ବିଞ୍ଝାରପୁରରେ ମହିଳା ଫାଇଟ

ପ୍ରମିଳାଙ୍କୁ ଟକ୍କର ଦେବେ ବବିତା-କନକଲତା

ଚଳଚଞ୍ଚଳ ବିଞ୍ଝାରପୁର ରାଜନୀତି, କଂଗ୍ରେସ-ବିଜେଡି-ବିଜେପି ମଧ୍ୟରେ ହେବ ତ୍ରିମୁଖୀ ଲଢେଇ। ଏହି ଆସନରେ ତିନି ଦଳ ତିନି ମହିଳାଙ୍କୁ ଟିକେଟ ଦେଇଛନ୍ତି। କିଏ ଜିତିବ ଜନତାଙ୍କ ମନ ? ପ୍ରମିଳା – ବବିତା – କନକଲତା ଙ୍କ ମଧ୍ୟରେ କଡା ଫାଇଟ ଦେଖିବାକୁ ମିଳିବ।

ଏହି ନିର୍ବାଚନୀ ମଣ୍ଡଳୀରେ ୬ଥର ବିଜୟୀ ହେବା ସହ ବର୍ତ୍ତମାନ ବାଚସ୍ପତି ଥିବା ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେପଟେ ପ୍ରମିଳାଙ୍କୁ ଚେକ୍ ଦେବା ଲାଗି ବିଜେପି ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବବିତା ମଲ୍ଲିକଙ୍କୁ ରିପିଟ୍ କରିଛି । ବବିତା ମୋଦିଙ୍କ ଗ୍ୟାରେଣ୍ଟି ସହ ଓଡ଼ିଆ ଅସ୍ମିତାକୁ ଆୟୁଦ୍ଧ କରି ପ୍ରମିଳାଙ୍କୁ ଟକ୍କର ଦେବା ଲାଗି ଆରମ୍ଭ କରିଛନ୍ତି ଡୋର ଟୁ ଡୋର କ୍ୟାମ୍ପେନ ।ସେହିଭଳି ପ୍ରଚାର ମୈଦାନରୁ ବାଦ ପଡିନି କଂଗ୍ରେସ। ୨୦୧୯ରେ ଏହି ଆସନରେ ମାତ୍ର ୩ ହଜାର ୯୭୭ ଭୋଟ ପାଇଥିବା ପ୍ରାର୍ଥୀ ମନୋରଞ୍ଜନ ଦାଶଙ୍କୁ ବାଦ ଦେଇ ନୂଆ ପ୍ରାର୍ଥୀ ଭାବେ କନକଲତା ମଲ୍ଲିକକୁ ଟିକଟ ଦେଇଛି କଂଗ୍ରେସ। ଏଣୁ ଏହି ଆସନରେ ତିନି ମହିଳା ତଥା ତିନି ମଲ୍ଲିକଙ୍କ ମଧ୍ୟରେ ଲଢେଇ ହେବ।

ସେପଟେ କଂଗ୍ରେସରୁ ଟିକଟ ପାଇବା ପରେ କନକଲତା ନିଜ କର୍ମୀଙ୍କ ସହ ଆରମ୍ଭ କରିଛନ୍ତି କ୍ୟାମ୍ପେନ। ଉଭୟ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ବୋଲି କହିବା ସହ ଲୋକେ କଂଗ୍ରେସକୁ ଭୋଟ ଦେବେ ବୋଲି କହିଛନ୍ତି କନକଲତା ମଲ୍ଲିକ । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ୭୪ ହଜାର ୫୩୨ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସର ବବିତା ମଲ୍ଲିକ ୩୬ ହଜାର ୩୪୨ ଓ ବିଜେପିର ଦେବପ୍ରସାଦ ମଲ୍ଲିକଙ୍କୁ ୧୫ ହଜାର ୩୫୮ ଭୋଟ ମିଳିଥିଲା ।

୨୦୧୯ ନିର୍ବାଚନରେ ପୂର୍ବପରି ବିଜେଡି ତାହାର ଆଧିପତ୍ୟ ବଜାୟ ରଖିଥିଲା । ବିଜେଡିରୁ ପ୍ରମିଳା ମଲ୍ଲିକ ୭୯ ହଜାର ୮୭ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସ ଛାଡି ବିଜେପିରୁ ପ୍ରାର୍ଥୀ ହୋଇଥିବା ବବିତା ମଲ୍ଲିକଙ୍କୁ ୫୭ ହଜାର ୮୬୧ ଖଣ୍ଡ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦାସ ମାତ୍ର ୩ ହଜାର ୯୯୭ ଭୋଟ ପାଇଥିଲେ । ତେବେ ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି ଭୋଟରମାନେ ଅନୁମାନ କରୁଛନ୍ତି। ୨୦୨୪ ନିର୍ବାଚନରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ। ତିନି ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ କିଏ ମାରିବ ବାଜି ତାହା ଜୁନ ୪ ଫଳଫଳ ବାହାରିବା ପରେ ଜଣାପଡିବ।