ମିଶନ ଶକ୍ତି ମହିଳାଙ୍କ ପାଇଁ ଖୁସି ଖବର

ଭୁବନେଶ୍ଵର: ନବୀନ ପୁଣି କ୍ଷମତାକୁ ଆସିଲେ ଏସଏଚଜି ମହିଳାଙ୍କୁ ମିଳିବ ପେନସନ । ବିଜେଡି ନିଜ ଇସ୍ତାହାରରେ ଏଭଳି କହିଥିବା ବେଳେ ନବୀନଙ୍କ ଭିଡିଓ ବାର୍ତ୍ତା ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ପାଇଁ ବୁଷ୍ଟର ଡୋଜ ସଦୃଶ । କିନ୍ତୁ ବିରୋଧି ବିଜେପି ପାଇଁ ଏହା ହୋଇପାରେ କଣ୍ଟା ।

ଏସଏଚଜି ଗ୍ରୁପ ଜରିଆରେ ରାଜ୍ୟର ୭୦ଲକ୍ଷ୍ୟ ମହିଳାଙ୍କୁ ସ୍ୱାବଲମ୍ବି କରାଯାଇଛି । ବିଭିନ୍ନ ପର୍ଯ୍ୟାୟରେ ବ୍ୟାଙ୍କରୁ ଋଣ ନେଇ ସେମାନେ ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ । ଛୋଟ ଛୋଟ ଉଦ୍ୟୋଗ ପାଇଁ ଲାଭବାନ ହେଉଛନ୍ତି ମହିଳା । ଆଉ ଏହି କାରଣ ପାଇଁ ମହିଳାଙ୍କ ଭୋଟ ବିଜୁ ଜନତା ଦଳକୁ ଆସୁଛି । ଏଥର ମଧ୍ୟ ବିଜେଡି ସୁପ୍ରିମୋ ଏହି ଭୋଟ ବ୍ୟାଙ୍କକୁ ନିଜ ହାତ ମୁଠାରେ ରଖିବାକୁ ଚାହୁଁଛନ୍ତି ।

ବିଜେଡି ନିଜ ଇସ୍ତାହାରରେ ବମ୍ପର ପ୍ୟାକେଜ ଘୋଷଣା କରିଛି । ଷଷ୍ଠ ଥର ସରକାର ଆସିବାର କିଛି କ୍ଷଣ ମଧ୍ୟରେ ମିଶନ ଶକ୍ତି ମହିଳାଙ୍କୁ ମିଳିବ ପେନସନ । ବିଜୁ ଜନତା ଦଳର ବଳ ମହିଳା ଭୋଟର । ଦୀର୍ଘ ୨୦ବର୍ଷ ହେବ ବିଜେଡିକୁ ଶକ୍ତି ଯୋଗାଉଛି ମହିଳା ଭୋଟର । ଯେଉଁ କାରଣ ପାଇଁ ଇତିହାସ ରଚି ଚାଲିଛି ବିଜୁ ଜନତା ଦଳ । ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଆଉ ଏବେ ସେମାନଙ୍କ ପାଇଁ ଆଉ ପାଦେ ଆଗକୁ ବଢିଛନ୍ତି ନବୀନ ।

ମିଶନ ଶକ୍ତି ମାଆ ମାନେ ପେନସନ ପାଇବେ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଖାଲି ପେନସନ ନୁହେଁ ୧୫ ଲକ୍ଷ ଟଙ୍କାର ସୁଧ ମୁକ୍ତ ଋଣ ଯୋଗାଇ ଦେବେ ନବୀନ ସରକାର । ବିଜେଡି ସରକାର ଗଠନ କରିବା ପରେ ତୁରନ୍ତ ଏହା କ୍ୟାବିନେଟରେ ମୋହର ମାରି ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ । ଇସ୍ତାହାର ପରେ ନବୀନଙ୍କ ଭିଡିଓ ବାର୍ତ୍ତା ଲୋକଙ୍କୁ ବେଶ ପସନ୍ଦ ଆସିଛି ।

ଆଗାମୀ ୫ ବର୍ଷ ମଧ୍ୟରେ ଏସଏଚଜି ଗୁଡିକ ୧ଦଶମିକ ୫ଲକ୍ଷ କୋଟି ଟଙ୍କାର ଆର୍ଥିକ ହାସଲ କରି ମହିଳାଙ୍କୁ ୨୫ଶହ କୋଟି ଟଙ୍କାର ସୁଧ ଫେରସ୍ତ ଦିଆଯିବ । ଯାହା ମହିଳାମାନେ ସଶକ୍ତ ହେବା ସହ ଏକ ଉଦ୍ୟୋଗୀ ହିସାବରେ ଆଗକୁ ବଢିପାରିବେ । ଏହାସହ ଆଗାମୀ ୧୦ ମଧ୍ୟରେ ୨୦ହଜାର କୋଟି ଟଙ୍କାର ବ୍ୟବସାୟ ଯୋଗାଇ ଦିଆଯିବ ବୋଲି ବିଜେଡି କହିଛି ।

ତୃଣମୂଳ ସ୍ତରର କର୍ମୀ, ସହାୟତା କର୍ମଚାରୀ, ଅଙ୍ଗନୱାଡି, ଆଶା, ବିଏସକେୱାଇ କାର୍ଡ ସହ ପେନସନ ପାଇବେ ବୋଲି ମାନିଫେଷ୍ଟୋରେ ଦର୍ଶାଇଛି ବିଜୁ ଜନତା ଦଳ । ଏବେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମହିଳାଙ୍କୁ ମିଳୁଥିବା ୧୦ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଜାରି ରହିବ । ୪୦ ବର୍ଷ ପରେ ଯେଉଁ ମହିଳାଙ୍କ ସ୍ତନ କର୍କଟ ହୋଇଥିବବ ସରକାରକୁ ଆସିଲେ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବେ ନବୀନ ପଟ୍ଟନାୟକ । ରାଜ୍ୟର ମହିଳା ଭୋଟକୁ ନେଇ ବିଜେଡି ନିର୍ବାଚନ ଜିତିଆସିଛି । ବିରୋଧୀ ଏହି ଭୋଟ ବ୍ୟାଙ୍କ ଉପରେ ଯେତେ ଆଟାକ କଲେ ମଧ୍ୟ ସଫଳ ହୋଇପାରୁନାହାନ୍ତି ।