ଭାରତୀୟ ରାଜନୀତିରେ ନୂଆ ଓ ଚର୍ଚ୍ଚିତ ନାଁ

ସୁନୀତା କେଜ୍ରିୱାଲ, କଳ୍ପନା ‌ସୋରେନ୍। ଭାରତୀୟ ରାଜନୀତିରେ ନୂଆ ଓ ଚର୍ଚ୍ଚିତ ନାଁ । ବିରୋଧୀ ‘ଇଣ୍ଡିଆ’ ମେଣ୍ଟରେ ହାଇପ୍ରୋଫାଇଲ ଚେହେରା। ସ୍ୱାମୀଙ୍କ ସ୍ଥାନରେ ଦଳର ମଙ୍ଗ ଧରିଛନ୍ତି ଏହି ୨ମହିଳା ।

Sunita_Kejriwal
Sunita_Kejriwal

ସୁନୀତା ହେଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ଏବଂ କଳ୍ପନା ହେଉଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ୍ ମୁଖ୍ୟ ହେମନ୍ତ ସୋରେନଙ୍କ ଧର୍ମପତ୍ନୀ।

ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଇଡି ସୋରେନ ଏବଂ କେଜ୍ରିୱାଲଙ୍କୁ ଗିରଫ କରି ଜେଲ ପଠାଇଛି। ସ୍ୱାମୀଙ୍କ ଅନୁପସ୍ଥିତିରେ ଦଳର କମାଣ୍ଡ ଏବେ ସ୍ତ୍ରୀଙ୍କ ହାତରେ । ବିରୋଧୀ ମେଣ୍ଟର ନିର୍ବାଚନ ଅଭିଯାନରେ ସେମାନେ ହେଉଛନ୍ତି ଷ୍ଟାର ପ୍ରଚାରକ। ସୁନୀତା ଏବଂ କଳ୍ପନାଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଇଣ୍ଡିଆ ମେଣ୍ଟ ରାଲିରେ ଅନ୍ୟ ଦଳର ମୁଖିଆମାନଙ୍କ ସହିତ ମଞ୍ଚାସୀନ ମଧ୍ୟ ହେଉଛନ୍ତି । ପତିଙ୍କର ପୁରା ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି ଏହି ୨ମହିଳା ।

ରାଜନୀତିରେ ପତ୍ନୀଙ୍କ ଆବିର୍ଭାବ କିଛି ନୂଆ କଥା ନୁହେଁ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ତାଙ୍କ ଦାୟିତ୍ୱ ସମ୍ଭାଳୁଛନ୍ତି ପତ୍ନୀ ସୋନିଆ ଗାନ୍ଧୀ। ସୋନିଆ ଦୁଇଟି ପର୍ୟ୍ୟାୟରେ ୨୨ ବର୍ଷ ଧରି କଂଗ୍ରେସ ସଭାନେତ୍ରୀ ଥିଲେ। ପ୍ରଥମେ ୧୯୯୮ରୁ ୨୦୧୭ ପୁଣି ୨୦୧୯ରୁ ୨୦୨୨ ପର୍ୟ୍ୟନ୍ତ ଏହି ଦାୟିତ୍ୱ ସମ୍ଭାଳିଥିଲେ। ଭାରତୀୟ ରାଜନୀତିରେ ଅଜଣା ଚେହେରା ଥିଲେ ମଧ୍ୟ ରାଜୀବ ଗାନ୍ଧିଙ୍କ ମୃତୁ୍ୟ ପରେ ଯେଉଁ ଢଙ୍ଗରେ ରାଜନୈତିକ ଦାୟିତ୍ୱ ତୁଲାଇଥିଲେ ତାହା ତାଙ୍କୁ ଲୋକପି୍ରୟ କରାଇଛି ।

ସେହିପରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ତ୍ରୀ ରାବ୍ରୀ ଦେବୀ । ୧୯୯୭ରେ ଲାଲୁ ଯାଦବ ଜେଲ ଯିବା ପୂର୍ବରୁ ସେ ତାଙ୍କ ପତ୍ନୀ ରାବ୍ରୀ ଦେବୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲେ। ରାବ୍ରୀ ୨୦୦୫ ପର୍ୟ୍ୟନ୍ତ କ୍ଷମତାରେ ଥିଲେ। ‌ଲାଲୁ ଜେଲ ଯିବା ପୂର୍ବରୁ ତାଙ୍କୁ ଯେଉଁଭଳି ମୁଖ୍ୟମନ୍ତ୍ରୀ କରାଯାଇଥିଲା ତାହା ରାଜନୀତିରେ ଥିଲା ବେଶ ରୋଚକ । ବର୍ତ୍ତମାନ ସୁଦ୍ାୁ ଏଭଳି କ୍ଷମତା ହସ୍ତାନ୍ତର କେବେ ଦେଖିବାକୁ ମିଳିନାହିଁ। ଉତ୍ତର ପ୍ରଦେଶରୁ ‌ଲୋକସଭା ସାଂସଦ ଥିବା ଡିମ୍ପଲ ଯାଦବ ହେଉଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ। ୨୦୧୨ ଉପନିର୍ବାଚନ, ୨୦୧୪ ଏବଂ ୨୦୨୨ ଉପନିର୍ବାଚନରେ ସେ ଲୋକସଭାକୁ ନିର୍ବାଚିତ ହୋଇଥି‌ଲେ। ଏହାପରେ ୨୦୧୯ରେ ମଧ୍ୟ ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଡିମ୍ପଲ ଯାଦବ ଚଳିତ ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ତାଙ୍କ ସ୍ୱାମୀ ଅଖିଳେଶଙ୍କୁ ସାଂଗଠନିକ ପରିଚାଳନା ସହିତ ନିର୍ବାଚନ ପ୍ରଚାର ଅଭିଯାନରେ ମଧ୍ୟ ସହଯୋଗ କରୁଛନ୍ତି।

ପଞ୍ଜାବର ଜଣେ ଟାଣୁଆ ନେତ୍ରୀ ହରସିମ୍ରତ କୌର ବାଦଲ । ଅକାଳି ଦଳ ସଭାପତି ସୁଖବିର ସିଂହ ବାଦଲଙ୍କ ଧର୍ମପତ୍ନୀ ହେଉଛନ୍ତି ହରସିମ୍ରତ । ସେ ୨୦୦୯ରୁ ଲୋକସଭା ସଭ୍ୟା ଅଛନ୍ତି। ଏଥର ମଧ୍ୟ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ୨୦୧୪ରେ ସେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। କିନ୍ତୁ ସରକାରଙ୍କ କୃଷି ବିଲକୁ ବିରୋଧ କରି ସେ ୨୦୨୦ରେ କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଥିଲେ।

ଭାରତୀୟ ରାଜନୀତିରେ ପରିବାରବାଦ କିଛି ନୂଆ କଥା ନୁହେଁ । ଦଳ ସହିତ ନିଜ ପରିବାରର ଆଗାମୀ ପିଢିମାନଙ୍କ ଭବିଷ୍ୟତ ମଧ୍ୟ ନିର୍ଦ୍ଧାରଣ କରନ୍ତି ଏହି ରାଜନେତାମାନେ । ପିଢି ପରେ ପିଢି କ୍ଷମତାରେ ରହି ଶାସନ କରନ୍ତି ।