ଏଥର ମା’ ଦୁର୍ଗା ନୌକାରେ ବସି ଧରାବତରଣ କରୁଛନ୍ତି

ମହାମାୟାଙ୍କ ଆଶୀର୍ବାଦରୁ ଜନ୍ମଲାଭ କରିଥିଲେ ପ୍ରଭୁ ଶ୍ରୀରାମ …

ମହାମାୟାଙ୍କ ଆଶୀର୍ବାଦରୁ ଜନ୍ମଲାଭ କରିଥିଲେ ପ୍ରଭୁ ଶ୍ରୀରାମ । ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୁଏ ଗୁପ୍ତ ନବରାତ୍ରି ପୂଜା । ଋତୁରାଜ ବସନ୍ତଙ୍କ ଉପସ୍ଥିତିରେ ମହିଷାମର୍ଦ୍ଦିନୀ ମା’ ଦୁର୍ଗାଙ୍କର ଷୋଡ଼ଶ ଉପଚାର ପୂଜା କରାଯାଉଥିବାରୁ ଏହାକୁ ବାସନ୍ତି ଦୁର୍ଗାପୂଜା କୁହାଯାଏ । ପୂର୍ବ ଭାରତରେ ବାସନ୍ତି ଦୁର୍ଗାପୂଜାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ । ବିଶେଷ କରି ଆସାମ ଓ ବଙ୍ଗରେ ବାସନ୍ତି ଦୁର୍ଗାପୂଜା ଅନୁଷ୍ଠିତ ହୁଏ । ମା’ ଦୁର୍ଗାଙ୍କର ନବମୀ ତିଥିଟିକୁ ଦଶରଥସୁତ କୌଶଲ୍ୟା ନନ୍ଦନ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଉଛି । ବସନ୍ତ ଋତୁରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ଓ ପ୍ରଭୁ ଶ୍ରୀରାମଙ୍କ ଧରାବତରଣ ଏକ ଅପୂର୍ବ ସଂଯୋଗ ସୃଷ୍ଟି କରୁଛି ।

ମନରେ ପ୍ରଶ୍ନ ଉଠୁଥିବ, ବାସନ୍ତି ଦୁର୍ଗାପୂଜା ଓ ଶାରଦୀୟ ଦୁର୍ଗାପୂଜା ଭିତରେ ଫରକ କ’ଣ? ଉଭୟ ପୂଜାରେ ପ୍ରାୟ ସମାନ ବିଧି ପାଳନ କରାଯାଏ । ତଫାତ କେବଳ ଏତିକି ଯେ ଶାରଦୀୟ ଦୁର୍ଗାପୂଜାକୁ ପ୍ରଭୁ ଶ୍ରୀରାମ ଆରମ୍ଭ କରିଥିଲେ । ବାସନ୍ତିକ ଦୁର୍ଗାପୂଜାକୁ ରାଜା ସୁରଥ ଆରମ୍ଭ କରିଥିଲେ । ମାର୍କଣ୍ଡ ପୁରାଣ ମୁତାବକ ରାଜା ସୁରଥ ରାଜ୍ୟ ଶତ୍ରୁରାଜାଠାରୁ ପରାସ୍ତ ହୋଇ ବଣଜଙ୍ଗଲରେ ଘୁରି ବୁଲୁଥିଲେ । ଜଙ୍ଗଲରେ ବୈଶ୍ୟ ସମାଧୀଙ୍କ ସହିତ ରାଜା ସୁରଥଙ୍କର ଭେଟ ହେଲା । ବେପାରରେ ବ୍ୟାପକ କ୍ଷତି ସହିବା ପରେ ବୈଶ୍ୟ ସମାଧୀ ଜଙ୍ଗଲରେ ଦିନ କାଟୁଥିଲେ । ଦୁହେଁ ମେଧା ନାମକ ଜଣେ ଋଷିଙ୍କୁ ସାକ୍ଷାତ କଲେ । ଋଷି ସେମାନଙ୍କୁ ବାସନ୍ତି ଦୁର୍ଗାପୂଜା କରିବାକୁ ପରାମର୍ଶ ଦେଲେ । ଋଷିଙ୍କ ପରାମର୍ଶକୁ ଗ୍ରହଣ କରି ରାଜା ସୁରଥ ଓ ବୈଶ୍ୟ ସମାଧୀ ବାସନ୍ତି ଦୁର୍ଗାପୂଜା କଲେ । ମା’ଙ୍କ କରୁଣାରୁ ରାଜା ସୁରଥ ତାଙ୍କର ରାଜ୍ୟ ଫେରିପାଇଲେ ଓ ବ୍ୟବସାୟୀ ସମାଧୀଙ୍କର ଦେବାଳିଆ ସ୍ଥିତି ଦୂର ହୋଇଗଲା ।

ମାର୍ଚ୍ଚ ୨୨ ତାରିଖରୁ ବାସନ୍ତି ଦୁର୍ଗାପୂଜା ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଶୁକ୍ଳପକ୍ଷ ପ୍ରତିପଦା ତିଥି ୨୧ ମାର୍ଚ୍ଚ ରାତି ୧୦ଟା ୫୨ ମିନିଟରୁ ଆରମ୍ଭ ହୋଇ ୨୨ ମାର୍ଚ୍ଚ ରାତି ୮ଟାରୁ ୨୦ ମିନିଟ ପର୍ଯ୍ୟନ୍ତ ରହିବ । ତେଣୁ ଘଟସ୍ଥାପନା ପାଇଁ ଶୁଭ ସମୟ ୨୨ ମାର୍ଚ୍ଚ ସକାଳ ୬ଟା ୨୩ ମିନିଟରୁ ୭ଟା ୩୨ ମିନିଟ ପର୍ଯ୍ୟନ୍ତ ରହିବ । ଉତର-ପୂର୍ବ ଦିଗରେ ଦେବୀ ମା’ଙ୍କ ଆସ୍ଥାନ ଚିହ୍ନଟ କରିବ । ଉକ୍ତ ସ୍ଥାନକୁ ସଫା କରି ଗଙ୍ଗାଜଳ ପକାଇ ପବିତ୍ର କରିବ । କାଠର ପିଢ଼ା ରଖି ତା’ ଉପରେ ଲାଲ କପଡ଼ା ବିଛାଇବ । ତା’ ଉପରେ ଦେବୀ ମା’ଙ୍କର ପ୍ରତିମା ସ୍ଥାପନ କରିବ । ପ୍ରଥମେ ପୂଜ୍ୟ ଶ୍ରୀଗଣେଶଙ୍କୁ ଆବାହନ କରି କଳସ ସ୍ଥାପନ କରିବ ।

ଘଟସ୍ଥାପନ ପାଇଁ ନଡ଼ିଆରେ ଚୁନରୀ ଗୁଡ଼ାଇ ଦେବ । ମାଟି କଳସରେ ଜଳ ଭରି ତା’ ଭିତରେ ଦୁଇଟି ଲବଙ୍ଗ, ଗୁଆ, ହଳଦୀ, ଦୁର୍ବା ଓ ମୁଦ୍ରା ପକାଇବେ । କଳସ ମୁହଁରେ ଆମ୍ବପତ୍ର ରଖି ତା’ ଉପରେ ନଡ଼ିଆକୁ ରଖିବେ । କଳସକୁ ମା’ ଦୁର୍ଗାଙ୍କ ପ୍ରତିମାର ଡାହାଣ ପାଶ୍ୱର୍ରେ ସ୍ଥାପନ କରିବେ । ଏଥର ମା’ ଦୁର୍ଗା ଡଙ୍ଗାରେ ବସି ଧରାବତରଣ କରୁଛନ୍ତି । ଫଳରେ ଏ ବର୍ଷ ଭଲ ଫସଲ ହେବ । ଆଦିଶକ୍ତିଙ୍କ କରୁଣାରୁ ସମସ୍ତଙ୍କ ମନସ୍କାମନା ପୂରଣ ହେବାର ସଂକେତ ମିଳୁଛି ।