୯ବର୍ଷରେ ୬ ପ୍ରଧାନମନ୍ତ୍ରୀ ଚଳେଇ ପାରିନଥିଲେ ଲମ୍ବା ସରକାର

କାହାର ହେବ ସରକାର ? ସରକାର ଆସନ୍ତି ଆଉ ଯାଆନ୍ତି ।

ସା କ୍ ସୀ ନିଉଜ୍ ବ୍ୟୁରୋ: ଚାଲିଛି ୨୪ ମହାସଂଗ୍ରାମ । କିଏ ଜିତିବ ୨୦୨୪ର ବାଜି । କାହାର ହେବ ସରକାର ? ସରକାର ଆସନ୍ତି ଆଉ ଯାଆନ୍ତି । ଦେଶରେ ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନ ଅନୁଷ୍ଠିତ ହୁଏ। କିନ୍ତୁ ଏକ ସମୟ ଥିଲା ଯେତେବେଳେ ଦେଶ ଅନେକ ପ୍ରଧାନମନ୍ତ୍ରୀ ପାଇଲା । ସରକାର ସ୍ଥାୟୀ ନଥିଲେ ଏବଂ ପ୍ରତ୍ୟେକ ଥର ସେମାନଙ୍କର ଚେହେରା ବଦଳିଗଲା । ଡିସେମ୍ବର ୨, ୧୯୮୯ ରୁ ମାର୍ଚ୍ଚ ୧୯, ୧୯୯୮ ଅର୍ଥାତ୍ ନଅ ବର୍ଷ ମଧ୍ୟରେ ଦେଶ ୬ଜଣ ପ୍ରଧାନମନ୍ତ୍ରୀ ପାଇଥିଲା। ତେବେ ୧୯୯୮ ପରେ ସରକାରରେ ସ୍ଥିରତା ରହିଥିଲା ଏବଂ ଦେଶ ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂ ଏବଂ ନରେନ୍ଦ୍ର ମୋଦୀଙ୍କ ଭଳି ନେତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଗ୍ରହଣ କରିଥିଲା। ଏହି ୬ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଆଜି ଜାଣିବା । ଯିଏକି ପୂରଣ କରିପାରିନଥିଲେ କାର୍ଯ୍ୟକାଳ ।

ବିଶ୍ୱନାଥ ପ୍ରତାପ ସିଂ । ବିଶ୍ୱନାଥ ପ୍ରତାପ ସିଂଙ୍କୁ ଭିପି ସିଂ ନାମରେ ଲୋକମାନେ ଜାଣିଛନ୍ତି। କଂଗ୍ରେସରୁ ଇସ୍ତଫା ଦେବା ପରେ ବିପି ସିଂ ଡିସେମ୍ବର ୨, ୧୯୮୯ ରେ ଜନତା ଦଳ ସରକାରରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସରକାର ମାତ୍ର ୩୪୩ ଦିନ ଚାଲିଥିଲା । ବିଜେପିର ସମର୍ଥନ ପ୍ରତ୍ୟାହାର ହେତୁ ତାଙ୍କ ସରକାର ୧୦ ନଭେମ୍ବର ୧୯୯୦ ରେ ଭାଙ୍ଗି ଯାଇଥିଲା ।

ଭିପି ସିଂଙ୍କ ପରେ ଜନତା ଦଳର ନେତା ଚନ୍ଦ୍ରଶେଖର ଶେଖର ସିଂ କଂଗ୍ରେସ ସହାୟତାରେ ସରକାର ଗଠନ କରିଥିଲେ। ୧୦ ନଭେମ୍ବର ୧୯୯୦ ରେ ଚନ୍ଦ୍ରଶେଖର ସିଂ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। କିନ୍ତୁ ମାର୍ଚ୍ଚ ୬, ୧୯୯୧ ରେ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ତେବେ ନୂଆ ସରକାର ଗଠନ ପର୍ୟ୍ୟନ୍ତ ସେ ତାଙ୍କ ପଦରେ ରହିଥିଲେ। ଚନ୍ଦ୍ରଶେଖରଙ୍କ ସରକାର ମାତ୍ର ୨୨୩ ଦିନ ପୂରଣ କରିଥିଲା। ରାଜୀବ ଗାନ୍ଧୀଙ୍କ ଜାସୁସି କରିବା ଅଭିଯୋଗରେ ଚନ୍ଦ୍ରଶେଖରଙ୍କୁ ଇସ୍ତଫା ଦେବାକୁ ପଡିଥିଲା।

ଏହାପରେ ସରକାରକୁ ଆସିଥିଲେ ପିଭି ନରସିଂହ ରାଓ । ପିଭି ନରସିଂହ ରାଓ ଦକ୍ଷିଣ ଭାରତର ପ୍ରଥମ ନେତା ଭାବରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୧ ଜୁନ୍ ୧୯୯୧ ରେ ସେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହି ପଦବୀରେ ସେ ୧୬ ମଇ ୧୯୯୬ ପର୍ୟ୍ୟନ୍ତ ରହିଥିଲେ । ନରସିଂହ ରାଓଙ୍କ ସରକାର ଚାରି ବର୍ଷ ୩୩୦ ଦିନ ଧରି ଚାଲିଥିଲା ।

୧୯୯୬ରୁ ଆରମ୍ଭ ହୋଇଥିଲା ବାଜପେୟୀ ସରକାର । ୧୬ ମଇ ୧୯୯୬ ରେ ପ୍ରଥମ ଥର ପାଇଁ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। କିନ୍ତୁ ତାଙ୍କର ମିଳିତ ସରକାର କେବଳ ୧୩ ଦିନ ଧରି ଚାଲିଥିଲା । ଗୃହରେ ସଂଖ୍ୟାଗରିଷ୍ଠତା ଅଭାବରୁ ତାଙ୍କ ସରକାର ଜୁନ୍ ୧, ୧୯୯୬ ରେ ଭାଙ୍ଗି ଯାଇଥିଲା । ମାର୍ଚ୍ଚ ୧୯, ୧୯୯୮ ରେ ଅଟଳ ବିହାରୀ ବାଜପେୟୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏଥର ସରକାର ପ୍ରାୟ ୧୩ ମାସ ଧରି ଚାଲିଥିଲା କିନ୍ତୁ ପରେ ବାଜପେୟୀ ସରକାର ଗୋଟିଏ ଭୋଟରେ ସଂଖ୍ୟାଗରିଷ୍ଠତା ହରାଇଲେ । ଏବଂ ଭାଙ୍ଗିଗଲା ବାଜପେୟୀ ସରକାର ।

ଜୁନ୍ ୧, ୧୯୯୬ ରେ ଜନତା ଦଳର ଏଚଡି ଦେବଗୌଡ଼ା ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସରକାର ୩୨୪ ଦିନ ଚାଲିଥିଲା ଏବଂ ୨୧ ଏପ୍ରିଲ ୧୯୯୭ ରେ, ଏଚଡି ଦେବଗୌଡ଼ାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଏଚଡି ଦେବଗୌଡାଙ୍କ ପରେ ୨୧ ଏପ୍ରିଲ ୧୯୯୭ ରେ ଇନ୍ଦର କୁମାର ଗୁଜରାଲ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କୁ ୧୯ ମାର୍ଚ୍ଚ ୧୯୯୮ ରେ ଏହି ପଦରୁ ଇସ୍ତଫା ଦେବାକୁ ପଡିଲା। ଗୁଜରାଲ ସରକାର ୩୩୨ ଦିନ ଧରି ଚାଲିଥିଲା।

ତେବେ ଜବାହର ଲାଲ ନେହେରୁ ପ୍ରଧାନମନ୍ତ୍ରୀ ଭାବରେ ଦୀର୍ଘତମ କାର୍ୟ୍ୟ କରିଛନ୍ତି। ସେ ୧୬ ବର୍ଷ ୨୮୬ ଦିନ ପ୍ରଧାନମନ୍ତ୍ରୀ ରହିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ସବୁଠାରୁ କମ୍ କାର୍ୟ୍ୟକାଳ ୧୯୯୬ରେ ଅଟଳ ବିହାରୀ ବାଜପେୟୀଙ୍କର ଥିଲା। ସେ ଏହି ପଦବୀରେ ମାତ୍ର ୧୩ ଦିନ ରହିଛନ୍ତି। ତେବେ ୨୪ରେ ସରକାର ବଦଳିବ ନା ପୁଣି ସେହି ସରକାର ଶାସନ କ୍ଷମତାକୁ ଆସି ରେକର୍ଡ କରିବ ତାହା ଉପରେ ସମସ୍ତଙ୍କ ନଜର ।