ପିଓକେ ତ୍ରିରଙ୍ଗା ଅଧୀନକୁ କେବେ ଆସୁଛି?

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆରପିଡିର ପ୍ରଶ୍ନ…..

ଭୁବନେଶ୍ୱର: ‘ଜମ୍ମୁ-କଶ୍ମୀରରୁ ଧାରା-୩୭୦ ଉଚ୍ଛେଦ କଲ । ଦୁଇଟି କେନ୍ଦ୍ରଶାସିତ ଅଂଚଳ ଭାବେ ବିଭାଜନ କଲ । ଜମ୍ମୁ-କଶ୍ମୀର ପାଇଲା ଦୁର୍ବଳ ବିଧାନସଭା । ଲଦାଖ ଚାଲିଗଲା ଲେଫ୍ଟନାଂଟ ଗଭର୍ଣ୍ଣରଙ୍କ ହାତକୁ । ଏତେସବୁ କାରନାମା କରି ପ୍ରଶଂସା ସାଉଁଟିଲ । ଏବେ ‘ପିଓକେ’ କେବେ ଭାରତ ଦଖଲକୁ ଆସିବ? ସେ ପ୍ରଶ୍ନର ସନ୍ତୋଷଜନକ ଜବାବ ନପାଇବା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପରିବର୍ତନ ଦଳ (ଆରପିଡି) ଆପଣଙ୍କୁ ଶାନ୍ତିରେ ବସିବାକୁ ଦେବନାହିଁ । ଭାରତ ବିଭାଜନ ପରେ ପିଓକେ ବୋଲି କିଛି ନଥିଲା । ଥିଲା କେବଳ ଭାରତ-ପାକିସ୍ତାନ । ପାକିସ୍ତାନଠାରୁ ଜନ୍ମ ନେଲା ବାଂଲାଦେଶ । ସେହିପରି ଭାରତ ହାତରୁ ଚାଲିଗଲା ପିଓକେ । ବାଂଲାଦେଶ ଗୋଟିଏ ଦେଶର ମାନ୍ୟତା ପାଇଲା; ହେଲେ ପିଓକେ ଗୋଟିଏ ପ୍ରଶ୍ନ ହୋଇ ରହିଗଲା ।

ଆଜିର ପିଓକେ ଅତୀତରେ ଜମ୍ମୁ-କଶ୍ମୀର ଅଂଶବିଶେଷ ଥିଲା । ପିଓକେ ବିନା ଜମ୍ମୁ-କଶ୍ମୀର ଅଧୁରା । ଆଜିର ଜମ୍ମୁ-କଶ୍ମୀରରେ ଆତଙ୍କୀ ସଂଗଠନ ଭାରତ ସରକାରଙ୍କୁ ଖୋଲା ଚାଲେଂଜ କରିଛନ୍ତି । ଜମ୍ମୁ-କଶ୍ମୀରକୁ କେନ୍ଦ୍ରଶାସିତ ଅଂଚଳ ଘୋଷଣା କରିବା ପରେ ମୋଦୀ ସରକାର ଦୃଢ଼ତାର ସହ କହିଥିଲେ ଯେ ଆଉ ଜମ୍ମୁ-କଶ୍ମୀରରେ ପଣ୍ଡିତମାନେ ହତ୍ୟାର ଶିକାର ହେବେନି । ଆତଙ୍କୀ ସଂଗଠନକୁ ଲୋପ କରି ଦିଆଯିବ । କିନ୍ତୁ ବାସ୍ତବ ଚିତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଫଳତାକୁ ଦର୍ଶାଉଛି ।’

‘୨୦୦୩ ମାର୍ଚ୍ଚ ୨୩ ତାରିଖ ରାତିରେ ସେନା ପୋଷାକ ପିନ୍ଧି ଲସ୍କର ଆତଙ୍କୀମାନେ ୨୪ ଜଣ କଶ୍ମୀର ପଣ୍ଡିତଙ୍କୁ ଗୁଳି ମାରି ହତ୍ୟା କଲେ । ମୃତକଙ୍କ ଭିତରେ ୧୧ ଜଣ ମହିଳା ଓ ଗୋଟିଏ ଦୁଇବର୍ଷର ପିଲା ଥିଲେ । ସୁପ୍ରିମକୋର୍ଟଙ୍କଠାରୁ ଆଦେଶ ପାଇବା ପରେ ଉକ୍ତ ମାମଲାର ସାନି ବିଚାର ପାଇଁ ଜମ୍ମୁ-କଶ୍ମୀର ହାଇକୋର୍ଟ ଆଗ୍ରହ ପ୍ରକାଶ କରିଛନ୍ତି । କିନ୍ତୁ ଅଦାଲତର ଖେଳ ସମସ୍ୟାର ସମାଧାନ ନୁହେଁ । ଯେ ପର୍ଯ୍ୟନ୍ତ ପିଓକେ ପୁଣି ଜମ୍ମୁ-କଶ୍ମୀରକୁ ନଫେରିଛି; ସେ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ସାଧାରଣ ଜନତାଙ୍କୁ ଅଗ୍ନିପରୀକ୍ଷା ଦେବାକୁ ପଡୁଥିବ । ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ଗରିଲା ଯୁଦ୍ଧରେ ବଳି ପଡୁଥିବେ ପଣ୍ଡିତ ସମୁଦାୟ ।’