ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିତା କାଟିଦେଲା ପଳାତକ ମେହୁଲ ଚୋକ୍‌ସୀ

ଇଂଟରପୋଲରୁ ପଳାତକ ମେହୁଲ ଚୋକ୍‌ସୀକୁ …

ନୂଆଦିଲ୍ଲୀ: ଇଂଟରପୋଲରୁ ପଳାତକ ମେହୁଲ ଚୋକ୍‌ସୀକୁ କ୍ଲିନ୍‌ଚିଟ୍‌ ମିଳିଯାଇଛି । ତା’ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗାଲକୁ ଶକ୍ତ ଚଟକଣା ମାରିଛି ମହାଠକ ଚୋକ୍‌ସୀ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଜାଲିଆତି କରି ୧୩ ହଜାର ୫୦୦ କୋଟି ଟଙ୍କା ଠକିନେବା ଘଟଣାରେ ପଳାତକ ଘୋଷିତ ମେହୁଲ ଚୋକ୍‌ସୀ ବିରୋଧରେ ଇଂଟରପୋଲ ପକ୍ଷରୁ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରାଯାଇଥିଲା । କୌଣସି କାରଣରୁ ତା’ ନାମଟି ଏବେ ଇଂଟରପୋଲ ତାଲିକାରୁ ହଟିଯାଇଛି ।

ଆନ୍ତର୍ଜାତିକ ସ୍ତରରେ ସର୍ବାଧିକ ଗୁରୁତ୍ୱ ବହନ କରିଥିବା ଇଂଟରପୋଲ ନୋଟିସରୁ ମେହୁଲ ଖସିଯିବା ପଛରେ କେନ୍ଦ୍ର ସରକାରଙ୍କ ପ୍ରବର୍ତନ ନିର୍ଦ୍ଦେଶାଳୟ ଓ ସିବିଆଇକୁ ଦାୟୀ କରାଯାଉଛି । ଦିଲ୍ଲୀର ଆପ୍‌ ସରକାରକୁ ବଦନାମ କରିବା ପାଇଁ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କୁ କୌଣସିମତେ ଜେଲରେ ଠୁଙ୍କିବା ପାଇଁ ସିବିଆଇ ଓ ଇଡି ପୁରାଦମରେ ଲାଗି ପଡ଼ିଥିଲା ବେଳେ ମହାଠକ ମେହୁଲ ଚୋକ୍‌ସୀ ପ୍ରତି ଉଦାରତା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତେରେଚ୍ଛା ଚାହାଣୀ କାମ କରିନି ତ? ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶରେ ସିବିଆଇ ଓ ଇଡି ଉଠୁଛି ବସୁଛି । ଅଭିଯୁକ୍ତ ମେହୁଲ ଓ ନିରବ ପ୍ରତି ପ୍ରଧାନମନ୍ତ୍ରୀଙ୍କ ମନରେ ଦରଦ କ’ଣ ପାଇଁ? ଏସ୍‌ ଜୟଶଙ୍କରଙ୍କ ଭଳି ଦକ୍ଷ କୂଟନୀତିଜ୍ଞ ତଥା ବିଦେଶ ମନ୍ତ୍ରୀ ଥାଉଥାଉ ଇଂଟରପୋଲ ଏପରି ପଦକ୍ଷେପ ଗ୍ରହଣ କଲା କିପରି?

୨୦୧୮ ଜାନୁଆରୀରେ ଇଂଟରପୋଲ ଦୃଷ୍ଟିକୁ ଆସିବା ପୂର୍ବରୁ ଚୋକ୍‌ସୀ ଆଂଟିଗୁଆ ଓ ବରମୁଡ଼ାର ନାଗରିକତା ଗ୍ରହଣ କରିସାରିଥିଲା । ଇଂଟରପୋଲ ତାଲିକାରୁ ଚୋକ୍‌ସୀ ବାଦ ପଡ଼ିବା ଘଟଣାକୁ କଂଗ୍ରେସ ପ୍ରଧାନଅସ୍ତ୍ର କରିଛି । ମହାଠକ ଓ ପଳାତକ ମେହୁଲ ଚୋକ୍‌ସୀକୁ କେବେ ଭାରତକୁ ଅଣାଯିବ, ସେ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦକୁ ଜଣାନ୍ତୁ ବୋଲି କଂଗ୍ରେସ ଦାବି କରିଛି । ୫ ବର୍ଷ ହେଲାଣି ମେହୁଲ ଫେରାର୍‌ ଅଛି । ଆଉ କେତେଦିନ ତା’ ପ୍ରତି ଉଦାରତା ପ୍ରଦର୍ଶନ କରାଯିବ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଦେଶବାସୀଙ୍କ ମନରେ ମଧ୍ୟ ସମାନ ଆଶଙ୍କା ଦେଖାଦେଇଛି । କୋଉ କାରଣରୁ ମୋଦୀ ସରକାରଙ୍କ ଦୃଷ୍ଟିରୁ ଖସିଯାଇଛି ପଳାତକ ମେହୁଲ ଚୋକ୍‌ସୀ । ୨୦୧୮ ଜାନୁଆରୀରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା ସାମ୍ନାକୁ ଆସିଲା । ତା’ ପୂର୍ବରୁ ମହାଠକ ମେହୁଲ ଚୋକ୍‌ସୀ ଓ ତା’ର ଭଣଜା ନିରବ ମୋଦୀ ବିଦେଶକୁ ପଳାୟନ କରିଥିଲେ ।

ମିଡିଆ ରିପୋର୍ଟ ଅନୁସାରେ ରେଡ୍‌ କର୍ଣ୍ଣର ନୋଟିସରୁ ନାମ ହଟାଇବା ପାଇଁ ମେହୁଲ ପକ୍ଷରୁ ଇଂଟରପୋଲରେ ପିଟିସନ୍‌ ଦାଖଲ କରାଯାଇଥିଲା । ଉକ୍ତ ପିଟିସନରେ ଉଲ୍ଲେଖ କରାଯାଇଥିଲା ଯେ ୨୦୨୧ରେ ସିବିଆଇ ମେହୁଲଙ୍କୁ ଅପହରଣ କରି ଡୋମିନିକା ନେଇଥିଲା ।
ମେହୁଲର ପିଟିସନ ଉପରେ ସିବିଆଇ କୌଣସି ପ୍ରତିବାଦ କଲାନି । ଫଳରେ ଇଂଟରପୋଲ ପକ୍ଷରୁ ମେହୁଲ ନାମକୁ ହଟାଇବା ପାଇଁ ନିଷ୍ପତି ନିଆଯାଇଛି ବୋଲି କୁହାଯାଉଛି । ଏବେ ମେହୁଲ ପାଇଁ ସାରା ବିଶ୍ୱ ଖୋଲିଗଲା । ଇଂଟରପୋଲରେ ସାରା ବିଶ୍ୱର ୧୯୫ଟି ଦେଶ ସଭ୍ୟ ଅଛନ୍ତି । ଇଂଟରପୋଲ ନୋଟିସରେ ଯୋଉ ଅପରାଧୀଙ୍କ ନାମ ଉଲ୍ଲେଖ ରହିଥାଏ, ସେମାନଙ୍କୁ ୧୯୫ଟି ସଭ୍ୟ ଦେଶ ଦୃଷ୍ଟିରେ ଅପରାଧୀ ବିବେଚନା କରାଯାଏ । ଇଂଟରପୋଲ ନୋଟିସକୁ ଅନ୍ତର୍ଜାତୀୟ ଗିରଫଦାରି ନୋଟିସ୍‌ ଭାବେ ଗଣାଯାଏ । ଯେକୌଣସି ସଭ୍ୟଦେଶରୁ ଅନ୍ତର୍ଜାତୀୟ ଅଭିଯୁକ୍ତକୁ ଗିରଫ ପରେ ମୂଳଦେଶକୁ ପଠାଇ ଦିଆଯିବାର ବ୍ୟବସ୍ଥା ରହିଛି । ଏବେ ମେହୁଲ ଭାରତ ଆଖିରେ ଆଙ୍ଗୁଠି ଗେଞ୍ଜି ସାରା ଦୁନିଆ ବୁଲିପାରିବ ।