନ ହେବାରେ ଲାଗିଛି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଏହା ସତ୍ୟ ଯେ ପର୍ଯ୍ୟଟନ କୌଣସି ରାଷ୍ଟ୍ରର ସଫ୍ଟ ପାୱାରକୁ ବଢ଼ାଇବା ପାଇଁ ସହାୟକ ହୋଇଥାଏ, ଯେବେ କି ଏକ ରାଷ୍ଟ୍ର ଯେମିତି ମଜଭୁତ ହୋଇଥାଏ, ବିଶ୍ୱ ସେହି ରାଷ୍ଟ୍ର ବାବଦରେ ଅଧିକ ଜାଣିବାକୁ ଚାହିଁଥାଏ ଏବଂ ତାହା ଆଡ଼କୁ ଆକର୍ଷିତ ହୋଇଥାଏ ।’’ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଯଦି ଭାରତର ସମୃଦ୍ଧ ଇତିହାସ ଉପରେ ଏକ ନଜର ପକାଯାଏ, ତେବେ ଏହା ସମଗ୍ର ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ର ଥିଲା, ଯେଉଁଠି ବିଦ୍ୱାନ, ଯାତ୍ରୀ, ବ୍ୟବସାୟୀ, ଉଦ୍ୟୋଗପତି ଏବଂ ଛାତ୍ରଛାତ୍ରୀ ଏହି ଭୂମିକୁ ଜାଣିବା ପାଇଁ ଭାରତ ଆସିବେ । ପ୍ରଧାନମନ୍ତ୍ରୀ ଭାରତ ଦ୍ୱାରା ସାମ୍ନା କରାଯାଇଥିବା ଗୋଲାମୀର ଅନ୍ଧାକାର ସମୟ ଉପରେ ବି ଅବସୋସ ପ୍ରକାଶ କରିଛନ୍ତି, ଯାହା କି ସଂସ୍କୃତି ଓ ପରମ୍ପରା ସମାନ ରହିବା ସତ୍ତ୍ୱେ ଦେଶ ପ୍ରତି ଛବି ଓ ଦୃଷ୍ଟିକୋଣ ବଦଳାଇ ଦେଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଏକବିଂଶ ଶତାବ୍ଦୀର ଭାରତ ନୂଆ ଭାରତ ଅଟେ ଯାହା ବୈଶ୍ୱିକ ମଞ୍ଚରେ ନିଜ ଛାପ ଛାଡ଼ୁଛି ଏବଂ ଏହାର ପରିଣାମସ୍ୱରୂପ ବିଶ୍ୱର ଦୃଷ୍ଟିକୋଣ ଦ୍ରୁତ ଗତିରେ ବଦଳୁଛି ।’’ ସେ ଦର୍ଶାଇଛନ୍ତି ଯେ ଆଜି ବିଶ୍ୱ ଭାରତକୁ ଜାଣିବାକୁ ଚାହୁଁଛି ଏବଂ ଏହାର ଉପାୟକୁ ବୁଝିବାକୁ ଚାହୁଁଛି । ସେ ଆହୁରି କହିଛନ୍ତି ଯେ ଡିଜିଟାଲ ପ୍ଲାଟଫର୍ମରେ ଅନେକ ବିଦେଶୀ ଭାରତର କାହାଣୀ ବଖାଣୁଛନ୍ତି ।

 

ପ୍ରଧାନମନ୍ତ୍ରୀ ବିଗତ ୮ବର୍ଷରେ ଯାତ୍ରାକୁ ସହଜ ବନାଇବା ଏବଂ ଦେଶର ପର୍ଯ୍ୟଟନ ପ୍ରୋଫାଇଲରେ ସୁଧାର ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପର ତାଲିକା କରିଛନ୍ତି । ସେ ଭିସା ପ୍ରକ୍ରିୟାକୁ ସହଜ କରିବା, ଆଗମନ କ୍ଷଣି ଭିସା ସୁବିଧାରେ ସୁଧାର, ଆଧୁନିକ ଭିତ୍ତିଭୂମି ଏବଂ ଅନ୍ତିମ-ମାଇଲ କନେକ୍ଟିଭିଟି, ଏବଂ ଡିଜିଟାଲ, ମୋବାଇଲ ଏବଂ ରେଳ ସଂଯୋଗ ବାବଦରେ ଉଲ୍ଲେଖ କରିଛନ୍ତି । ଏହି ଉପାୟଗୁଡ଼ିକର ପରିଣାମ ସାମ୍ନାକୁ ଆସିଛି । ୨୦୧୫ରେ ଭାରତରେ ଘରୋଇ ପର୍ଯ୍ୟଟକ ସଂଖ୍ୟା ୧୪ କୋଟି ଥିଲା । ସେ କହିଛନ୍ତି ଯେ ଗତବର୍ଷ ଏହି ସଂଖ୍ୟା ବଢ଼ି ପାଖାପାଖି ୭୦ କୋଟି ହୋଇଯାଇଛି ।

 

ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ପର୍ଯ୍ୟଟନରେ ନିଯୁକ୍ତି ଏବଂ ଆତ୍ମନିଯୁକ୍ତିର ସବୁଠୁ ବଡ଼ ସମ୍ଭାବନା ରହିଛି ଏବଂ ଗୋଆରେ ପର୍ଯ୍ୟଟନର ଭିତ୍ତିଭୂମିରେ ସୁଧାର ନେଇ ପଦକ୍ଷେପଗୁଡ଼ିକ ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ‘‘୨୦୧୪ରୁ ରାଜ୍ୟରେ ରାଜପଥ ପ୍ରକଳ୍ପଗୁଡ଼ିକରେ ୧୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି । ଗୋଆରେ ଯାତାୟାତ ସମସ୍ୟାର ମଧ୍ୟ ସମାଧାନ କରାଯାଉଛି । କୋଙ୍କଣ ରେଳପଥର ବିଦୁ୍ୟତକରଣ ମଧ୍ୟ ରାଜ୍ୟକୁ ଲାଭାନ୍ୱିତ କରୁଛି ।’’

 

ପ୍ରଧାନମନ୍ତ୍ରୀ କହିଛନ୍ତି, କନେକ୍ଟିଭିଟି ବୃଦ୍ଧି ବ୍ୟତୀତ ସରକାରଙ୍କ ଗୁରୁତ୍ୱ ସ୍ମାରକ, କନେକ୍ଟିଭିଟି ଏବଂ ସମ୍ବନ୍ଧିତ ବ୍ୟବସ୍ଥାଗୁଡ଼ିକର ରକ୍ଷଣାବେକ୍ଷଣରେ ସୁଧାର ଆଣି ଐତିହ୍ୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ ଦେବା ଉପରେ ମଧ୍ୟ ରହିଛି । ଶ୍ରୀ ମୋଦୀ ଏହି ଉଦ୍ୟମର ଉଦାହରଣ ଭାବେ ଅଗୋଡ଼ା ଜେଲ ପରିସର ସଂଗ୍ରହାଳୟର ବିକାଶ ନେଇ ଉଲ୍ଲେଖ କରିଥିଲେ । ସେ କହିଛନ୍ତି ଯେ ସ୍ମାରକଗୁଡ଼ିକୁ ଆହୁରି ଅଧିକ ଆକର୍ଷଣୀୟ କରିବା ପାଇଁ ଆଧୁନିକ କୌଶଳର ଉପଯୋଗ କରାଯାଉଛି ଏବଂ ସ୍ୱତନ୍ତ୍ର ଟ୍ରେନ ଦ୍ୱାରା ତୀର୍ଥସ୍ଥଳୀ ଏବଂ ସ୍ମାରକଗୁଡ଼ିକୁ ଯାତ୍ରା ସୁବିଧାଜନକ କରାଯାଉଛି ।

 

ପ୍ରଧାନମନ୍ତ୍ରୀ ସାମାଜିକ ଭିତ୍ତିଭୂମି ସହିତ ଭୌତିକ ଭିତ୍ତିଭୂମି ଉପରେ ସମାନ ମହତ୍ତ୍ୱ ଦେବା ନିମନ୍ତେ ଗୋଆ ସରକାରଙ୍କ ପ୍ରୟାସଗୁଡ଼ିକର ବି ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ‘ସ୍ୱୟଂପୂର୍ଣ୍ଣ ଗୋଆ ଅଭିଯାନ’ର ସଫଳତାକୁ ପ୍ରଶଂସା କରିଛନ୍ତି, ଯାହା ଜୀବନକୁ ସହଜ ବନାଇବା ଏବଂ ଏହା ସୁନିଶ୍ଚିତ କରାଇବା ପାଇଁ ମହତ୍ତ୍ୱପୂର୍ଣ୍ଣ ଥିଲା ଯେ କୌଣସି ନାଗରିକ ସରକାରୀ ଯୋଜନାରୁ ବଞ୍ଚିତ ନ ରୁହନ୍ତୁ । ଶେଷରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆଜି, ଗୋଆ ୧୦୦% ସନ୍ତୃପ୍ତି ମଡେଲର ଆଦର୍ଶ ଉଦାହରଣ ହୋଇଯାଇଛି ।’’ ଏଥିସହ ରାଜ୍ୟରେ ଜାରି ରହିଥିବା ବିକାଶ କାର୍ଯ୍ୟକୁ ଆଗେଇ ନେବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତ୍ୟେକଙ୍କୁ ଉତ୍ସାହିତ କରିଛନ୍ତି ।

 

ଏହି ଅବସରରେ ଗୋଆ ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ, ଗୋଆ ରାଜ୍ୟପାଳ ଶ୍ରୀ ପି ଏସ ଶ୍ରୀଧରନ ପିଲ୍ଲାଇ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଏବଂ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ୟେସୋ ନାଏକ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

 

ଦେଶବ୍ୟାପୀ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୁବିଧା ଏବଂ ପରିବହନ ସୁବିଧା ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ଭାବେ ଉଦ୍ୟମ ଚଳାଇଛନ୍ତି । ଏହି ଦିଗରେ ଆଉ ଏକ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ଗୋଆରେ ମୋପା ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିଛନ୍ତି । ଏହି ବିମାନବନ୍ଦରର ଶିଳାନ୍ୟାସ ୨୦୧୬ ନଭେମ୍ବରରେ ପ୍ରଧାନମନ୍ତ୍ରୀ କରିଥିଲେ ।

 

ପ୍ରାୟ ୨,୮୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିମାନବନ୍ଦରକୁ ସ୍ଥାୟୀ ଭିତ୍ତିଭୂମି ଲକ୍ଷ୍ୟ ଆଧାରରେ ନିର୍ମାଣ କରାଯାଇଛି ଏବଂ ଏଥିରେ ଏକ ସୌର ଶକ୍ତି ପ୍ଲାଣ୍ଟ, ପରିବେଶ ଅନୁକୂଳ ଭବନ, ରନୱେରେ ଏଲଇଡି ଲାଇଟ, ବର୍ଷା ଜଳ ଅମଳ ଏବଂ ପୁନଃଚକ୍ରଣ ସୁବିଧା ସହ ଷ୍ଟେଟ-ଅଫ-ଦି-ଆର୍ଟ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଆଦି ଭଳି ଅନ୍ୟ ସୁବିଧା ସାମିଲ ରହିଛି । ଏହା ୩-ଡି ମନୋଲିଥିକ ପ୍ରିକାଷ୍ଟ ବିଲଡିଂ, ଷ୍ଟାବିଲରୋଡ, ରୋବୋମେଟିକ ହୋଲୋ ପ୍ରିକାଷ୍ଟ ୱାଲ, ଏବଂ ୫ଜି କମ୍ପାଟିବଲ ଆଇଟି ଭିତ୍ତିଭୂମି ଭଳି କିଛି ସର୍ବୋକ୍ରୃଷ୍ଟ ପ୍ରଯୁକ୍ତିଗୁଡ଼ିକୁ ଆପଣାଇଛି । ଏହି ବିମାନବନ୍ଦରର କିଛି ସ୍ୱତନ୍ତ୍ରତାରେ ବିଶ୍ୱର ସବୁଠୁ ବଡ଼ ବିମାନକୁ ପରିଚାଳନା କରିବାରେ ସକ୍ଷମ ରନୱେ, ବିମାନଗୁଡ଼ିକ ପାଇଁ ରାତି ପାର୍କିଂ ସୁବିଧା ସହ ୧୪ ପାର୍କିଂ ବେ, ସେଲ୍ଫ ବ୍ୟାଗେଜ ଡ୍ରପ ସୁବିଧା, ଅତ୍ୟାଧୁନିକ ତଥା ସ୍ୱତନ୍ତ୍ର ଏୟାର ନାଭିଗେସନ ଭିତ୍ତିଭୂମି ଆଦି ସାମିଲ ରହିଛି ।

 

ପ୍ରାରମ୍ଭରେ, ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ପ୍ରତିବର୍ଷ ପାଖାପାଖି ୪.୪ ନିୟୁତ ଯାତ୍ରୀ (ଏମପିପିଏ)ର ଆବଶ୍ୟକତା ପୂରଣ କରିବ, ଯାହାକୁ ୩୩ ଏମପିପିଏର ସନ୍ତୃପ୍ତି କ୍ଷମତା ପର୍ଯ୍ୟନ୍ତ ବଢ଼ାଯାଇ ପାରିବ । ବିମାନବନ୍ଦର ରାଜ୍ୟର ସାମାଜିକ ଆର୍ଥିକ ବିକାଶକୁ ସମୃଦ୍ଧ କରିବ ଏବଂ ପର୍ଯ୍ୟଟନ ଶିଳ୍ପର ଆବଶ୍ୟକତାଗୁଡ଼ିକୁ ପୂରଣ କରିବ । ଏଥିରେ ଅନେକ ଘରୋଇ ତଥା ଅନ୍ତର୍ଜାତୀୟ ଗନ୍ତବ୍ୟକୁ ସିଧା ଯୋଡୁଥିବା ପ୍ରମୁଖ ଲଜିଷ୍ଟିକ୍ସ ପେଣ୍ଠସ୍ଥଳ ଭାବେ ସେବା ଦେବାର କ୍ଷମତା ରହିଛି । ବିମାନବନ୍ଦର ପାଇଁ ମଲଟି ମୋଡାଲ କନେକ୍ଟିଭିଟି ଯୋଜନା ବି ରହିଛି ।

 

ବିଶ୍ୱସ୍ତରୀୟ ବିମାନବନ୍ଦର ହେବା ସହ ଏହି ବିମାନବନ୍ଦର ଆଗନ୍ତୁକଙ୍କୁ ଗୋଆର ଅନୁଭୂତି ବି ପ୍ରଦାନ କରିବ । ବିମାନବନ୍ଦରରେ ବ୍ୟାପକ ଭାବେ ଅଜୁଲେଜୋସ ଟାଇଲ ବ୍ୟବହାର କରାଯାଇଛି, ଯାହା ଗୋଆର ମୂଳ ସାମଗ୍ରୀ ଅଟେ । ଏଠାକାର ଫୁଡ କୋର୍ଟରେ ବିଶୁଦ୍ଧ ଗୋଆ କ୍ୟାଫେର ଆକର୍ଷଣୀୟ ଝଲକ ବି ଅନ୍ତର୍ଭୁକ୍ତ । ଏଥିରେ ପୁରୁଣା ସାମଗ୍ରୀର ବଜାର ନିମନ୍ତେ ମଧ୍ୟ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ରହିବ, ଯେଉଁଠି ସ୍ଥାନୀୟ କାରିଗର ଏବଂ ହସ୍ତଶିଳ୍ପୀଙ୍କୁ ନିଜ ସାମଗ୍ରୀ ପ୍ରଦର୍ଶନ ତଥା ବିପଣନ କରିବା ଲାଗି ପ୍ରୋତ୍ସାହିତ ହେବେ ।