ନୂଆଦିଲ୍ଲୀ: ୨୦୦୩ ମାର୍ଚ୍ଚ ୨୩ ରାତିରେ ସଂଘଟିତ ୨୪ ପଣ୍ଡିତଙ୍କ ହତ୍ୟା ମାମଲାରେ ପୁଲୱାମା ତଳକୋର୍ଟରେ ୭ ଜଣଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଗଲା । ପରେ ମାମଲାକୁ ସୋପିଆନ୍ କୋର୍ଟକୁ ସ୍ଥାନାନ୍ତର କରାଗଲା । ବିଚାର ପ୍ରକ୍ରିୟା ବିଳମ୍ବ ହେଉଥିବାର ଦେଖି ସରକାରୀ ଓକିଲ ଏକ ଦଲିଲ ଦାଖଲ କଲେ ଯାହାର ସଂକ୍ଷିପ୍ତ ଜବାବ ହେଉଛି, ଅଧିକାଂଶ ସାକ୍ଷୀ ଜୀବନ ବିକଳରେ ଜମ୍ମୁ-କଶ୍ମୀରରୁ ପଳାୟନ କରିଛନ୍ତି । ଯେଉଁମାନେ ଅଛନ୍ତି, ଜୀବନ ପ୍ରତି ବିପଦ ଥିବାରୁ କୋର୍ଟକୁ ଆସିବାକୁ ରାଜି ନୁହନ୍ତି । ତେଣୁ କମିଶନ ଜରିଆରେ ସାକ୍ଷୀଙ୍କ ବୟାନ ସଂଗ୍ରହ କରି ମାମଲାର ବିଚାର ପ୍ରକ୍ରିୟା ଆଗକୁ ନେବା ପାଇଁ ସରକାରୀ ଓକିଲ ଅଦାଲତଙ୍କ ଅନୁମତି ଲୋଡ଼ିଥିଲେ । ତଳକୋର୍ଟ କମିଶନ ନିଯୁକ୍ତି ପ୍ରକ୍ରିୟାକୁ ଖାରଜ କରିଦେଲେ । ପରେ ୨୦୧୧ ସେପ୍ଟେମ୍ବର ୨୧ ତାରିଖରେ ହାଇକୋର୍ଟ ଉକ୍ତ ମାମଲାର ପିଟିସନ୍କୁ ବିଚାରଯୋଗ୍ୟ ମଣି ନଥିଲେ ।
୨୦୧୪ରେ ରାଜ୍ୟ ସରକାର ତଳକୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କଲେ । ତା’ ସହିତ ମାମଲାର ସାନି ବିଚାର ପାଇଁ ଜମ୍ମୁର କୌଣସି ଅଦାଲତକୁ ଆଦେଶ ଦେବାକୁ ପ୍ରାର୍ଥନା କରାଯାଇଥିଲା । ମାତ୍ର ହାଇକୋର୍ଟ ଉକ୍ତ ପିଟିସନ୍କୁ ଖାରଜ କରିଦେଲେ । ରାଜ୍ୟ ସରକାର ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ଅଗ୍ରାହ୍ୟ କରି ସାନି ବିଚାର ପାଇଁ ଅନୁମତି ଦେଇଛନ୍ତି ।
କୋର୍ଟରେ ମାମଲାର ପରିଣାମ ସହିତ କେନ୍ଦ୍ର ସରକାରଙ୍କ ‘ପିଓକେ ଦଖଲ’ ଅଭିଯାନର କୌଣସି ସମ୍ପର୍କ ନାହିଁ । ପିଓକେ ଏବେ କୁଖ୍ୟାତ ଆତଙ୍କୀ ସଂଗଠନଗୁଡ଼ିକର ଆଶ୍ରୟ ସ୍ଥଳ ପାଲଟିଛି । ତାକୁ ତ୍ରିରଙ୍ଗା ଅଧୀନକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କେଉଁ ପଦକ୍ଷେପ ନେଉଛନ୍ତି; ଦେଶବାସୀ ତାହା ଜାଣିବାକୁ ଚାହୁଁଛନ୍ତି ।