ଆରଜେଡି ମୁଣ୍ଡରୁ ମୁଖ୍ୟମନ୍ତ୍ରୀ ଭୂତ ଉତାରିଦେଲେ ନୀତୀଶ

କୁହାଯାଉଛି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ …

ନୂଆଦିଲ୍ଲୀ: କୁହାଯାଉଛି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରତି ବିଜେପିର କୃପାଦୃଷ୍ଟି ଏବେବି ରହିଛି । ଖାସ ସେହି କାରଣରୁ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ପଦବୀକୁ ନା’ କରିଦେଲେ । କଥା କ’ଣ କି, ରାଷ୍ଟ୍ରୀୟ ଜନତା ଦଳର ଅଧିକାଂଶ ବିଧାୟକ ପୁରାଦମରେ ଲାଗିପଡ଼ିଥିଲେ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଚାପ ପକା ଯାଇଥିଲା । ଆରଜେଡି ବିଧାୟକଙ୍କ ଚାପରୁ ମୁକୁଳିବା ପାଇଁ ନୀତୀଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦରଜା ଖଟ୍‌ ଖଟ୍‌ କଲେ । ମୋଦୀଙ୍କର ଗୋଟିଏ ଫୋନରେ ଉଠିବସିଲା ସିବିଆଇ । ଖୋଲିଲା ଲାଲୁ ପ୍ରସାଦ ଯାଦବଙ୍କ ‘ଜମି ବଦଳରେ ଚାକିରି’ ପୋଥି । ଲାଲୁ ଯାଦବଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ଓ ଝିଅ ମିଶା ଭାରତୀଙ୍କୁ ସିିବିଆଇ ଜେରା କରିସାରିଛି । ଲାଲୁଙ୍କ ପରିବାର ଉପରେ ସିବିଆଇ ପାହାର ବାଜିବା କ୍ଷଣି ଆରଜେଡି ମୁଣ୍ଡରୁ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରିବାର ନିଶା ଉତୁରିଗଲା ।

ପରିସ୍ଥିତିକୁ ସମ୍ଭାଳିବା ପାଇଁ ତେଜସ୍ୱୀ ଆଗତୁରା ବିଧାନସଭାରେ ‘ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ନଥିଲେ କି ନାହାନ୍ତି’ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି । ମାତ୍ର ଜେଡିୟୁର ବିଧାୟକମାନେ ତେଜସ୍ୱୀଙ୍କ କଥାକୁ ପରତେ ଯାଇନାହାନ୍ତି । ଲାଲୁଙ୍କ ଶିବିର ଇଙ୍ଗିତରେ ଉଠବସ ହେଉଥିବା ଆରଜେଡି ବିଧାୟକମାନେ ଆପଣା ମର୍ଜିରେ କେବେ ଏଭଳି ନିଷ୍ପତି ନେଇଥିବେ ବୋଲି ଜେଡିୟୁର ହଜମ ହେଉନି ।

ବର୍ଷ ଆରମ୍ଭରୁ ଆରଜେଡିର ନେତାମାନେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଲାଗି ପଡ଼ିଥିଲେ । ମହାଗଠବନ୍ଧନ ସରକାର ଗଠନ ପରେ ନୀତୀଶ ପ୍ରତି ସମାବେଶରେ ତେଜସ୍ୱୀଙ୍କ ଉପରେ ଅଯାଚିତ ସ୍ନେହ ଅଜାଡ଼ି ଦେଉଥିଲେ । ଆଲିଙ୍ଗନ କରି କେତେ କଲ୍ୟାଣ କରି ପକାଉଥିଲେ । ଏପରିକି କେତେକ ସଭାରେ ତେଜସ୍ୱୀଙ୍କୁ ବିହାରର ଭବିଷ୍ୟତ କହି ନୀତୀଶ ଆରଜେଡି ବିଧାୟକଙ୍କ ମନରେ ମୁଖ୍ୟମନ୍ତ୍ରୀ ମଞ୍ଜି ବୁଣିଦେଲେ । ତା’ ଭିତରେ କେତୋଟି ପ୍ରସଙ୍ଗରେ ତେଜସ୍ୱୀଙ୍କ ଆଚରଣ ଓ ଉଚ୍ଚାରଣ ନୀତୀଶଙ୍କୁ ଖଟ୍‌କା ଲାଗିଲା । ବିଶେଷ କରି ତାମିଲନାଡୁରେ ବିହାରି ଶ୍ରମିକଙ୍କୁ ମାଡ଼ ଘଟଣା ଅବା ଗଲୱାନ ସହିଦଙ୍କ ବାପାଙ୍କୁ ଜେଲରେ ଠୁଙ୍କିବା ଘଟଣାରେ ତେଜସ୍ୱୀଙ୍କ ବୟାନ ନୀତୀଶଙ୍କ ମନରେ ଅସନ୍ତୋଷ ଭରିଦେଲା ।

ତେଜସ୍ୱୀଙ୍କ ଆଚରଣ ଓ ଉଚ୍ଚାରଣରେ ବ୍ରେକ୍‌ କଷିବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଫୋନରେ କଥା ହେଲେ । ଆହୁରି କିଛି ବିଜେପି ନେତାଙ୍କ ସହିତ ନୀତୀଶ କଥା ହେଲେ । ମାର୍ଚ୍ଚ ପହିଲାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୀତୀଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଲେ । ବିହାର ରାଜ୍ୟପାଳ ପ୍ରସଙ୍ଗରେ ଅମିତ ଶାହ ନୀତୀଶଙ୍କୁ ଆଗୁଆ ସୂଚନା ପ୍ରଦାନ କଲେ । ଏକ ରୋଚକପୂର୍ଣ୍ଣ ମୋଡରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଉପରେ ସିବିଆଇ ଛାଟ ବାଜିଗଲା । ତେଜସ୍ୱୀଙ୍କ ମୁଣ୍ଡରୁ ମୁଖ୍ୟମନ୍ତ୍ରୀ ଭୂତ ଉତୁରିଗଲା ।