କେନ୍ଦ୍ରାପଡ଼ାରେ ହେବ ବିଗ୍ ଫାଇଟ

ବୈଜୟନ୍ତ-ଅଂଶୁମା

ସାକସୀ ନିଉଜ୍ ବ୍ୟୁରୋ: ଏଥର କେନ୍ଦ୍ରାପଡ଼ାରେ ହେବ ବିଗ ଫାଇଟ । ମୁହାଁମୁହିଁ ହେବେ ୨ ହେଭିୱେଟ । କେନ୍ଦ୍ରାପଡ଼ା ଲୋକସଭା ଲଢ଼େଇକୁ ମଧ୍ୟ ରୋଚକତାର ସହ ଅନେଇ ବସିଛନ୍ତି ରାଜନୈତିକ ସମୀକ୍ଷକ । ଏଠି ଏକ ଭିନ୍ନ ସ୍ୱାଦର ଲଢ଼େଇ ହେବାକୁ ଯାଉଛି । ବାପାଙ୍କ ଘନିଷ୍ଠ ବନ୍ଧୁଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସରୁ ବିଜେଡି ଆସିଥିବା ଅଂଶୁମାନ ମହାନ୍ତି । କେନ୍ଦ୍ରାପଡ଼ାରେ ବିଜେପିର ବୈଜୟନ୍ତ ପଣ୍ଡା ଓ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନଙ୍କ ମଧ୍ୟରେ ହାଇଭୋଲଟେଜ୍ ଫାଇଟ୍ ହେବାକୁ ଯାଉଛି । ବୈଜୟନ୍ତ ପଣ୍ଡା ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ । ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ଘନିଷ୍ଠ ଥିଲେ । ରାଜ୍ୟସଭା ଯାଇଥିଲେ । ଲଗାତର ଦୁଇଥର କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଜିତିଥିଲେ । ଦିଲ୍ଲୀରେ ତାଙ୍କୁ ବିଜେଡିର ଚେହେରା କୁହାଯାଉଥିଲା । ହେଲେ ନବୀନ ଓ ତାଙ୍କ ସଂପର୍କ ଭିତରେ ଅଚାନକ ଫାଟ ସୃଷ୍ଟି ହେଲା । ଗତଥର ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହେଲେ ।

୨୦୧୯ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ପଣ୍ଡା ୨୦୧୯ରେ ବିଜେପି ଟିକେଟରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିଥିଲେ। ତେବେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠାରୁ ସେ ପରାଜିତ ହୋଇଥିଲେ। ଅନୁଭବ ମହାନ୍ତିଙ୍କୁ ୬ ଲକ୍ଷ ୨୮ ହଜାର ୯୩୯ ଖଣ୍ଡ ଭୋଟ ମିଳିଥିବା ବେଳେ ବୈଜୟନ୍ତ ପଣ୍ଡା ପାଇଥିଲେ ୪ ଲକ୍ଷ ୪୭ ହଜାର ୪୫୬ ଖଣ୍ଡ ଭୋଟ। ତେବେ ସମୟ ଚକ୍ରରେ ଅନୁଭବ ବି ବିଜେଡି ଛାଡ଼ି ଦେଇଛନ୍ତି ।

ଏବେ ଅନୁଭବ ମହାନ୍ତିଙ୍କ ସ୍ଥାନରେ ବିଜେଡି ଅଂଶୁମାନଙ୍କୁ ପ୍ରାର୍ଥୀ କରିଛି । ଅଂଶୁମାନ ହେଉଛନ୍ତି ରାଜନଗରର ଆସନରୁ କଂଗ୍ରେସର ପୂର୍ବତନ ବିଧାୟକ । କିନ୍ତୁ ତାଙ୍କର ବଡ଼ ପରିଚୟ ହେଉଛି ସେ ବିଜୁ ଜନତା ଦଳର ପ୍ରଥମ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ପୁଅ । ଅବଶ୍ୟ ନଳିନୀ ବିଜେଡିରୁ ଖୁବ୍ ଅପମାନଜନକ ଢଙ୍ଗରେ ବିଦା ହୋଇଥିଲେ । ସେହି ବିଜେଡିରେ ତାଙ୍କ ପୁଅ ମିଶିଛନ୍ତି ।

ଏପଟେ ବିଜେପିରେ ଯୋଗଦେବା ପରଠାରୁ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନୀ ସଫଳତା ହାସଲ ହୋଇପାରି ନାହିଁ। ଏଥର ନିର୍ବାଚନ ଫଳାଫଳ ତାଙ୍କ ପରବର୍ତ୍ତୀ ସ୍ଥିତି ସ୍ଥିର କରିବ। ଗତଥର ବିଜେଡି ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଥିବା ବୈଜୟନ୍ତ ପଣ୍ଡାଙ୍କ ପାଇଁ ଏଥର ନିର୍ବାଚନ ଅଗ୍ନି ପରୀକ୍ଷା ସମାନ ହେବ। ଅଂଶୁମାନଙ୍କୁ ମଧ୍ୟ ଏହି ନିର୍ବାଚନରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଏଥର ପୁଣି ବିଜେଡି ହାତରେ ରହିବ ନା ବାଜି ମାରିମ ବିଜେପି, ତା’ ଉପରେ ରହିଛି ସମସ୍ତଙ୍କ ନଜର।